ଘଟଣାକ୍ରମ

ମେ ୩: NEET-UG ୨୦୨୬ ପରୀକ୍ଷା ଅନୁଷ୍ଠିତ ହୋଇଥିଲା

ମେ ୭: ପରୀକ୍ଷାରେ ଅନିୟମିତତା ନେଇ ଏନଟିଏକୁ ପ୍ରାଥମିକ ସୂଚନା ମିଳିଲା

ମେ ୮: ଏହି ମାମଲାକୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରାଗଲା

ମେ ୧୧: ରାଜସ୍ଥାନ ଏସଓଜି ପକ୍ଷରୁ 'ଗେସ୍ ପେପର' ସମ୍ବନ୍ଧରେ ଆନୁଷ୍ଠାନିକ ବୟାନ ଜାରି କରାଗଲା

ଜୟପୁର: NEET-UG ୨୦୨୬ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଅଭିଯୋଗର ତଦନ୍ତ କରୁଛି ରାଜସ୍ଥାନର ସ୍ପେଶାଲ୍ ଅପରେସନ୍ସ ଗ୍ରୁପ୍ (SOG) । ତଦନ୍ତ ସମୟରେ ଏକ 'ଗେସ୍ ପେପର' ମିଳିଛି, ଯେଉଁଥିରେ ଥିବା ଅନେକ ପ୍ରଶ୍ନ ପ୍ରକୃତ ପରୀକ୍ଷା ପ୍ରଶ୍ନପତ୍ର ସହିତ ସମାନ ରହିଛି । ଏସଓଜିର କହିବା ଅନୁସାରେ, ଏହି ପ୍ରଶ୍ନପତ୍ରଟି ପ୍ରାୟ ୧୫୦ ପୃଷ୍ଠାର ଏକ ପିଡିଏଫ୍ ଫାଇଲ୍ ଥିଲା, ଯେଉଁଥିରେ ୪୦୦ରୁ ଅଧିକ ପ୍ରଶ୍ନ ଥିଲା । ଏହା ହ୍ୱାଟସଆପ୍ ମାଧ୍ୟମରେ ପରୀକ୍ଷାର୍ଥୀଙ୍କ ପାଖକୁ ପଠାଯାଇଥିଲା।

ଜୟପୁରଠାରେ ଏସଓଜିର ଏଡିଜିପି ବିଶାଲ ବଂଶଲ ସ୍ପଷ୍ଟ କରିଛନ୍ତି ଯେ, ନିଟ୍ ପରୀକ୍ଷାକୁ ନେଇ ଅନେକ ଭ୍ରାନ୍ତ ଧାରଣା ରହିଛି । ସେ କହିଛନ୍ତି ଯେ ୪୧୦ଟି ପ୍ରଶ୍ନ ବିଶିଷ୍ଟ ଏକ 'ଗେସ୍ ପେପର' ପରୀକ୍ଷାର ପ୍ରାୟ ଏକ ମାସ ପୂର୍ବରୁ ପିଲାମାନଙ୍କ ମଧ୍ୟରେ ବଣ୍ଟାଯାଇଥିଲା, ଯେଉଁଥିରୁ ପ୍ରାୟ ୧୨୦ଟି ପ୍ରଶ୍ନ (ମୁଖ୍ୟତଃ କେମିଷ୍ଟ୍ରି) ପ୍ରକୃତ ପରୀକ୍ଷାରେ ଆସିଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ଏହି ପ୍ରଶ୍ନପତ୍ର ପ୍ରକୃତରେ କେଉଁଠାରୁ ଆରମ୍ଭ ହୋଇଥିଲା, ତାହା ସ୍ପଷ୍ଟ ହୋଇନାହିଁ ।

ଏସଓଜି ଅଧିକାରୀଙ୍କ ଅନୁସାରେ, ସାଧାରଣତଃ ପେପର ଲିକ୍ ମାଫିଆମାନେ ଅତି ଗୋପନୀୟ ଭାବେ ପରୀକ୍ଷାର ପୂର୍ବ ରାତିରେ ପ୍ରଶ୍ନ ଦେଇଥାନ୍ତି, କିନ୍ତୁ ଏହି କ୍ଷେତ୍ରରେ ପେପରଟି ବହୁ ପୂର୍ବରୁ ସାର୍ବଜନୀନ ହୋଇଯାଇଥିଲା । ସେ କହିଛନ୍ତି ଯେ ଯଦି ଏହି ମାମଲାରେ ପ୍ରକୃତରେ ଠକେଇ ଜଡିତ ଥାଏ, ତେବେ ଭବିଷ୍ୟତରେ ଏପରି ପୁନରାବୃତ୍ତିକୁ ରୋକିବା ପାଇଁ ଏହାର ତଦନ୍ତ କରାଯିବ।

NTAର ପକ୍ଷ

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି କହିଛି ଯେ ସେମାନେ ଏହି ମାମଲାକୁ ଗମ୍ଭୀରତାର ସହ ନେଉଛନ୍ତି ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ସେହିପରି, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି କହିଛି ଯେ ଏହା "ନିରପେକ୍ଷ, ସୁରକ୍ଷିତ ଏବଂ ବିଶ୍ୱସନୀୟ ପରୀକ୍ଷା ପାଇଁ ପ୍ରତିବଦ୍ଧ । ପରୀକ୍ଷା ପ୍ରଣାଳୀକୁ ସମର୍ଥନ କରିବା ପାଇଁ ସମସ୍ତ ତଦନ୍ତ ଏଜେନ୍ସି ସହିତ ଘନିଷ୍ଠ ଭାବରେ କାମ କରିବାକୁ ପ୍ରତିବଦ୍ଧ ।" ଏନଟିଏ ଅନୁସାରେ, ପରୀକ୍ଷା ସମୟରେ ଜିପିଏସ ଟ୍ରାକିଂ, ଏଆଇ-ଆଧାରିତ ସିସିଟିଭି ଏବଂ 5G ଜାମର ଭଳି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସଂସ୍ଥା କହିଛି ଯେ ସେମାନେ ତଦନ୍ତର ରିପୋର୍ଟକୁ ଅପେକ୍ଷା କରିଛନ୍ତି । କୌଣସି ବି ଯୋଗ୍ୟ ପରୀକ୍ଷାର୍ଥୀଙ୍କ ପରିଶ୍ରମକୁ ବୃଥା ହେବାକୁ ଦିଆଯିବ ନାହିଁ ଏବଂ ପରିସ୍ଥିତି ଅନୁସାରେ ସ୍ୱଚ୍ଛତାର ସହ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି ।