ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀ ସମୟରେ ଯେତେବେଳେ ବିମାନ ସେବା ବାଧାପ୍ରାପ୍ତ ହୋଇଥିଲା, ସେତେବେଳେ ହିମାଚଳ ପ୍ରଦେଶର ଜଣେ ୨୫ ବର୍ଷୀୟା ଏୟାର ହୋଷ୍ଟେସ୍‌ ଟ୍ରେନି ନେହା ଠାକୁର ନିଜର ଚାକିରି ହରାଇଥିଲେ। ମାତ୍ର ଭାଙ୍ଗି ନପଡ଼ି ସେ ବିମାନ ସେବାରେ ପୁଣି ସୁଯୋଗକୁ ଅପେକ୍ଷା କରିବା ପରିବର୍ତ୍ତେ, ୧୬-ଟନ୍‌ ଟ୍ରକର ଷ୍ଟିୟରିଂ ଧରିବାକୁ ନିଷ୍ପତ୍ତି ନେଇଥିଲେ।

ବର୍ତ୍ତମାନ ନେହା ଭାରତର ବିଭିନ୍ନ ପାହାଡ଼ିଆ ରାସ୍ତା ଓ ଆନ୍ତଃରାଜ୍ୟ ହାଇୱେରେ ସୁରକ୍ଷିତ ଭାବରେ ଟ୍ରକ୍ ଚଲାଉଛନ୍ତି। ହିମାଚଳ ପ୍ରଦେଶର ପ୍ରଥମ ମହିଳା ଟ୍ରକ୍ ଡ୍ରାଇଭର ଭାବରେ ସେ ବେଶ୍ ପରିଚିତ। ଏହାସହ ସେ ରାସ୍ତାରେ ନିଜ ଜୀବନଶୈଳୀର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ଲକ୍ଷ ଲକ୍ଷ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ପିଲାଦିନର ସ୍ୱପ୍ନ 
ମଣ୍ଡି ଜିଲ୍ଲାର ସରକାଘାଟ ଅଞ୍ଚଳସ୍ଥିତ ଖୁଦଲା ଗ୍ରାମର ନେହା ପ୍ରଥମେ ଆକାଶରେ ଉଡ଼ିବାର ସ୍ୱପ୍ନ ଦେଖିଥିଲେ। ଗ୍ରାଜୁଏସନ୍‌ ସରିବା ପରେ ସେ ଏୟାର ହୋଷ୍ଟେସ୍‌ ତାଲିମ ପାଇଁ ଚଣ୍ଡୀଗଡ଼ ଯାଇଥିଲେ। କିଛି ଦିନ ଏଭିଏସନ୍‌ ସେକ୍ଟରରେ କାମ କରିବା ପରେ କୋଭିଡ୍‌ ଲକଡାଉନ୍‌ କାରଣରୁ ତାଙ୍କ ଚାକିରି ଚାଲିଯାଇଥିଲା। ଘରକୁ ଫେରିବା ପରେ ସେ ନିଜ ପିଲାଦିନର ଅନ୍ୟ ଏକ ଆକର୍ଷଣ 'ଟ୍ରକ୍ ଡ୍ରାଇଭିଂ' କୁ ନିଜର ପେଷା ଭାବରେ ବାଛିଥିଲେ।

ବାପାଙ୍କ ପ୍ରେରଣା 
​​​​​​​ନେହାଙ୍କ ବାପା ରାଜେଶ ଠାକୁର ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଜଣେ ଟ୍ରକ୍ ଡ୍ରାଇଭର ଭାବରେ କାର୍ଯ୍ୟ କରିଆସୁଛନ୍ତି। ପିଲାଦିନେ ତାଙ୍କ ବାପା ତାଙ୍କୁ ଟ୍ରକରେ ସ୍କୁଲ୍‌ ଛାଡ଼ିବାକୁ ଯାଉଥିବାରୁ, ଏହି ବଡ଼ ଗାଡ଼ିଗୁଡ଼ିକ ପ୍ରତି ତାଙ୍କର ଏକ ସ୍ୱତନ୍ତ୍ର ଦୁର୍ବଳତା ସୃଷ୍ଟି ହୋଇଥିଲା। ଏୟାର ହୋଷ୍ଟେସରୁ ଟ୍ରକ୍ ଡ୍ରାଇଭର ହେବା ସହଜ ନଥିଲା । ଏଥିପାଇଁ ତାଙ୍କୁ ଗିୟର ପରିବର୍ତ୍ତନ, କ୍ଲଚ୍ ନିୟନ୍ତ୍ରଣ ଏବଂ ଏୟାର ବ୍ରେକ୍‌ ପରି ବୈଷୟିକ କୌଶଳ ଶିଖିବାକୁ ପଡ଼ିଥିଲା।

ସାମାଜିକ ପ୍ରତିବନ୍ଧକ 
ପ୍ରାଥମିକ ପର୍ଯ୍ୟାୟରେ ସ୍ଥାନୀୟ ରୁଟ୍‌ରେ ଗାଡ଼ି ଚଲାଇବା ପରେ, ସେ ଏବେ ୧୬-ଟନ ବିଶିଷ୍ଟ ଟାଟା ଟ୍ରକରେ ନିର୍ମାଣ ସାମଗ୍ରୀ ଓ କୃଷି ଜାତ ଦ୍ରବ୍ୟ ନେଇ ବିଭିନ୍ନ ରାଜ୍ୟକୁ ପରିବହନ କରୁଛନ୍ତି। ଜଣେ ଯୁବତୀଙ୍କୁ ଏତେ ବଡ଼ ଟ୍ରକ୍ ଚଲାଉଥିବାର ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଥିବା ବେଳେ, ଅନିୟମିତ ଖାଦ୍ୟପେୟ, ଖରାପ ପାଣିପାଗ ଏବଂ ଘରୁ ଦୂରରେ ରାତି ବିତାଇବା ପରି ଅନେକ କଠିନ ଆହ୍ୱାନକୁ ସେ ସାହସର ସହ ସାମ୍ନା କରୁଛନ୍ତି।