ବଲିଉଡ଼ର ପ୍ରତିଭାବାନ ଅଭିନେତା ବିକ୍ରାନ୍ତ ମାସେ । ନିଜର ଦମଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତେବେ ଏଥର ସେ କୌଣସି ଫିଲ୍ମ ପାଇଁ ନୁହେଁ, ବରଂ ଏକ ସୁନ୍ଦର ବ୍ୟବସାୟିକ ପଦକ୍ଷେପ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୱେବ୍ ସିରିଜର ମୁସାଫିର କାଫେକୁ ଏବେ ସେ ବାସ୍ତବ ଜୀବନରେ ସାକାର କରିବାକୁ ଯାଉଛନ୍ତି। ଆସନ୍ତୁ ଜାଣିବା ଏହି ନୂତନ ଯାତ୍ରା ସମ୍ପର୍କରେ।

ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିବା ବିକ୍ରାନ୍ତ ମାସେଙ୍କ ୱେବ୍ ସିରିଜ୍ 'ମୁସାଫିର୍ କାଫେ' ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ପତ୍ନୀ ଶୀତଲ ଠାକୁରଙ୍କ ସହ ମିଶି ନିଜର ପ୍ରଡକ୍ସନ୍ ବ୍ୟାନର୍ 'ହୋମ୍ମେଡ୍ ଷ୍ଟୋରିଜ୍' ଅଧୀନରେ ନିର୍ମିତ ଏହି ସିରିଜରେ ବିକ୍ରାନ୍ତ ପାହାଡ଼ରେ କାଫେ ଖୋଲିବାର ସ୍ୱପ୍ନ ଦେଖୁଥିବା ଏକ ଚରିତ୍ରରେ ଅଭିନୟ କରିଥିଲେ। ଆଜି ସେହି କାଳ୍ପନିକ ସ୍ୱପ୍ନକୁ ସେ ବାସ୍ତବରେ ରୂପ ଦେବାକୁ ଯାଉଛନ୍ତି। ବିକ୍ରାନ୍ତ ଏବଂ ଶୀତଲ ବର୍ତ୍ତମାନ ବ୍ୟବସାୟ ଜଗତରେ ପାଦ ରଖି ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଦୁଇଟି ନୂଆ କାଫେ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି କାଫେଗୁଡ଼ିକର ପରିବେଶ ସିରିଜରେ 'ମୁସାଫିର୍ କାଫେ' ଭଳି ସମାନ ହେବ। କେବଳ ସେତିକି ନୁହେଁ, ଏହି ପ୍ରେରୋଜେକ୍ଟରେ  କଳାକାର ଓ ସୃଜନଶୀଳ ବ୍ୟକ୍ତିବିଶେଷଙ୍କ ପାଇଁ ପ୍ରାୟ ୨୦ଟି ରେସିଡେନ୍ସି ସ୍ପେସ୍ ବା ରହିବା ଘର ମଧ୍ୟ ରହିବ। ଯାହାଫଳରେ ସେମାନେ ଶାନ୍ତ ପରିବେଶରେ ରହି ନିଜ କାର୍ଯ୍ୟ କରିପାରିବେ।

ହିମାଚଳ ପ୍ରଦେଶ ସହିତ ବିକ୍ରାନ୍ତଙ୍କର ଏକ ସ୍ୱତନ୍ତ୍ର ସମ୍ପର୍କ ମଧ୍ୟ ରହିଛି। କାରଣ ତାଙ୍କ ପତ୍ନୀ ଶୀତଲ ଠାକୁର ହେଉଛନ୍ତି ବିଳାସପୁରର ବାସିନ୍ଦା। ଯେଉଁଠାରେ ୨୦୨୨ ମସିହାରେ ଉଭୟ ପାରମ୍ପାରିକ ରୀତିନୀତିରେ ବିବାହ କରିଥିଲେ। ବର୍ତ୍ତମାନ ପାହାଡ଼ର କୋଳରେ ଏହି ନୂତନ ପ୍ରକଳ୍ପର କାମ ଜୋରସୋରରେ ଚାଲିଛି।ପରଦାର ସ୍ୱପ୍ନକୁ ବାସ୍ତବ ରୂପ ଦେବାର ଏହି ପ୍ରୟାସ ପ୍ରକୃତରେ ପ୍ରଶଂସନୀୟ। ପ୍ରକୃତିର ଶାନ୍ତ ପରିବେଶ ମଧ୍ୟରେ କଳା ଓ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ବିକ୍ରାନ୍ତ ମାସିଙ୍କ ଏହି ପଦ୍ଧତି ପ୍ରଶଂସା ସାଉଁଟିଛି।