ନୂଆଦିଲ୍ଲୀ: ଦକ୍ଷିଣ ୟେମେନ ଉପକୂଳରେ ସଶସ୍ତ୍ର ଆକ୍ରମଣକାରୀମାନେ ଏକ ମାଲବାହୀ ଜାହାଜକୁ ଅପହରଣ କରିନେଇଛନ୍ତି। ବ୍ରିଟିଶ ସାମୁଦ୍ରିକ ସଂସ୍ଥା 'ୟୁକେ ମାରିଟାଇମ୍ ଟ୍ରେଡ୍ ଅପରେସନ୍ସ' ଶନିବାର ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଅନଧିକୃତ ବ୍ୟକ୍ତିମାନେ ଜାହାଜଟିକୁ ନିଜ ନିୟନ୍ତ୍ରଣକୁ ନେଇଯାଇଛନ୍ତି । ୟେମେନର ବାଲହାଫଠାରୁ ପ୍ରାୟ ୧୨୦ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ଜାହାଜକୁ ଅପହରଣ କରିନେଇଛନ୍ତି ଆକ୍ରମଣକାରୀ।

ଜାହାଜର କ୍ୟାପ୍ଟେନଙ୍କ ସୂଚନା ଅନୁଯାୟୀ, ଭାରତୀୟ ସମୟ ଦିନ ୧୨ଟା ବେଳେ ସଶସ୍ତ୍ର ବ୍ୟକ୍ତିମାନେ ଜାହାଜ ଉପରକୁ ଚଢ଼ି ଏହାକୁ କବଜା କରିନେଇଥିଲେ। କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ କରୁଛନ୍ତି। ଏହା ସହିତ ଉକ୍ତ ଅଞ୍ଚଳରେ ଯାତାୟାତ କରୁଥିବା ଅନ୍ୟ ଜାହାଜଗୁଡ଼ିକୁ ସତର୍କ ରହିବାକୁ ଏବଂ କୌଣସି ସନ୍ଦେହଜନକ ଗତିବିଧି ଦେଖିଲେ ତୁରନ୍ତ ରିପୋର୍ଟ କରିବାକୁ ପରାମର୍ଶ ଦିଆଯାଇଛି।

ବିଶେଷଜ୍ଞମାନଙ୍କ ମତରେ, ବର୍ଷକ ମଧ୍ୟରେ 'ହର୍ଣ୍ଣ ଅଫ୍ ଆଫ୍ରିକା' ଏବଂ ଏହାର ଆଖପାଖ ଅଞ୍ଚଳରେ ସାମୁଦ୍ରିକ ଡକାୟତି ଘଟଣା ବୃଦ୍ଧି ପାଇଛି। ଅନ୍ୟପଟେ, ଗତ ଫେବୃଆରୀ ମାସରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆରବ ଉପଦ୍ୱୀପ ଚାରିପାଖରେ ଚଳାଚଳ କରୁଥିବା ଜାହାଜଗୁଡ଼ିକ ବାରମ୍ବାର ଆକ୍ରମଣର ଶିକାର ହେଉଛନ୍ତି। ଏସିଆ ଏବଂ ୟୁରୋପକୁ ସଂଯୋଗ କରୁଥିବା ଏଡେନ୍ ଉପସାଗର ଏବଂ ବାବ୍ ଏଲ୍-ମାଣ୍ଡେବ୍ ପ୍ରଣାଳୀ ଦେଇ ଯାଉଥିବା ଅନେକ ବାଣିଜ୍ୟିକ ଜାହାଜ ଗତ କିଛି ମାସ ମଧ୍ୟରେ ଅପହରଣ କିମ୍ବା ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି।

ଅନ୍ୟପଟେ, ଏହି ଅଞ୍ଚଳରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ସାଉଦି ଆରବ ଶନିବାର ଦିନ ଦାବି କରିଛି ଯେ, ଏହାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ରାଜଧାନୀ ରିୟାଦକୁ ଲକ୍ଷ୍ୟ କରି ନିକ୍ଷେପ କରାଯାଇଥିବା ଏକ କ୍ରୁଜ୍ ମିସାଇଲକୁ ଆକାଶମାର୍ଗରେ ହିଁ ନଷ୍ଟ କରିଦେଇଛି। ୟେମେନରେ ସାଉଦି ବାୟୁସେନାର ଆକ୍ରମଣ ପରେ ହୁତି ବିଦ୍ରୋହୀମାନେ ଏହି ପ୍ରତିଶୋଧମୂଳକ ଆକ୍ରମଣ କରିଥିବା କୁହାଯାଉଛି। ସୂଚନାଯୋଗ୍ୟ, ୟେମେନର ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ସରକାରକୁ ସମର୍ଥନ କରୁଥିବା ସାଉଦି ନେତୃତ୍ୱାଧୀନ ମେଣ୍ଟ ଗ୍ରୀଷ୍ମ ଋତୁରେ ଗୃହଯୁଦ୍ଧ ତୀବ୍ର ହେବା ପରଠାରୁ ହୁତି ନିୟନ୍ତ୍ରିତ ଅଞ୍ଚଳ ଉପରେ ଲଗାତାର ବିମାନ ଆକ୍ରମଣ ଜାରି ରଖିଛି। ଏହାର ଜବାବରେ ଇରାନ ସମର୍ଥିତ ହୁତି ଗୋଷ୍ଠୀ ସାଉଦି ଆରବର ତୈଳ ପ୍ରତିଷ୍ଠାନ, ବିମାନବନ୍ଦର ଏବଂ ରିୟାଦର ଆର୍ଥିକ କେନ୍ଦ୍ରକୁ ଟାର୍ଗେଟ କରି ପ୍ରାୟ ପ୍ରତିଦିନ ଆକ୍ରମଣ କରୁଛି।