Nepal Flash Flood: ବୁଧବାର, ସକାଳ ୯. ୨୦ ମିନିଟ୍, ହଠାତ୍ ଜଣେ ବନ୍ଧୁ ଅତି ଭୟରେ ଫୋନ୍ କଲେ, ଆଉ କହିଲେ, ଗାଁ ଆଉ ନାହିଁ… ନଦୀ ତାକୁ ବୁଡ଼ାଇ ଦେଲା। ତୁମେ ଯେତେ ଜଲ୍ଦୀ ପାରୁଛ ଦୌଡ଼ି ପଳାଅ।” ଏହି ଫୋନ୍ କଲ ପାଇବା ପରେ ନେପାଳର ତ୍ରିଶୁଲୀ ଉପତ୍ୟକାର ତ୍ରିଭୁବନ ତ୍ରିଶୁଲୀ ସେକେଣ୍ଡାରୀ ସ୍କୁଲର ପ୍ରଧାନଶିକ୍ଷକ ରାଜେନ୍ଦ୍ର ଦାୱାଡିଙ୍କ ହୋସ୍ ଉଡ଼ିଗଲା। ହାତରେ ମାତ୍ର କିଛି ମିନିଟ୍, ଜୀବନ-ମୃତ୍ୟୁର ବଡ଼ ନିଷ୍ପତ୍ତି ନେବାର ସମୟ।

ସ୍କୁଲ ପରିସରରେ ଥିଲେ ୧,୬୪୩ ଜଣ ଛାତ୍ରଛାତ୍ରୀ। ହଠାତ୍ ପାହାଡ଼ିଆ ନଦୀଗୁଡ଼ିକରେ ବଢ଼ିବାକୁ ଲାଗିଲା ଜଳସ୍ତର। ବରଫ ଅତଡ଼ା ଧସିବା ଯୋଗୁ ଆସିଥିବା ପ୍ରଳୟଙ୍କରୀ ବନ୍ୟା ମାଟି, ପଥର, ବରଫ ଓ ଭଗ୍ନାବଶେଷକୁ ସାଙ୍ଗରେ ନେଇ ଅତି ଦ୍ରୁତ ଗତିରେ ଆଗକୁ ବଢ଼ୁଥିଲା। ଦାୱାଡିଙ୍କ ସାମ୍ନାରେ ଥିଲା ଗୋଟିଏ ମାତ୍ର ପ୍ରଶ୍ନ, ପିଲାମାନଙ୍କୁ କେମିତି ବଞ୍ଚାଇବେ?

ଘଣ୍ଟି ବାଜିଲା, ଆରମ୍ଭ ହେଲା ଜୀବନ ବଞ୍ଚାଇବାର ଦୌଡ଼

ପ୍ରଥମେ ଦାୱାଡି ଭାବିଥିଲେ ତିନି ମହଲା ବିଶିଷ୍ଟ କଂକ୍ରିଟ୍ ସ୍କୁଲ ଭବନଟି ନଦୀ ଠାରୁ ୬୦ ମିଟର ଉଚ୍ଚରେ ରହିଛି, ତେଣୁ ଏହା ସୁରକ୍ଷିତ ରହିବ। ନିକଟରେ ଥିବା ଇସ୍ପାତ ବ୍ରିଜ୍ଟି ମଧ୍ୟ ସ୍କୁଲ ଭବନର ସମାନ ସ୍ତରରେ ଥିଲା। କିନ୍ତୁ ଏହି ସମୟରେ ଜଣେ ଅଭିଭାବକ ଦୌଡ଼ି ଆସି ଆଉ ଏକ ଭୟଙ୍କର ଖବର ଶୁଣାଇଲେ। କହିଲେ ପାଣି ବହୁତ ଶୀଘ୍ର ବଢ଼ୁଛି, ଯାହା କରିବ ତୁରନ୍ତ କର।

ଏହାପରେ ଆଉ ଗୋଟିଏ ମୁହୂର୍ତ୍ତ ବି ସୁଧା ବିଳମ୍ବ ନକରି ଦାୱାଡ଼ି ସ୍କୁଲ ଘଣ୍ଟି ବଜାଇଦେଲେ ଓ ସମସ୍ତ ଶିକ୍ଷକଙ୍କୁ ଶ୍ରେଣୀଗୃହ ଖାଲି କରିବାକୁ କହିଲେ। ସ୍କୁଲ ବସ୍ ଚାଳକମାନଙ୍କୁ ଫୋନ୍ କରି ସମସ୍ତଙ୍କୁ ଫେରି ଆସିବାକୁ କହିଥିଲେ। କିନ୍ତୁ ଜଣେ ଡ୍ରାଇଭରଙ୍କ ସହ ଯୋଗାଯୋଗ ହୋଇପାରିଲା ନାହିଁ। କିଛି ସମୟ ପରେ ସେ ଦେଖିଲେ ସେହି ବସ୍ଟି ବିପଦସଙ୍କୁଳ ବ୍ରିଜ୍ ପାର ହେଉଛି।

