ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସ ଯାତ୍ରା କାଳରେ କିଛି ସେବା ଉପରେ ଶୁଳ୍କ ବୃଦ୍ଧି କରିଛି। ଏହି ଶୁଳ୍କ ବୃଦ୍ଧି ନିଷ୍ପତ୍ତି ଗୁରୁବାର ନିଆଯାଇଛି। ଏଥିରେ ଅତିରିକ୍ତ ଲଗେଜ, ଛୋଟ ପିଲାଙ୍କ ସହ ଯାତ୍ରା, ଏକାକୀ ଯାତ୍ରା କରୁଥିବା ନାବାଳକ ଓ ପ୍ରୋୟୋରିଟି ଚେକ୍ ଇନ ଏବଂ ବୋର୍ଡିଂ ଲାଗି ଶୁଳ୍କବୃଦ୍ଧି ଆଦି ରହିଛି। ଏହି ପରିବର୍ତ୍ତନ ଏୟାରଲାଇନ୍ସର ନିୟମିତ ପ୍ରକ୍ରିୟାର ଅଂଶବିଶେଷ, ଯେଉଁଥିରେ ଅତିରିକ୍ତ ସେବା ପାଇଁ ଶୁଳ୍କ ସମୀକ୍ଷା କରାଯାଏ। ଇଣ୍ଡିଗୋ ଅତିରିକ୍ତ ସାମଗ୍ରୀ ଲାଗି ଏପର୍ଯ୍ୟନ୍ତ ଆଦାୟ କରୁଥିବା ୭୦୦ ଟଙ୍କାକୁ ବଢାଇ ୮୦୦ ଟଙ୍କା କରିଦେଇଛି।

ଏହାର ଅର୍ଥ ହେଉଛି ଅତିରିକ୍ତ କିଲୋଗ୍ରାମ ଲାଗି ଯାତ୍ରୀଙ୍କୁ ୧୦୦ ଟଙ୍କା ଅଧିକ ପୈଠ କରିବାକୁ ପଡିବ। ଏୟାରଲାଇନ ୨ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ଯାତ୍ରା ଶୁଳ୍କ ୨୦୦୦ ଟଙ୍କାରୁ ବଢାଇ ୩ ହଜାର ଟଙ୍କା କରିଦେଇଛି। ଏହି ନିୟମ ଅନୁସାରେ ପିଲାଙ୍କୁ ଅଲଗା ସିଟ୍ ଦିଆଯାଏନି, ହେଲେ ତାଙ୍କ ଲାଗି ଟିକେଟ୍ ବୁକ୍ କରିବାକୁ ପଡିଥାଏ। ବିନା ବୟସ୍କଙ୍କ ସହ ଯାତ୍ରା କରୁଥିବା ୫ରୁ ୧୨ ବର୍ଷ ବୟସର ପିଲାଙ୍କ ଲାଗି ଘରୋଇ ଉଡାଣରେ ଶୁଳ୍କ ୫ ହଜାର ଟଙ୍କାରୁ ବଢାଇ ୫,୯୯୯ ଟଙ୍କା କରାଯାଇଛି। ସେହିପରି ଅନ୍ତର୍ଜାତୀୟ ଉଡାଣରେ ଏହି ଶୁଳ୍କ ୧୨,୯୯୯ ଟଙ୍କା ପଡିବ।

ଇଣ୍ଡିଗୋ ତାଙ୍କର ‘ଫାଷ୍ଟ ଫରୱାର୍ଡ’ ସର୍ଭିସ୍ ମୂଲ୍ୟ ମଧ୍ୟ ବଢାଇଛନ୍ତି। ଏହା ଯାତ୍ରୀଙ୍କୁ ପ୍ରାୟୋରିଟି ଚେକ୍-ଇନ୍ ଓ ବୋର୍ଡିଂ କରାଇଥାଏ। ଏବେ ଏହି ଶୁଳ୍କକୁ ୫୦୦ ଟଙ୍କାରୁ ବଢେଇ ୬୫୦ ଟଙ୍କା କରାଯାଇଛି। ତେବେ ଅନ୍ତର୍ଜାତୀୟ ଉଡାଣରେ ପ୍ରତି ସେକ୍ଟର ଏହା ୮୫୦ ଟଙ୍କା ରହିବ। ଏହି ବର୍ଦ୍ଧିତ ଶୁଳ୍କ ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ଲାଗୁ କରିଦେଇଛନ୍ତି। ଏଣୁ ଏବେ ଇଣ୍ଡିଗୋରେ ଯାତ୍ରା କରୁଥିଲେ ଯାତ୍ରୀଙ୍କୁ ଏହି ସବୁ ବର୍ଦ୍ଧିତ ସୁଳ୍କ ଦେବାକୁ ପଡିବ।