ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ପ୍ରାକୃତିକ ବାଷ୍ପର ସନ୍ଧାନ ମିଳିବା ନେଇ ଖବର ଆସିବା ପରେ ବେଶ୍ କିଛି ଉତ୍ସାହ ଦେଖାଦେଇଛି । ମହାନଦୀ ଅବବାହିକାରେ କୋଣାର୍କ ଠାରୁ ୪୩ କିଲୋମିଟର ଦୂର ସମୁଦ୍ର ମଧ୍ୟରେ ଏହି କୂପରୁ ପ୍ରାକୃତିକ ବାଷ୍ପର ସନ୍ଧାନ ମିଳିଛି । ଯେତେବେଳେ ବିଶ୍ୱ ଶକ୍ତି ସଂକଟ ଦେଇ ଗତି କରୁଛି ଶକ୍ତି ସମସ୍ୟାର ସମାଧାନ ସୂତ୍ର ଖୋଜୁଛି ଭାରତ ସେତେବେଳେ ଏହି କୂପ ଦେଶର ସଂକଟ ଦୂର କରିବ ।

ଦେଶବ୍ୟାପୀ ଚହଳ ପଡ଼ିଛି । ଓଡ଼ିଶା ଉପକୂଳରେ ମିଳିଛି ଗ୍ୟାସ ଭଣ୍ଡାର । ଦେଶର ଶକ୍ତି ସଙ୍କଟରୁ ମିଳିବ ବଡ଼ ଆଶ୍ୱସ୍ତି । ମହାନଦୀ ଅବବାହିକାରେ ମିଳିଛି ପ୍ରାକୃତିକ ଗ୍ୟାସ ଭଣ୍ଡାର । ସୋମବାର ଠାରୁ ଅଏଲ୍ ଆଣ୍ଡ ନାଚୁରାଲ ଗ୍ୟାସ କର୍ପୋରେସନ ଲିମିଟେଡର ଏହି ସନ୍ଧାନ ବାବଦରେ ଖବର ଆସିବା ପରେ ଦେଶ ବ୍ୟାପୀ ଦେଖାଦେଇଛି ଉତ୍ସାହ । କୋଣାର୍କରୁ ୪୩ କିଲୋମିଟର ଦୂର ସମୁଦ୍ର ଭିତରେ ଚାଲିଥିଲା ଖନନ କାର୍ଯ୍ୟ । ପ୍ରଥମ କୂପ ଯାହାର ନାଁ ରହିଛି ‘MN-DW18-1-H-D’ ତାକୁ ପ୍ରାୟ ୧,୬୨୩ ମିଟର ଗଭୀରତା ପର୍ଯ୍ୟନ୍ତ ଖୋଳିବାର ଯୋଜନା ଥିଲା । ତେବେ ସେପ୍ଟେମ୍ବର ୧୮ ତାରିଖରେ ୧,୪୪୧ରୁ ୧,୪୫୨ ମିଟର ଗଭୀରତାରେ ଆସିଥିଲା ସଫଳତା । ସେଠାରୁ ଆବଶ୍ୟକତାରୁ ଅଧିକର ଚାପ ଏବଂ ମାନର ତୈଳ ବାଷ୍ପ ନିର୍ଗତ ହୋଇଛି । ଏବେ ଏହାର ମୂଲ୍ୟାୟନ କରାଯିବା ପରେ ଏନେଇ ଅଧିକ ପଦକ୍ଷେପ ଗ୍ରହଣ କରାଯିବ । ଓଡ଼ିଶାର ଶିଳ୍ପାନ୍ୱୟନ ପ୍ରକ୍ରିୟାରେ ଏହା ବଡ଼ ପ୍ରଭାବ ପକାଇବାର ସମ୍ଭାବନା ରହିଛି ।

Also Read:ମହାନଦୀ ଅବବାହିକାରେ ପ୍ରାକୃତିକ ଗ୍ୟାସର ଭଣ୍ଡାର, ସନ୍ଧାନ ପାଇଲା ONGC

ଓଡ଼ିଶା ସମେତ ଦେଶର ଉପକୂଳ ଅଞ୍ଚଳରେ ତୈଳ ଓ ପ୍ରାକୃତିକ ବାଷ୍ପର ସନ୍ଧାନ ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏକ ବଡ଼ ପ୍ରକଳ୍ପର ଆରମ୍ଭ କରିଥିଲେ । ସେତେବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଥିଲେ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର କେନ୍ଦୁଝର-ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାରେ ଖନନ କାର୍ଯ୍ୟ ପାଇଁ ଶହେ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହା ପରେ ସମୁଦ୍ର ଭିତରେ ଖନନ ପାଇଁ ସମୁଦ୍ର ମନ୍ଥନ ଯୋଜନାର ଆରମ୍ଭ ହୋଇଥିଲା । ଏଥିପାଇଁ ପାଖାପାଖି ୮୪ ହଜାରରୁ ଅଧିକ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ଏଥିରେ ଆଣ୍ଡାମାନ ନିକୋବର ନିକଟ ସମୁଦ୍ରରୁ ତୈଳ ସନ୍ଧାନ ମିଳିଥିବା ବେଳେ ଏବେ ମହାନଦୀ ବେସିନରୁ ଗ୍ୟାସ ସନ୍ଧାନ ମିଳିବା ଉତ୍ସାହ ପ୍ରଦ ହୋଇଛି । ଧର୍ମେନ୍ଦ୍ର ପ୍ରଧାନ ଏହି ଖବରକୁ ଟ୍ବିଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମକୁ ଧନ୍ୟବାଦ ଜଣାଯାଇଛି ।

ଗୋଟିଏ ପଟେ ପାରାଦୀପ ତୈଳ ବିଶୋଧନାଗାର କାର୍ଯ୍ୟକ୍ଷମ ହେବା ପରଠାରୁ ପୂର୍ବ ଓଡ଼ିଶାରେ ଶିଳ୍ପର ବଡ଼ ପ୍ରଗତିର ସମ୍ଭାବନା ସୃଷ୍ଟି ହୋଇଛି । ସେହିପରି ଏହି କୂପରୁ ଯଦି ଆଶାନୁରୂପ ଗ୍ୟାସ ଉତ୍ତୋଳନ ହୁଏ ଏହା ଓଡ଼ିଶା ପାଇଁ ବଡ଼ ଫାଇଦା ହେବ ।