ଢାକା: ପ୍ରାୟ ସାତ ମାସର ବିରତି ପରେ ବାଂଲାଦେଶ ସୀମା ନିକଟବର୍ତ୍ତ ରାଖାଇନ ରାଜ୍ୟରେ ଏୟାର ଷ୍ଟ୍ରାଇକ୍ କଲା ମିଆଁମାର ସେନା। ଏହି ଆକ୍ରମଣର ବିସ୍ଫୋରଣ ଶବ୍ଦ ବାଂଲାଦେଶର କକ୍ସବଜାର ଜିଲ୍ଲାର ଟେକନାଫ୍ ସୀମାର ବିଭିନ୍ନ ଅଞ୍ଚଳରେ ପର୍ଯ୍ୟନ୍ତ ଶୁଣାଯାଇଥିଲା। ବୁଧବାର (ଜୁଲାଇ ୧) ରାତିରେ ଏହି ଏୟାରଷ୍ଟ୍ରାଇକ୍ କରାଯାଇଥିବା ବେଳେ ସୀମାବର୍ତ୍ତୀ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାତି ପ୍ରାୟ ସାଢ଼େ ୯ଟା ବେଳେ ଲଗାତାର ୪ଟି ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ଏହା ଏତେ ଭୟଙ୍କର ଥିଲା ଯେ ଟେକନାଫ୍‌ର ଜାଦିମୁରାରୁ ଠାରୁ ଶାହ ପୋରିର ଦ୍ୱୀପ ପର୍ଯ୍ୟନ୍ତ ଥିବା ଘରଗୁଡ଼ିକ ଥରି ଉଠିଥିଲା। ପ୍ରଚଣ୍ଡ ଶବ୍ଦରେ ଲୋକେ ଭୟଭୀତ ହୋଇ ଘରୁ ବାହାରି ଆସି ଯିଏ ଯୁଆଡ଼େ ପାରିଥିଲେ ଦୌଡ଼ି ପଳାଇଥିଲେ। ନାଫ୍ ନଦୀର ଅପର ପାର୍ଶ୍ୱରେ ହଠାତ ପ୍ରଚଣ୍ଡ ନିଆଁ ଜଳି ଉଠିଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସ୍ଥାନୀୟ ସୂତ୍ର ଅନୁଯାୟୀ, ବୁଧବାର ସକାଳେ ମିଆଁମାର ସେନା ରାଖାଇନ୍ ରାଜ୍ୟର ବୁଥିଡାଉଙ୍ଗ ଏବଂ ମାଉଙ୍ଗଡାଉ ଅଞ୍ଚଳରେ ମଧ୍ୟ ବିମାନ ଆକ୍ରମଣ କରିଥିଲା। ଏଥିରେ ଅନେକ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏନେଇ କୌଣସି ଯାଞ୍ଚ କରାଯାଇ ନାହିଁ।

ଏହାପୂର୍ବରୁ ଗତ ବର୍ଷ ଡିସେମ୍ବର ୨୮ରେ ସୀମାରେ ଶେଷ ଥର ପାଇଁ ବଡ଼ ଧରଣର ଉତ୍ତେଜନା ଦେଖାଦେଇଥିଲା। ସେତେବେଳେ ଆରାକାନ ଆର୍ମି ଏବଂ ମିଆଁମାର ସେନା ମଧ୍ୟରେ ଘମାଘୋଟ ସଂଘର୍ଷ ଓ ବୋମାମାଡ଼ ବାଂଲାଦେଶର ଉଖିଆ-ଟେକନାଫ୍ ସୀମାକୁ ଅସ୍ତବ୍ୟସ୍ତ କରିପକାଇଥିଲା।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗତ କିଛି ମାସ ଧରି ଆରାକାନ ଆର୍ମି ନିୟନ୍ତ୍ରଣାଧୀନ ରାଖାଇନ୍ ଅଞ୍ଚଳରେ ମିଆଁମାର ସେନାର କାର୍ଯ୍ୟକଳାପ ତୁଳନାମୂଳକ ଭାବେ କମ୍ ରହିଥିଲା। କିନ୍ତୁ ବୁଧବାର ସକାଳେ ବୁଥିଡାଉଙ୍ଗ ଅଞ୍ଚଳରେ ପୁଣିଥରେ ବିମାନ ଆକ୍ରମଣ ଆରମ୍ଭ ହୋଇଯାଇଛି। ଟେକନାଫ୍ ଉପଜିଲ୍ଲା ନିର୍ବାହୀ ଅଧିକାରୀ (ୟୁଏନ୍ଓ) ଏସ୍. ଏମ୍. ଆନିକ୍ ଚୌଧୁରୀ କହିଛନ୍ତି ଯେ, ମିଆଁମାର ଭିତରୁ ଆସୁଥିବା ବିସ୍ଫୋରଣର ଶବ୍ଦ ଟେକନାଫ୍ ସୀମାରେ ସ୍ପଷ୍ଟ ଭାବେ ଶୁଣାଯାଇଛି। ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ସୀମାବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଅଯଥା ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି।

ମ୍ୟାଁମାରର ରାଖାଇନ୍ ରାଜ୍ୟକୁ ନେଇ ବିବାଦ ବହୁ ବର୍ଷ ଧରି ଚାଲିଆସୁଛି। ଏହା ଏକାଧିକ ପ୍ରସଙ୍ଗ ଜାତିଗତ ପରିଚୟ, ସ୍ୱାୟତ୍ତଶାସନ, ସାମରିକ ଶାସନ ଏବଂ ରୋହିଙ୍ଗ୍ୟା ସଙ୍କଟ ସହ ଜଡ଼ିତ ରହିଛି। ରାଖାଇନ୍ ମିଆଁମାରର ପଶ୍ଚିମ ଉପକୂଳରେ ଅବସ୍ଥିତ ଏକ ରାଜ୍ୟ। ଏହାର ପଶ୍ଚିମରେ ବାଂଲାଦେଶ ସୀମା ଏବଂ ବଙ୍ଗୋପସାଗର ରହିଛି। ଏହି ଅଞ୍ଚଳ ରଣନୈତିକ ଓ ବାଣିଜ୍ୟିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ବିବାଦର ମୂଳ କାରଣ କ'ଣ?

