ମୁମ୍ୱାଇ: ପ୍ରଥମେ ମହିଳାଙ୍କ ସହ ଅସଦାଚରଣ, ପ୍ରତିବାଦ କରିବାରୁ ଗୋଟିଏ ପରିବାରକୁ ୧୫ କିଲୋମିଟର ପର୍ଯ୍ୟନ୍ତ ଗୋଡ଼ାଇ ଲୁହା ରଡରେ ଆକ୍ରମଣ । ଏହି ଘଟଣାରେ ରାସ୍ତା ଉପରେ ଆତଙ୍କ ଖେଳାଇଥିବା ୯ ଜଣଙ୍କୁ ପୋଲିସ ଗିରଫ କରିଛି ।ଏହି ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦୁଇଜଣ ବ୍ୟକ୍ତି ବାଇକରେ ଆସୁଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଲୁହା ରଡ୍ ଧରି ପରିବାରର କାରକୁ ଗୋଡ଼ାଉଥିବା ଦେଖିବାକୁ ମିଳୁଛି । ପୋଲିସ ସୂଚନା ଅନୁସାରେ, ଏହି ମାମଲାରେ ସଂପୃକ୍ତ ଥିବା ଅନ୍ୟ ତିନିଜଣ ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି ।

ରିପୋର୍ଟ ଅନୁଯାୟୀ, ଘଟଣାଟି ରବିବାର ଘଟିଥିଲା ​। ୪୪ ବର୍ଷୀୟ ମହିଳା ତାଙ୍କ ସ୍ୱାମୀ, ପୁଅ, ଝିଅ, ଭାଇ ଏବଂ ଦୁଇ ଭଣଜାଙ୍କ ସହିତ ଭାବଲି ଡ୍ୟାମ ନିକଟବର୍ତ୍ତୀ ଜଳପ୍ରପାତ ବୁଲିବାକୁ ଯାଇଥିଲେ । ପୀଡ଼ିତାଙ୍କ ଝିଅ କହିଛନ୍ତି, "ରବିବାର, ଆମେ ଭାବଲି ଡ୍ୟାମ୍ ନିକଟରେ ଏକ ସ୍ଥାନରେ ଥିଲୁ । ଫେରିବା ବାଟରେ ଦୁଇ ଜଣ ଯୁବକ ମୋ ମାଆଙ୍କୁ ହଇରାଣ କଲେ । ମାଆ ସେମାନଙ୍କୁ ତାଗିଦ୍ କଲେ । ମୋ ବାପା ସେମାନଙ୍କୁ ଚାପୁଡ଼ା ମାରିଲେ । ଏହା ପରେ ସେମାନେ ଦୌଡ଼ି ପଳାଇଗଲେ । ତା'ପରେ ନିକଟସ୍ଥ ଏକ ଝୁମ୍ପୁଡ଼ିର ସ୍ଥାନୀୟ ଲୋକମାନେ ଆସି ପିଲମାନେ ସେମାନଙ୍କ ଗାଁର ବୋଲି କହିଲେ । ଆମେ ଫେରିବା ପାଇଁ ଉଦ୍ୟମ କରିବା ବେଳେ ସେହି ଗୋଷ୍ଠୀ ଗାଡ଼ି ଉପରେ ଆକ୍ରମଣ କରିଥିଲେ ।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଦୁଇଜଣ ଯୁବକ ତାଙ୍କୁ ହ୍ୱିସିଲ୍ ମାରିବା ସହିତ ଅଶ୍ଳୀଳ ଟିପ୍ପଣୀ କରିଥିଲେ । ପରିବାର ହସ୍ତକ୍ଷେପ କରିବା ପରେ, ଅଭିଯୁକ୍ତମାନେ ସେମାନଙ୍କୁ ଆକ୍ରମଣ କରିଥିଲେ । ମହିଳାଙ୍କ ପୋଷାକ ଚିରି ଦେଇଥିଲେ ଏବଂ ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ । ଆହୁରି ମଧ୍ୟ ଅଭିଯୋଗ କରାଯାଇଛି ଯେ ଯେତେବେଳେ ତାଙ୍କ ସ୍ୱାମୀ ଫୋନ୍ ଆଣିବାକୁ ଚେଷ୍ଟା କରିଥିଲେ, ତାଙ୍କୁ ଆକ୍ରମଣ କରାଯାଇଥିଲା ଏବଂ ତାଙ୍କର ୨୦ ଗ୍ରାମ ସୁନା ଚେନ୍ ଛଡ଼ାଇ ନିଆଯାଇଥିଲା ।

ପରିବାର ସଦସ୍ୟମାନେ କୌଣସି ପ୍ରକାରେ ନିଜ କାର୍ ଭିତରକୁ ପଶି ସେଠାରୁ ବାହାରି ଆସିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅଭିଯୁକ୍ତମାନେ ବାଇକ୍ ଯୋଗେ ପ୍ରାୟ ୧୫ କିଲୋମିଟର ପର୍ଯ୍ୟନ୍ତ ସେମାନଙ୍କ ଗାଡ଼ି ପଛରେ ଗୋଡ଼ାଇଥିଲେ । ଏହି ସମୟରେ, ବାଇକ୍‌ରେ ପଛରେ ବସିଥିବା ଜଣେ ବ୍ୟକ୍ତି ଲୁହା ରଡ୍ ସାହାଯ୍ୟରେ କାର୍‌ ଉପରକୁ ଆକ୍ରମଣ ମଧ୍ୟ କରିଥିଲେ । ସେହି ସମୟ ଭୟଙ୍କର ଦୃଶ୍ୟକୁ ପୀଡ଼ିତ ପରିବାର ସଦସ୍ୟ ନିଜ କ୍ୟାମେରାରେ କଏଦ କରିଥିଲେ ।

ନାସିକ ଗ୍ରାମାଞ୍ଚଳ ଏସପି ଡିଏସ ସ୍ୱାମୀ କହିଛନ୍ତି, "ଏଫଆଇଆର୍ ପରେ, ଆମେ ଭିଡିଓ ଫୁଟେଜ୍ ସହ ଅନ୍ୟ ବୈଷୟିକ ତଦନ୍ତ କରିଛୁ । ଏପର୍ଯ୍ୟନ୍ତ ୯ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛୁ । ମୂଳ ଏଫଆଇଆରରେ ୬ କିମ୍ବା ୭ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ନାଁ ଥିଲା । ଏହି ଘଟଣାରେ ସହଯୋଗୀ ଭାବରେ କାର୍ଯ୍ୟ କରିଥିବା ଲୋକଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ପରିସରକୁ ବଢାଇଛୁ ।" ସେ ଆହୁରି କହିଛନ୍ତି, "ଅସଦାଚରଣ, ହତ୍ୟା ଉଦ୍ୟମ ଏବଂ ଡକାୟତି ମାମଲା ରୁଜୁ କରାଯାଇଛି । ଗିରଫ ହୋଇଥିବା ସମସ୍ତ ବ୍ୟକ୍ତି ଗିର୍ନାରେ, ନନ୍ଦଗାଓଁ ସାଡୋ ଏବଂ ମାଣିକଖମ୍ବ ଗଁ ଏବଂ ନିକଟବର୍ତ୍ତୀ ଅଞ୍ଚଳର । ଭିଡିଓ ଫୁଟେଜରୁ ଅନ୍ୟ କିଛି ୬-୭ ଜଣ ଦୁର୍ବୃତ୍ତଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି । ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣଙ୍କ ନାଁରେ ପୂର୍ବରୁ ଏକ ହତ୍ୟା ମାମଲା ରହିଛି ।