ଭୟରେ ଥରିଲେ ପିଲା, ତଥାପି ଚାଲିଲା ଉଦ୍ଧାର

ବିପଦର ଭୟ ଏବେ ପିଲାମାନଙ୍କ ମନକୁ ମଧ୍ୟ ଛୁଇଁଥିଲା। ଜଣେ ଛାତ୍ରୀ ଭୟରେ ପାନିକ୍ ଆଟାକ୍ର ଶିକାର ହେଲେ। ତାଙ୍କୁ ମୋଟରସାଇକେଲରେ ପାହାଡ଼ ଉପରକୁ ନିଆଗଲା। ଅନ୍ୟ ପିଲାମାନେ ଆଉ ବସ୍କୁ ଅପେକ୍ଷା ନ କରି ଜୀବନ ବଞ୍ଚାଇବା ପାଇଁ ଯିଏ ଯୁଆଡ଼େ ପାରିଲେ ଦୌଡ଼ିଲେ। ଆଉ ପିଲାଙ୍କ ପଛରେ ଥିଲେ ପ୍ରଧାନଶିକ୍ଷକ ଦାୱାଡି। ବାସ୍ ଏହାପରେ ସବୁକିଛି ଆଖିପିଛୁଳାକେ ଧ୍ୱଂଶ ହୋଇଗଲା।

କିଛି ସମୟ ପୂର୍ବରୁ ଯେଉଁ ସ୍କୁଲରେ ହଜାରରୁ ଅଧିକ ପିଲା ପଢ଼ୁଥିଲେ, ସେହି ୩ ମହଲା ବିଲ୍ଡିଂଙ୍କୁ ସାଙ୍ଗରେ ଧୋଇ ନେଲା ଭୟଙ୍କର ବନ୍ୟା। ଆଉ ଦୌଡ଼ି ପଳାଇଥିବା ପିଲାମାନେ ଶେଷରେ ଗୋଟିଏ ବୋଧି ଗଛ ତଳେ ଆଶ୍ରୟ ନେଇ ଜୀବନ ବଞ୍ଚାଇଲେ। ଗଛତଳେ ରହି ଦେଖୁଥିଲେ ଜଳ ପ୍ରଳୟର କରାଳ ରୂପ।

୧,୬୪୩ ଜୀବନ ବଞ୍ଚିଲା ଗଲା ସତ ହେଲେ ଶିକ୍ଷକ ଭାସିଗଲେ

ଦାୱାଡିଙ୍କ ତ୍ୱରିତ ନିଷ୍ପତ୍ତି ଯୋଗୁ ୧,୬୪୩ ଛାତ୍ରଛାତ୍ରୀଙ୍କ ଜୀବନ ବଞ୍ଚିଗଲା। ଅଧିକାଂଶ ଶିକ୍ଷକ ମଧ୍ୟ ସୁରକ୍ଷିତ ଭାବେ ବାହାରି ଆସିଲେ। କିନ୍ତୁ ୩୨ ବର୍ଷୀୟ ସାମାଜିକ ଇତିହାସ ଶିକ୍ଷକ ସାନ୍ତୋଷ ପରିୟାର କିନ୍ତୁ ଜଳ ପ୍ରଳୟର କୋପରୁ ବର୍ତ୍ତିପାରିଲେନି। ମିଳିଥିବା ସୂଚନା ଅନୁସାରେ ପରିୟାର ଜଳଖିଆ ପ୍ରସ୍ତୁତ କରିବା ପାଇଁ ନଦୀକୂଳରେ ଥିବା ତାଙ୍କ ଭଡ଼ା ଘରକୁ ଯାଉଥିବା ବେଳେ ଭାସିଯାଇ ପ୍ରାଣ ହରାଇଛନ୍ତି। ସ୍କୁଲର ଜଗୁଆଳ ସୁଲତାନ ଲାମା ମଧ୍ୟ ସ୍କୁଲ ଦ୍ୱାର ବନ୍ଦ କରିବାକୁ ଯାଇ ଆଉ ଫେରିଲେନି।

