ନୂଆଦିଲ୍ଲୀ-;ବଲିଉଡରେ ସଫଳତା ମିଳିବା ପରେ ଯେଉଁଠି ଅନେକ ଅଭିନେତା ଗୋଟିଏ ପରେ ଗୋଟିଏ ଫିଲ୍ମ ସାଇନ୍ କରିବାକୁ ତତ୍ପର ହୁଅନ୍ତି... ସେଠି ସମ୍ପୂର୍ଣ୍ଣ ଭିନ୍ନ ରାସ୍ତା ବାଛିଥିଲେ ବଲିଉଡ୍ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକି। ‘ଗ୍ୟାଙ୍ଗ୍ସ ଅଫ୍ ୱାସେପୁର 2’ ପରେ ତାଙ୍କ ପାଖକୁ ଆସିଥିଲା ପ୍ରାୟ 200ଟି ସ୍କ୍ରିପ୍ଟ। ଏପରିକି ନିର୍ମାତାମାନେ ତାଙ୍କ ସାମ୍ନାରେ ବ୍ଲାଙ୍କ ଚେକ୍ ମଧ୍ୟ ରଖିଥିଲେ। କିନ୍ତୁ ନୱାଜୁଦ୍ଦିନ୍ ଗୋଟିଏ ବି ସ୍କ୍ରିପ୍ଟ ବାଛିନଥିଲେ। ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶିତ ‘ଗ୍ୟାଙ୍ଗ୍ସ ଅଫ୍ ୱାସେପୁର 2’ ନୱାଜୁଦ୍ଦିନ୍ ସିଦ୍ଦିକିଙ୍କ କ୍ୟାରିୟରରେ ଆଣିଥିଲା ବଡ଼ ମୋଡ଼। 2012ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମରେ ସେ ଫୈଜଲ୍ ଖାନ୍ ଚରିତ୍ରରେ ନଜର ଆସିଥିଲେ। ତାଙ୍କ ଦମଦାର ଅଭିନୟ ଫିଲ୍ମର ଅନ୍ୟତମ ବଡ଼ ଆକର୍ଷଣ ପାଲଟିଥିଲା। ନିକଟରେ ଏକ ସାକ୍ଷାତକାରରେ ନୱାଜୁଦ୍ଦିନ୍ ନିଜ କ୍ୟାରିୟରର ସେହି ସମୟକୁ ମନେ ପକାଇଛନ୍ତି। ସେ କହିଛନ୍ତି, ‘ଗ୍ୟାଙ୍ଗ୍ସ ଅଫ୍ ୱାସେପୁର 2’ ରିଲିଜ୍ ପରେ ତାଙ୍କୁ ଅତିକମରେ 200ଟି ସ୍କ୍ରିପ୍ଟ ମିଳିଥିଲା। ଅନେକ ନିର୍ମାତା ସ୍କ୍ରିପ୍ଟ ସହ ବ୍ଲାଙ୍କ ଚେକ୍ ମଧ୍ୟ ଦେଇଥିଲେ। କେତେ ପାରିଶ୍ରମିକ ନେବେ, ତାହା ନିଜେ ଲେଖିବାକୁ କୁହାଯାଉଥିଲା। କିନ୍ତୁ ଟଙ୍କା କିମ୍ବା ହଠାତ୍ ମିଳିଥିବା ଷ୍ଟାରଡମ୍ର ପଛରେ ନ ଧାଇ, ନୱାଜୁଦ୍ଦିନ୍ ସବୁ ସ୍କ୍ରିପ୍ଟକୁ ନା କହିଦେଇଥିଲେ। କାରଣ, ସେହି ସମୟରେ ତାଙ୍କୁ କୌଣସି ସ୍କ୍ରିପ୍ଟ ପସନ୍ଦ ଆସିନଥିଲା। ସେ ତରବରିଆ ଭାବେ କୌଣସି ଫିଲ୍ମ ସାଇନ୍ କରିବାକୁ ଚାହୁଁନଥିଲେ। ଠିକ୍ ଚରିତ୍ର ଓ ଠିକ୍ କାହାଣୀ ପାଇଁ ଅପେକ୍ଷା କରିବାକୁ ସେ ନିଷ୍ପତ୍ତି ନେଇଥିଲେ।

