ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲର ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଥିଲା । ଏହି ଭୂମିକମ୍ପ ପରେ ପ୍ରଶାସନ ପକ୍ଷରୁ ସୁନାମୀ ସତର୍କତା ମଧ୍ୟ ଜାରି କରାଯାଇଛି। ନ୍ୟୁଜିଲ୍ୟାଣ୍ଡର ସାଉଥ୍ ଆଇଲ୍ୟାଣ୍ଡରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ 'ତେ ଆନାଉ' (Te Anau) ଠାରୁ ପ୍ରାୟ ୪୦ କିଲୋମିଟର ଉତ୍ତରରେ ଏହି ଭୂକମ୍ପର କେନ୍ଦ୍ରବିନ୍ଦୁ ଥିଲା।  ଜିଓନେଟ୍ ଏବଂ ଜାତୀୟ ଜରୁରୀକାଳୀନ ପରିଚାଳନା ସଂସ୍ଥା ଅନୁଯାୟୀ, ଭୂକମ୍ପର ତୀବ୍ରତା ୬.୩ ଥିଲା। ତେବେ ପରବର୍ତ୍ତୀ ସମୟରେ ବୈଜ୍ଞାନିକମାନେ ଏହାକୁ ସଂଶୋଧନ କରିଛନ୍ତି।  

ଭୂପୃଷ୍ଠଠାରୁ ପ୍ରାୟ ୫୩ କିଲୋମିଟର ଗଭୀରରେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା। ମୁଖ୍ୟ ଭୂକମ୍ପ ପରେ ସେହି ଅଞ୍ଚଳରେ ୩.୩ ରୁ ୪.୩ ତୀବ୍ରତାର ଆଉ କେତେକ ଛୋଟ ଛୋଟ ଭୂକମ୍ପ ଝଟକା ମଧ୍ୟ ରେକର୍ଡ କରାଯାଇଛି।  ଭୂକମ୍ପର ପ୍ରଭାବକୁ ଦେଖି ନ୍ୟୁଜିଲ୍ୟାଣ୍ଡର ନ୍ୟାସନାଲ୍ ଇମରଜେନ୍ସି ମ୍ୟାନେଜମେଣ୍ଟ ଏଜେନ୍ସି ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମୀ ସତର୍କତା ଜାରି କରିଛି । ବିଶେଷ କରି ମିଲଫୋର୍ଡ ସାଉଣ୍ଡ ଠାରୁ ପୁଇସେଗୁର ପଏଣ୍ଟ ପର୍ଯ୍ୟନ୍ତ ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ତୁରନ୍ତ ଉଚ୍ଚ ସ୍ଥାନକୁ ଚାଲିଯିବା ପାଇଁ କୁହାଯାଇଛି। 

ସମୁଦ୍ରରେ ବଡ଼ ଜୁଆର ଆଶଙ୍କା ନଥିବାରୁ ପରେ ସୁନାମି 'ୱାର୍ଣ୍ଣିଂ'କୁ 'ଆଡଭାଇଜରୀ' (ସାଧାରଣ ସତର୍କ ସୂଚନା)କୁ ବଦଳାଇ ଦିଆଯାଇଛି। ତଥାପି, ସମୁଦ୍ରରେ ଅସ୍ବାଭାବିକ ଏବଂ ଶକ୍ତିଶାଳୀ ଜୁଆର ସୃଷ୍ଟି ହୋଇପାରେ, ଯାହା ସନ୍ତରଣକାରୀ ଓ ମତ୍ସ୍ୟଜୀବୀଙ୍କ ପାଇଁ ବିପଦଜନକ ହୋଇପାରେ। ତେଣୁ ଲୋକଙ୍କୁ ସମୁଦ୍ର କୂଳ, ନଦୀ ଓ ବେଳାଭୂମିଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଶକ୍ତିଶାଳୀ ଝଟକା ଫଳରେ ଦେଶର ପ୍ରାୟ ୧୮,୦୦୦ ରୁ ଅଧିକ ଲୋକ ଭୂକମ୍ପ ଅନୁଭବ କରିଥିବା ନେଇ ରିପୋର୍ଟ କରିଛନ୍ତି।  

ଦକ୍ଷିଣ ଦ୍ୱୀପର ଓଟାଗୋ, ସାଉଥଲ୍ୟାଣ୍ଡ ଏବଂ କ୍ୟାଣ୍ଟରବରୀ ଭଳି ଅନେକ ଅଞ୍ଚଳରେ ଲୋକମାନେ ଦୀର୍ଘ ସମୟ ଧରି ଜୋରଦାର ଝଟକା ଅନୁଭବ କରିଥିଲେ।  ସୁରକ୍ଷା ଦୃଷ୍ଟିରୁ କୁଇନ୍ସଟାଉନର ଏଡିଥ୍ କାଭେଲ୍ ବ୍ରିଜ୍‌କୁ ଇଞ୍ଜିନିୟରମାନଙ୍କ ଦ୍ବାରା ଯାଞ୍ଚ କରାଯିବା ପାଇଁ ସାମୟିକ ଭାବେ ବନ୍ଦ କରାଯାଇଛି। ଏହା ସହ ରାସ୍ତାରେ ପଥର କିମ୍ବା ମାଟି ଧସିବା ଆଶଙ୍କା ଥିବାରୁ ଗାଡ଼ି ଚାଳକମାନଙ୍କୁ ସତର୍କତାର ସହ ଯାତ୍ରା କରିବାକୁ କୁହାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ପ୍ରାଣହାନୀର ସୂଚନା ମିଳିନାହିଁ।