ସମସ୍ତେ କହିଲେ ହିରୋ

ସ୍ଥାନୀୟ ଲୋକେ ରାଜେନ୍ଦ୍ର ଦାୱାଡିଙ୍କୁ ହିରୋ ବୋଲି କହୁଛନ୍ତି। କିନ୍ତୁ ଦାୱାଡି ଏହା ସ୍ୱୀକାର କରିବାକୁ ନାରାଜ। କେଇ ମିନିଟ୍ର ସେଇ ପ୍ରଳୟଙ୍କରୀ ବନ୍ୟାରେ ଭାଙ୍ଗିଯାଇଥିବା ସ୍କୁଲ ଓ କାଦୁଅଭରା ଧ୍ୱଂସାବଶେଷକୁ ଦେଖି ସେ ଅବାକ ହୋଇ ଗୋଟିଏ କଥା କହିଛନ୍ତି “ମୁଁ ଆଉ କ’ଣ କରିଥାନ୍ତି?” ହତବାକ ହୋଇ ଏପରି କହିଥିଲେ ବି ରାଜେନ୍ଦ୍ର ଦୱାଡ଼ିଙ୍କ ତ୍ୱରିତ ନିଷ୍ପତ୍ତି ଯେ ଛାତ୍ରଛାତ୍ରୀଙ୍କର ବହୁମୂଲ୍ୟ ଜୀବନ ବଞ୍ଚାଇ ଦେଲା ଏକଥା ଅସ୍ୱୀକାର କରିହେବ ନାହିଁ।

ହିମସ୍ଖଳନ ବନ୍ୟାର କାରଣ

ଏହି ଭୟଙ୍କର ଫ୍ଲାସ୍ ଫ୍ଲଡର ମୂଳ କାରଣ ଥିଲା ଲାଙ୍ଗଟାଙ୍ଗ ଲିରୁଙ୍ଗ ଶୃଙ୍ଗରୁ ବରଫ ଓ ପଥରର ଏକ ବିଶାଳ ଖଣ୍ଡ ଭାଙ୍ଗି ପଡ଼ିବା। ପ୍ରାୟ ୧,୨୦୦ ମିଟର ଉଚ୍ଚତାରୁ ଏହା ଲ୍ହେଣ୍ଡେ ଖୋଲା ନଦୀର ଉପର ଘାଟିରେ ଖସିପଡ଼ିଥିଲା। କାଲଗାରି ବିଶ୍ୱବିଦ୍ୟାଳୟର ଭୂତତ୍ତ୍ୱବିତ୍ ଡାନିଏଲ୍ ଶୁଗାର ଆକଳନ କରିଛନ୍ତି ଯେ ଏହି ପିଣ୍ଡ ପ୍ରାୟ 50 ଏକର ଜମିରେ ବ୍ୟାପିଛି, ଯାହା ପ୍ରାୟ ଲଣ୍ଡନର ଗ୍ରୀନ୍ ପାର୍କର ଆକାର।

କାନାଡାର ୟୁନିଭର୍ସିଟି ଅଫ୍ କ୍ୟାଲଗାରିର ଭୂତତ୍ତ୍ୱବିତ୍ ଡାନିଏଲ୍ ଶୁଗାରଙ୍କ ଆକଳନ ଅନୁସାରେ, ଭାଙ୍ଗି ପଡ଼ିଥିବା ଏହି ବରଫ ଅତଡ଼ାର ଆକାର ପ୍ରାୟ ୫୦ ଏକର ଭଳି ସ୍ଥାନ ନେଇଥିଲା। ଯାହା ଲଣ୍ଡନର ଗ୍ରୀନ୍ ପାର୍କ ଭଳି ବଡ଼। ଫଳରେ ପାହାଡ଼ିଆ ନଦୀଗୁଡ଼ିକ ପ୍ରଳୟଙ୍କରୀ ରୂପ ନେଇଥିଲା। ବହୁ ବିଲ୍ଡିଂ, ବ୍ରିଜ୍ ଓ ପାୱାର୍ ଷ୍ଟେସନ୍ ପାଣି ସହ ଭାସିଯାଇଥିଲା।

ମୃତ୍ୟୁସଂଖ୍ୟା ୭୫୦ ପାର, ହଜାରେ ନିଖୋଜ

ଏହି ଭୟାବହ ବନ୍ୟାରେ ନେପାଳରେ ୭୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ତିବ୍ବତରେ ମଧ୍ୟ ୧୬ ଜଣଙ୍କ ଜୀବନ ଯାଇଛି। ନେପାଳରେ ପ୍ରାୟ ୨,୪୯୮ ଜଣ ଏବେ ବି ନିଖୋଜ ଥିବା ବେଳେ ତିବ୍ବତର ଗ୍ୟିରୋଙ୍ଗ କାଉଣ୍ଟିରେ ଆଉ ୫୪୬ ଜଣଙ୍କ ପତ୍ତା ମିଳୁନାହିଁ। ପ୍ରକୃତିର ଏହି ପ୍ରଳୟ ମଧ୍ୟରେ ଜଣେ ଶିକ୍ଷକଙ୍କ କିଛି ମିନିଟ୍ର ତ୍ୱରିତ ନିଷ୍ପତ୍ତି ୧,୬୪୩ଟି ଜୀବନକୁ ମୃତ୍ୟୁମୁଖରୁ ଫେରାଇ ଆଣିଛି।