ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟ ଏଜେନ୍ସି ପକ୍ଷରୁ ପ୍ରକାଶ ପାଇଛି NEET-UG ୨୦୨୬ ପରୀକ୍ଷାର ଫଳାଫଳ । ଦେଶର ଲକ୍ଷାଧିକ ମେଡିକାଲ୍ ଆଶାୟୀଙ୍କ ପାଇଁ ଏହି ଫଳାଫଳ ତାଙ୍କ ଭବିଷ୍ୟତର ଦିଗ ନିର୍ଣ୍ଣୟ କରିବ। ଫଳାଫଳ ପ୍ରକାଶ ପରେ ଦେଶବ୍ୟାପୀ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହ ଦେଖିବାକୁ ମିଳିଛି। ଚଳିତଥର ଦେଶ ବିଦେଶର ୫୫୧ଟି ସହରରେ ୫,୪୪୦ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୨୦ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୧ ଲକ୍ଷ ୨୧ ହଜାର କୃତକାର୍ଯ୍ୟ ହୋଇଛନ୍ତି । ଏହି ନମ୍ବର ଆଧାରରେ ସେମାନଙ୍କୁ ଦେଶର ବିଭିନ୍ନ ମେଡିକାଲ କଲେଜରେ ଏମବିବିଏସ ଓ ବିଡିଏସ୍ ସମେତ ବିଭିନ୍ନ ଡାକ୍ତରୀ ସ୍ନାତକ ବିଭାଗରେ ନାମଲେଖା ସୁଯୋଗ ମିଳିବ। କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ୫୮ ପ୍ରତିଶତ ହେଉଛନ୍ତି ଛାତ୍ରୀ। ୮ ରାଜ୍ୟର ୧୭ ରାଜ୍ୟ ଟପ୍ସର୍ ୭୦୦ କିମ୍ବା ତା'ଠାରୁ ଅଧିକ ନମ୍ବର ରଖିଛନ୍ତି।

ମିଳିଥିବା ସୂଚନା ମୁତାବକ ନିଟ୍ ପରୀକ୍ଷାରେ ପଞ୍ଜାବର ଆର୍ଯ୍ୟାନ ଗୁପ୍ତା ଓ ହରିଆଣାର ପାଂଶୁଲ ବଂଶଲ ସର୍ବଭାରତୀୟ ଯୁଗ୍ମ ଟପର୍ ହୋଇଥିବା ବେଳେ ସାତ୍ତ୍ଵିକ ପଟ୍ଟନାୟକ ଓଡ଼ିଶା ଟପର୍ ହୋଇଛନ୍ତି। ସାତ୍ତ୍ଵିକ ଦେଶରେ ୪୦ତମ ରାଙ୍କ ହାସଲ କରିବା ବେଳେ ମୋଟ ୯୯.୯୯୭୮୯୯୯ ପର୍ସେଣ୍ଟାଇଲ୍ ନମ୍ବର ରଖିଛନ୍ତି। ତେବେ ଓଡ଼ିଶାରେ ପାଖାପାଖି ୩ ହଜାର ମେଡିକାଲ୍ ସିଟ୍ ରହିଛି। ଯାହାର କାଉନସେଲିଂ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) କର୍ତ୍ତୃପକ୍ଷ କରିବେ। ୬୯୦ କିମ୍ବା ତାହାଠୁ ଅଧିକ ନମ୍ବର ରଖିଥିବା ୧୩୮ଜଣଙ୍କ ମଧ୍ୟରେ ଓଡ଼ିଶାର ଅମନ କୁମାର ନାୟକ ସର୍ବଭାରତୀୟ ସ୍ତରରେ ୮୦ ନମ୍ବର ରାଙ୍କ ହାସଲ କରିଛନ୍ତି। ଅମନ ୯୯.୯୯୫୯୯୯୮ ପର୍ସେଣ୍ଟାଇଲ୍ ରଖିଛନ୍ତି।ସେହିପରି ଉତ୍ତରପ୍ରଦେଶରେ ସର୍ବାଧିକ ୧ ଲକ୍ଷ ୭୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ଅନ୍ୟପକ୍ଷରେ ଲାକ୍ଷାଦ୍ଵୀପରେ ସବୁଠାରୁ କମ୍ ମାତ୍ର ୪୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏଥର ୧୩୮ ଜଣ ପ୍ରାର୍ଥୀ ମୋଟ ୭୨୦ ନମ୍ବରରୁ ୬୯୦ରୁ ଅଧିକ ମାର୍କ ରଖି ଛନ୍ତି। ସେମାନଙ୍କ ମଧ୍ୟରୁ ୯୩ ପ୍ରତିଶତରୁ ଅଧିକ ପ୍ରଥମଥର ପରୀକ୍ଷା ଦେଇଛନ୍ତି। ସେହିଭଳି ୯୯ ପ୍ରତିଶତ ଟପ୍ ନମ୍ବରଧାରୀଙ୍କ ବୟସ ୧୭ରୁ ୧୯ ବର୍ଷ ମଧ୍ୟରେ ରହିଛି। ନିଟ୍ ପରୀକ୍ଷା ୧୩ଟି ଭାଷାରେ ଆୟୋଜିତ ହୋଇଥିଲା। ଦେଶର ସମସ୍ତ ୩୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଛାତ୍ରଛାତ୍ରୀ ଏଥର ପରୀକ୍ଷା ଦେଇଥିଲେ। ନିଟ୍-ୟୁଜି ୨୦୨୬ ପରୀକ୍ଷା ପୂର୍ବରୁ ଗତ ମେ ୩ ତାରିଖରେ ଆୟୋଜିତ ହୋଇଥିଲା। କିନ୍ତୁ ପ୍ରଶ୍ନ ପତ୍ର ଲିକ୍ ଓ ଅନ୍ୟାନ୍ୟ କାରଣରୁ ଏହାକୁ ରଦ୍ଦ କରିବାକୁ ପଡିଥିଲା। ଏହା ପରେ ଏନ୍ଟିଏ ପକ୍ଷରୁ ଜୁନ ୨୧ରେ ପୁନର୍ବାର ନିଟ୍-ୟୁଜି ୨୦୨୬ କରାଯାଇଥିଲା। ଯାହାର ଫଳାଫଳ ଜୁଲାଇ ୧୬ ତାରିଖରେ ପ୍ରକାଶ ପାଇଛି |