ନୂଆଦିଲ୍ଲୀ: ମନୁସ୍ମୃତି (Manusmriti) ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅସୁବିଧା ବୃଦ୍ଧି ପାଇବାରେ ଲାଗିଛି। ସୁପ୍ରିମକୋର୍ଟ ଓକିଲ ନାଜିଆ ଖାନ ରାହୁଲଙ୍କ ବିରୋଧରେ ପୁଲିସରେ ଏକ ଅଭିଯୋଗ ଦାଖଲ କରିଛନ୍ତି। ରାହୁଲ ପ୍ରାଚୀନ ଗ୍ରନ୍ଥର କିଛି ଅଂଶକୁ ଭୁଲ୍ ଭାବରେ ଉପସ୍ଥାପନ କରି ଲୋକଙ୍କ ଭାବନାକୁ ଆଘାତ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।

 ଅଗଷ୍ଟ ୨୨ ରେ ପୁଣେଠାରେ ଆୟୋଜିତ 'ଛାତ୍ରୋଁ କି ଗୁଞ୍ଜ' କାର୍ଯ୍ୟକ୍ରମରେ ରାହୁଲ ନାରୀ ସ୍ୱାଧୀନତା ଓ ପିତୃସତ୍ତାତ୍ମକ ମାନସିକତା ଉପରେ ବକ୍ତବ୍ୟ ଦେଇଥିଲେ। ମନୁସ୍ମୃତିରୁ ଉଦ୍ଧୃତି ଦେଇ ସେ କହିଥିଲେ ଯେ, ‘ବାଲ୍ୟକାଳରେ ନାରୀ ପିତାଙ୍କ ଅଧୀନରେ, ଯୌବନରେ ସ୍ୱାମୀଙ୍କ ଅଧୀନରେ ଏବଂ ବାର୍ଦ୍ଧକ୍ୟରେ ପୁତ୍ରଙ୍କ ଅଧୀନରେ ରହେ; ନାରୀ କେବେ ସ୍ୱାଧୀନ ହେବା ଉଚିତ୍ ନୁହେଁ’ – ଏହିଭଳି ଶବ୍ଦ ଅତ୍ୟନ୍ତ ଲଜ୍ଜାଜନକ ଏବଂ ଏହା କଦାପି ଗ୍ରହଣୀୟ ନୁହେଁ। ନାରୀମାନେ ନିଜ ନିଜର ପରିଚୟ ସୃଷ୍ଟି କରିବା ଉଚିତ୍, ସେମାନେ କାହା ଅଧୀନରେ ନୁହନ୍ତି।

ନାଜିଆ ଖାନଙ୍କ ଅଭିଯୋଗ
ନାଜିଆ ଖାନ ANI କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଗୋଟିଏ ଅଧ୍ୟାୟର କିଛି ଶବ୍ଦକୁ ମୋଡ଼ିମାଡ଼ି ଉପସ୍ଥାପନ କରି ମନୁସ୍ମୃତିକୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି। ସେ ସାମ୍ବିଧାନିକ ଅଧିକାର ଓ ସ୍ୱାଧୀନତାକୁ ସମ୍ମାନ ଦିଅନ୍ତି, କିନ୍ତୁ ଭ୍ରାନ୍ତ ତଥ୍ୟ ପ୍ରସାରକୁ ବିରୋଧ କରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ମୁଁ କଲମା  ପଢ଼େ ଏବଂ ବନ୍ଦେ ମାତରମ୍ ଗାଇବାରେ ଗର୍ବ ଅନୁଭବ କରେ।’

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଫଟୋ କାହିଁକି ଲଗାଯାଇଥିଲା ବୋଲି ନାଜିଆ ପ୍ରଶ୍ନ କରିଛନ୍ତି। ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ପ୍ରଧାନମନ୍ତ୍ରୀ କେବେବି ଲୋକଙ୍କୁ ମନୁସ୍ମୃତି ପଢ଼ିବାକୁ କହିଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ରାହୁଲ ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କରିଥିବାରୁ ତାଙ୍କୁ ଜବାବ ଦେବାକୁ ପଡ଼ିବ ବୋଲି ସେ ଦାବି କରିଛନ୍ତି।