ରାଖାଇନରେ ମୁଖ୍ୟତଃ ଦୁଇଟି ସମସ୍ୟା ରହିଛି। ଗୋଟିଏ ହେଲା ଆରାକାନ ଆର୍ମି ନାମକ ସଶସ୍ତ୍ର ବିଦ୍ରୋହୀ ସଂଗଠନ ରାଖାଇନ୍ ଅଞ୍ଚଳ ପାଇଁ ଅଧିକ ସ୍ୱାୟତ୍ତଶାସନ କିମ୍ବା ସ୍ୱଶାସନ ଦାବି କରୁଛି। ଅନ୍ୟପଟେ ମିଆଁମାରର ସେନା (Junta) ଏହି ଅଞ୍ଚଳ ଉପରେ ନିଜର ନିୟନ୍ତ୍ରଣ ବଜାୟ ରଖିବାକୁ ଚାହୁଁଛି। ଏହି କାରଣରୁ ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ଦିନ ଧରି ସଶସ୍ତ୍ର ସଂଘର୍ଷ ଚାଲିଛି।

ଆରାକାନ ଆର୍ମି କିଏ?

Arakan Army ହେଉଛି ମିଆଁମାରର ଏକ ପ୍ରମୁଖ ଜାତିଗତ ସଶସ୍ତ୍ର ସଂଗଠନ। ଏହା ରାଖାଇନ୍ ଜନଜାତିର ଅଧିକାର ଏବଂ ସ୍ୱାୟତ୍ତଶାସନ ପାଇଁ ଲଢ଼ୁଛି। ଗତ କିଛି ବର୍ଷରେ ଏହି ସଂଗଠନ ରାଖାଇନ୍ର ବଡ଼ ଅଞ୍ଚଳ ଉପରେ ନିଜର ନିୟନ୍ତ୍ରଣ ବଢ଼ାଇଛି। ରାଖାଇନ୍ ରାଜ୍ୟରେ ବହୁ ସଂଖ୍ୟକ ରୋହିଙ୍ଗ୍ୟା ମୁସଲିମ ମଧ୍ୟ ବସବାସ କରୁଥିଲେ। ୨୦୧୭ରେ ମିଆଁମାର ସେନାର ବଡ଼ ଅଭିଯାନ ପରେ ପ୍ରାୟ ୭ ଲକ୍ଷରୁ ଅଧିକ ରୋହିଙ୍ଗ୍ୟା ବାଂଲାଦେଶକୁ ପଳାଇଥିଲେ। ସେହି ଘଟଣାକୁ ନେଇ ଆନ୍ତର୍ଜାତିକ ସ୍ତରରେ ତୀବ୍ର ସମାଲୋଚନା ହୋଇଥିଲା।

ବର୍ତ୍ତମାନ କାହିଁକି ସଂଘର୍ଷ ବଢ଼ୁଛି?

୨୦୨୧ରେ ମିଆଁମାରରେ ସେନା କ୍ଷମତା ଦଖଲ (Military Coup) ପରେ ଦେଶର ବିଭିନ୍ନ ଅଞ୍ଚଳରେ ସଂଘର୍ଷ ବଢ଼ିଛି। ରାଖାଇନ୍ରେ ମଧ୍ୟ ଆରାକାନ ଆର୍ମି ଏବଂ ସେନା ମଧ୍ୟରେ ଯୁଦ୍ଧ ତୀବ୍ର ହୋଇଛି। ଅନେକ ସହର ଓ ସାମରିକ ଶିବିର ଆରାକାନ ଆର୍ମି ନିୟନ୍ତ୍ରଣକୁ ଆସିଥିବା ବେଳେ, ସେନା ବିମାନ ଆକ୍ରମଣ ଏବଂ ଭାରୀ ଅସ୍ତ୍ର ବ୍ୟବହାର କରୁଛି।

ବାଂଲାଦେଶ କାହିଁକି ପ୍ରଭାବିତ ହେଉଛି?

ରାଖାଇନ୍ ରାଜ୍ୟ ବାଂଲାଦେଶ ସୀମା ସହ ଲାଗିଥିବାରୁ ବିସ୍ଫୋରଣର ଶବ୍ଦ ଏବଂ କେତେକ ସମୟରେ ଗୁଳି କିମ୍ବା ମୋର୍ଟାର ସେଲ୍ ସୀମା ପାର ହୋଇ ବାଂଲାଦେଶ ଭିତରକୁ ଆସିପଡ଼େ। ଏଥିସହ ନୂଆ ଶରଣାର୍ଥୀ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି। ରାଖାଇନ୍ ବିବାଦ କେବଳ ଏକ ସୀମା ବିବାଦ ନୁହେଁ। ଏହା ଜାତିଗତ ଅଧିକାର, ସ୍ୱାୟତ୍ତଶାସନ, ସାମରିକ ଶାସନ, ରୋହିଙ୍ଗ୍ୟା ସଙ୍କଟ ଏବଂ ଆଞ୍ଚଳିକ ସୁରକ୍ଷା ସହ ଜଡ଼ିତ ଏକ ଜଟିଳ ସଂଘର୍ଷ।