ଭୁବନେଶ୍ୱର ୦୯।୦୧ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମଣ୍ଡିରେ ଚାଷୀଙ୍କୁ ହଇରାଣ କରିବା ଏବଂ ଧାନ ସଂଗ୍ରହ ନେଇ ନିର୍ବାଚନୀ ପ୍ରତିଶୃତିକୁ ପାଳନ କରିବା କ୍ଷେତ୍ରରେ ଚରମ ବିଫଳତା ସଂପର୍କରେ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ ।

ଏ ଖବର ବି ପଢନ୍ତୁ:- ଲଣ୍ଡାହେବାକୁ କହିଲା ମାଆ ଶୁଣିଲାନି ଝିଅ: ଖାଇଗଲେ ଖପୁରୀ, ଚାଲିଗଲା ଜୀବନ

ନବୀନ ପଟ୍ଟନାୟକ ନିଜ ଚିଠିରେ ଲେଖିଛନ୍ତି ଯେ, ଧାନ ସଂଗ୍ରହ ସମୟରେ ଆମ ରାଜ୍ୟର ଅନ୍ନଦାତାମାନେ କିପରି ବ୍ୟବସ୍ଥାଗତ ଶୋଷଣ ଓ ତତ୍‌ଜନିତ କଷଣର ସମ୍ମୁଖୀନ ହେଉଛନ୍ତି, ସେ ସମ୍ପର୍କରେ ଦୁଃଖର ସହ ମୁଁ ଆପଣଙ୍କ ଦୃଷ୍ଟି ଆକର୍ଷଣ କରୁଛି। କୃଷି ହେଉଛି ଓଡିଶାର ଜୀବନ ରେଖା। ତଥାପି ପ୍ରଶାସନିକ ଉଦାସୀନତା ଓ ଲୋକଙ୍କୁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପାଳନରେ ବିଫଳତା ଯୋଗୁ ଚଳିତ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଆମ ଚାଷୀଙ୍କ ପାଇଁ ଏକ ସଂଘର୍ଷମୟ ପରିସ୍ଥିତି ସୃଷ୍ଟି କରିଛି ।

୨୦୨୪ ନିର୍ବାଚନ ସମୟରେ ବିଜେପିର ନିର୍ବାଚନୀ ଇସ୍ତାହାରର ଦୁଇ ନମ୍ବର ପଏଣ୍ଟରେ ଧାନର ସର୍ବାଧିକ ସହାୟକ ମୂଲ୍ୟ ବୃଦ୍ଧି ଓ କଟନୀ-ଛଟନୀ ସମ୍ପୁର୍ଣ୍ଣ ବନ୍ଦ କରିବା ସମ୍ପର୍କରେ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ବାସ୍ତବ ସ୍ଥିତି ହେଉଛି ଯେ, ରାଜ୍ୟରେ ଥିବା ମଣ୍ଡି ଗୁଡିକ ଏବେ ନିର୍ଯାତନାର କେନ୍ଦ୍ର ପାଲଟିଛି। ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ  ବିଷୟ ଗୁଡିକରେ ଧ୍ୟାନ ଦିଅନ୍ତୁ।

କଟନୀ-ଛଟନୀ :

ଅନ୍ନଦାତା ମାନଙ୍କଠାରୁ ବିନା କୌଣସି ଅସୁବିଧାରେ ଧାନ ସଂଗ୍ରହ କରିବାକୁ ଆପଣଙ୍କ ସରକାର ପ୍ରତିଶ୍ରୁତି ଦେଇଥିବା ସତ୍ୱେ ଆଦ୍ରତା ଓ ନିମ୍ନ ମାନର ଧାନ ଆଦି ବିଭିନ୍ନ ଆଳରେ ସେମାନଙ୍କ ଠାରୁ କ୍ୱିଣ୍ଟାଲ ପିଛା ୫ ରୁ ୭ କେଜି ପର୍ଯ୍ୟନ୍ତ କଟନୀ-ଛଟନୀ କରିବା ପରିତାପର ବିଷୟ। ଅନେକ ଜିଲ୍ଲାରେ ଏଭଳି ଶୋଷଣ ଚାଷୀ ମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ମିଲର ଓ  ସ୍ଥାନୀୟ ଅଧିକାରୀମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଚାଷୀମାନେ ସେମାନଙ୍କ କଠିନ ପରିଶ୍ରମର ମୂଲ୍ୟ ପାଉନାହାନ୍ତି । ନିର୍ବାଚନ ସମୟରେ ବିଜେପି ଦେଇଥିବା ମିଥ୍ୟା ପ୍ରତିଶ୍ରୁତିର ଏହା ଏକ ଉଦାହରଣ ନୁହେଁ କି ? କେବେ ଏ କଟନୀ-ଛଟନୀ ବନ୍ଦ ହେବ ? ଆପଣଙ୍କ ସରକାର ନିର୍ବାଚନ ପ୍ରତିଶ୍ରୁତି କେବେ ପାଳନ କରିବ? ନିର୍ବାଚନ ଇସ୍ତାହାର ମୁତାବକ ଚାଷୀ କେବେ ନ୍ୟାୟ ପାଇବ ?

ଇନପୁଟ ସବ୍ସିଡି ପ୍ରଦାନ ପାଇଁ ୧୫୦ କ୍ୱିଣ୍ଟାଲ ସିଲିଙ୍ଗ୍ :

ରାଜ୍ୟର ସବୁ ଚାଷୀ ଭାଇ ଭଉଣୀଙ୍କୁ କ୍ୱିଣ୍ଟାଲ ପିଛା ଇନପୁଟ୍ ସବ୍ସିଡି ୮୦୦ ଟଙ୍କା ଲେଖାଏଁ ଦେବା ପାଇଁ ବିଜେପି ସରକାର ଘୋଷଣା କରିଥିଲେ। କିନ୍ତୁ ନିକଟରେ ଆପଣଙ୍କ ସରକାର ଏହି ସବ୍‌ସିଡି ପାଇଁ ଚାଷୀ  ପିଛା  ସର୍ବାଧିକ ୧୫୦ କ୍ୱିଣ୍ଟାଲ ସିଲିଙ୍ଗ୍ ଧାର୍ଯ୍ୟ କରିବା ପ୍ରତିଶ୍ରୁତି ଭଙ୍ଗର ନିଛକ ଉଦାହରଣ। ଏହି ସିଲିଙ୍ଗ୍ ଅଧିକ ଉତ୍ପାଦନ କରୁଥିବା ଚାଷୀ ମାନଙ୍କ ପାଇଁ ଦଣ୍ଡ ସ୍ୱରୁପ ଏବଂ ଏହା ବିଜେପେ ସଂକଳ୍ପ ପତ୍ରର ବିରୁଦ୍ଧାଚରଣ କରୁଛି। ଚାଷୀଙ୍କୁ ସେମାନଙ୍କର ସମଗ୍ର ଉତ୍ପାଦନ ଉପରେ ୩୧୦୦ ଟଙ୍କା ଇନପୁଟ୍ ସବ୍ସିଡି ଦେବା ପାଇଁ ଘୋଷଣାରୁ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ? ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିକଟରେ ଭାରତ ସରକାର ଧାନର ସଂଗ୍ରହ ମୂଲ୍ୟରେ ୬୯ ଟଙ୍କା ବୃଦ୍ଧି କରିଛନ୍ତି । ଓଡିଶାର ଚାଷୀଙ୍କୁ ଏହି ବର୍ଦ୍ଧିତ ୬୯ ଟଙ୍କା ନ ଦେବା ଏକ ପ୍ରତାରଣା ନୁହେ କି ?