ୱାସିଂଟନ: ଆମେରିକାରେ ଆଜିକାଲି ଆଣ୍ଟେଷ୍ଟାଇନ ସମ୍ପର୍କିତ ବେମାରୀ ସାଇକ୍ଲୋସ୍ପୋରିୟାସିସ୍ ତୀବ୍ର ସଂକ୍ରମଣ ହେଉଛି। ଏପର୍ଯ୍ୟନ୍ତ ଏହି ରୋଗରେ ୪୧ ରାଜ୍ୟର ହଜାର ହଜାର ଲୋକେ ସଂକ୍ରମିତ ହୋଇଛନ୍ତି। ଆମେରିକା ଇତିହାସରେ ଏହା ଏପର୍ଯ୍ୟନ୍ତର ସବୁଠୁ ବଡ଼ ପ୍ରକୋପ ବୋଲି କୁହାଯାଉଛି। ଏଥିରେ ସଂକ୍ରମିତ ଲୋକେ ଦିନକୁ ୧୫ରୁ ୨୦ ଥର ବାଥରୁମ ଯାଉଛନ୍ତି। ଶରୀରକୁ ସାଇକ୍ଲୋସ୍ପୋରା ପାରାସାଇଟ୍ ପ୍ରବେଶ ଯୋଗୁ ଏହି ରୋଗ ବ୍ୟାପୁଛି। ଏହାର ଲକ୍ଷଣରେ ଲୋକେ ଝାଡା ରୋଗରେ ଆକ୍ରାନ୍ତ ହେଉଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦେଶରେ ସର୍ବାଧିକ ମିଚିଗାନରେ ୭ହଜାର ଲୋକେ ଆକ୍ରାନ୍ତ ହୋଇଛନ୍ତି। ଏହି ପାରାସାଇଟ୍ ସଂକ୍ରମିତ ନିକ୍ ପାଲ୍ମିଟର କହିଛନ୍ତି ଯେ ଜୁଲାଇ ପହିଲାରେ ସେ ପ୍ରଥମେ ଆକ୍ରାନ୍ତ ହେବା ବେଳେ ଏଥିପ୍ରତି ଏତେଟା ଧ୍ୟାନ ଦେଇ ନଥିଲେ। ସେ ଭାବିଥିଲେ ଏହା ସାଧାରଣ ଝାଡା ରୋଗ ଓ ସେ ଠିକ୍ ହୋଇଯିବେ। ହେଲେ ତାଙ୍କଠାରେ ଲକ୍ଷଣ ଲାଗି ରହିଥିଲା। ଯେପରି ଦିନ ଗଡିବାରେ ଲାଗିଲା ପେଟ କାଟିବା ଯନ୍ତ୍ରଣାଦାୟକ ହୋଇଥିଲା। ପରେ ଜଣେ ସହକର୍ମୀଙ୍କ ପରାମର୍ଶରେ ସେ ହସ୍ପିଟାଲରେ ଆଡମିଟ ହୋଇଥିଲେ।

ଏଥିରେ ଅନ୍ୟଜଣେ ବ୍ୟକ୍ତି କହିଛନ୍ତି ଯେ ଏହି ସଂକ୍ରମଣକୁ ନେଇ ଲୋକେ ଏତେ ଆତଙ୍କିତ ହୋଇପଡିଛନ୍ତି ଯେ ସରକାର ଏହି ରୋଗ ନିୟନ୍ତ୍ରଣ କରିବାକୁ ଠିକରେ ପ୍ରତିକ୍ରିୟା ଦେଇ ପାରୁନାହାନ୍ତି। ଲୋକେ ବେମାରୀକୁ ନେଇ ଯାହା ବି ସୂଚନା ଦେଉଛନ୍ତି ତା ଉପରେ ଆଦୌ ଭରସା କରି ହେଉନି। ଫୁଡ ଆଣ୍ଡ ଡ୍ରଗ ଆଡମିନେଷ୍ଟ୍ରେସନ ଅନୁସାରେ ସଂକ୍ରମଣ ସମ୍ପର୍କରେ ସର୍ବ ପ୍ରଥମେ ମେ ୧୩ ତାରିଖରେ ଜଣାପଡିଥିଲା। ସେବେଠାରୁ ମାମଲା ସଂଖ୍ୟା ଦେଶରେ ବଢିବଢି ଚାଲିଛି।

ଏହି ସଂକ୍ରମଣକୁ ନେଇ ରହସ୍ୟ ମଧ୍ୟ ଗଭୀର ହେବାରେ ଲାଗିଛି। ସାରା ଦେଶରେ ଥିବା ରେଷ୍ଟୁରାଣ୍ଟ ଓ ବଡ ରିଟେଲର୍ସ ଯେପରିକି ୱାଲମାର୍ଟ, ଜ୍ୟାକ୍ ଇନ ଦି ବକ୍ସ ଓ ଟେକୋୱେଲ ଆଦି ସେମାନଙ୍କ ଷ୍ଟୋରରୁ ଖାଇବା ପିଇବା ସାମଗ୍ରୀ ହଟାଇ ଦେଇଥିବା ଘୋଷଣା କରିଛନ୍ତି। ବ୍ୟାପୁଥିବା ସଂକ୍ରମଣରେ ସାବଧାନତା ଅବଲମ୍ବନ ନିମନ୍ତେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ରେଷ୍ଟୁରାଣ୍ଟ ଚେନ କହିଛନ୍ତି। ବିଶେଷ କରି ଏକ ସାଲାଡ ପତ୍ର ଯୋଗୁ ଏହି ରୋଗ ସଂକ୍ରମଣ ହେଉଥିବା ଆଶଙ୍କା କରାଯାଉଛି। ତେବେ ଦୀର୍ଘ ମାସ ପରେ ବି ସାଇକ୍ଲୋସ୍ପୋରାର ଅସଲି ସ୍ରୋତ କଣ ତାହା ଜଣାପଡି ନାହିଁ।