ନୱାଜୁଦ୍ଦିନ୍ କହିଥିଲେ ଯେ, ସେ ପୂର୍ବରୁ ବର୍ଷ ବର୍ଷ ଧରି କାମ ପାଇଁ ଅପେକ୍ଷା କରିଥିଲେ। ତେଣୁ ଆଉ ଦୁଇ କିମ୍ବା ତିନି ବର୍ଷ ଅପେକ୍ଷା କରିବାରେ ତାଙ୍କର କୌଣସି ଅସୁବିଧା ନଥିଲା। ତେବେ ତାଙ୍କୁ ବେଶି ଦିନ ଅପେକ୍ଷା କରିବାକୁ ପଡ଼ିନଥିଲା ଏବଂ ଖୁବ୍ ଶୀଘ୍ର ତାଙ୍କ ପାଖକୁ ନୂଆ କାମ ଆସିବା ଆରମ୍ଭ ହୋଇଥିଲା। ‘ଗ୍ୟାଙ୍ଗ୍ସ ଅଫ୍ ୱାସେପୁର 2’ ପରେ ନୱାଜୁଦ୍ଦିନ୍ ନିଜର ସ୍ୱତନ୍ତ୍ର ଅଭିନୟ ଶୈଳୀରେ ବଲିଉଡ୍ରେ ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି। ସ୍ୱାଧୀନ ସିନେମା ହେଉ କି ମୁଖ୍ୟଧାରାର ବଡ଼ ଫିଲ୍ମ, ବିଭିନ୍ନ ପ୍ରକାରର ଚରିତ୍ରରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି ଏହି ଅଭିନେତା।

ନୱାଜୁଦ୍ଦିନ୍ ଶେଷଥର ପାଇଁ ‘ମେଁ ଆକ୍ଟର ନହିଁ ହୁଁ’ ଫିଲ୍ମରେ ନଜର ଆସିଥିଲେ। ତାଙ୍କ ଅଭିନୟକୁ ପ୍ରଶଂସା ମିଳିଥିଲେ ମଧ୍ୟ ଫିଲ୍ମଟି ସମାଲୋଚକଙ୍କ ଠାରୁ ନକାରାତ୍ମକ ସମୀକ୍ଷା ପାଇଥିଲା। ଆଗକୁ ସେ ‘ତୁମ୍ବାଡ୍ 2’ରେ ନଜର ଆସିବେ। ଏହି ଫିଲ୍ମରେ ଆଲିଆ ଭଟ୍ଟ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିବେ। ଫିଲ୍ମଟି 3 ଡିସେମ୍ବର 2027ରେ ରିଲିଜ୍ ହେବାର ଯୋଜନା ରହିଛି। 200ଟି ସ୍କ୍ରିପ୍ଟ... ଟେବୁଲ୍ରେ ବ୍ଲାଙ୍କ ଚେକ୍... ତଥାପି ତରବରିଆ ନିଷ୍ପତ୍ତି ନେଇନଥିଲେ ନୱାଜୁଦ୍ଦିନ୍ ସିଦ୍ଦିକି। ସଠିକ୍ ଚରିତ୍ର ପାଇଁ ଅପେକ୍ଷା କରିବାର ତାଙ୍କ ନିଷ୍ପତ୍ତି ହିଁ ପ୍ରମାଣ କରୁଛି ଯେ, ତାଙ୍କ ପାଇଁ କେବଳ ସଫଳତା ନୁହେଁ, ଭଲ କାମ ହିଁ ସବୁଠାରୁ ବଡ଼ ପ୍ରାଥମିକତା।