ନୂଆଦିଲ୍ଲୀ: ମିଆଁମାରରେ ଚାଲିଥିବା ଗୃହଯୁଦ୍ଧ ତୀବ୍ର ରୂପ ଧାରଣ କରିଛି । ପୁଣି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଶନିବାର ମିଆଁମାର ସେନା ପକ୍ଷରୁ ଏକ ବିବାହ ଉତ୍ସବ ଉପରେ ବିମାନ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ପ୍ରାୟ ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ଦାବି କରିଛନ୍ତି। ଶାନ୍ ଏବଂ କାରେନି ରାଜ୍ୟର ସୀମାନ୍ତବର୍ତ୍ତୀ ମୋ ବାଏ ଅଞ୍ଚଳର ଏକ ଗାଁରେ ଏହି ଘଟଣା ଘଟିଛି । ସେଠାରେ ବହୁ ସଂଖ୍ୟାରେ ବିସ୍ଥାପିତ ଲୋକ ଆଶ୍ରୟ ନେଇଥିଲେ।

ଘଟଣାସ୍ଥଳରୁ ପ୍ରତ୍ୟକ୍ଷଦର୍ଶୀଙ୍କ ଦ୍ୱାରା ଉତ୍ତୋଳନ କରାଯାଇଥିବା ଭିଡିଓରେ ରକ୍ତାକ୍ତ ଅବସ୍ଥାରେ ଆହତମାନଙ୍କୁ ଚିକିତ୍ସା ପାଇଁ ନିଆଯାଉଥିବା ଦେଖିବାକୁ ମିଳିଛି। ଅନ୍ୟ ଗ୍ରାମବାସୀଙ୍କ ଦ୍ୱାରା ସେୟାର କରାଯାଇଥିବା ଫଟୋରେ ପ୍ରାୟ ୬ ଜଣଙ୍କର ମୃତଦେହ ଦେଖିବାକୁ ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ଶିଶୁ ମଧ୍ୟ ଅଛନ୍ତି। ତେବେ ଏହି ଫଟୋ ଏବଂ ଭିଡିଓଗୁଡ଼ିକର ସତ୍ୟାସତ୍ୟ ଯାଞ୍ଚ କରାଯାଇପାରି ନାହିଁ।

ଘଟଣା ସମ୍ପର୍କରେ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ‘ମୁଁ ପାଖରେ ବିମାନ ଉଡ଼ିବାର ଶବ୍ଦ ଶୁଣିଥିଲି, କିନ୍ତୁ ଭାବିଥିଲି ସେମାନେ ଆମ ଅଞ୍ଚଳରେ ବୋମା ପକାଇବେ ନାହିଁ। ମୁଁ ଘର ଭିତରକୁ ଯିବା ମାତ୍ରେ ଏକ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣିଲି ।  ଆକ୍ରମଣ ହୋଇଥିବା ସ୍ଥାନରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖିଲି।’ ଦୁଇଜଣ ବିସ୍ଥାପିତ ଯୁବକ-ଯୁବତୀଙ୍କ ବିବାହ ପାଇଁ ପ୍ରସ୍ତୁତି ଚାଲିଥିବା ଘର ଉପରେ ହିଁ ଏହି ବୋମା ମାଡ଼ ହୋଇଥିଲା। ସେ ସାହାଯ୍ୟ କରିବା ପାଇଁ ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ । ସେଠାରେ ୧୭ଟି ମୃତଦେହ ସହ ଅନେକ ଆହତଙ୍କୁ ଦେଖିବାକୁ ପାଇଥିଲେ।

ସୂଚନାଯୋଗ୍ୟ , ୨୦୨୧ ମସିହାରେ ନିର୍ବାଚିତ ସରକାରକୁ ହଟାଇ ସେନା କ୍ଷମତା ଦଖଲ କରିବା ପରଠାରୁ ମିଆଁମାରରେ ଭୟଙ୍କର ଗୃହଯୁଦ୍ଧ ଲାଗି ରହିଛି। ତଥ୍ୟ ଅନୁଯାୟୀ, ଏହି ସଂଘର୍ଷରେ ଏପର୍ଯ୍ୟନ୍ତ ଉଭୟ ପକ୍ଷର ୧ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ମୋ ବାଏ ସହର ସେନା ନିୟନ୍ତ୍ରଣରେ ଥିବାବେଳେ ଏହାର ବାହାରେ ଥିବା ଗ୍ରାମାଞ୍ଚଳଗୁଡ଼ିକ ବିଦ୍ରୋହୀ ଗୋଷ୍ଠୀଙ୍କ କବଜାରେ ରହିଛି। ତେବେ ଏହି ଆକ୍ରମଣ ସମ୍ପର୍କରେ ମିଆଁମାର ସେନାର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।