ପୁଣି ଥରେ ବାପା ହେଲେ "ବିଗ୍ ବସ୍ ୧୭" ବିଜେତା ତଥା ଷ୍ଟାଣ୍ଡ-ଅପ୍ କମେଡିଆନ୍ ମୁନାୱର ଫାରୁକି । ତାଙ୍କ ପତ୍ନୀ ତଥା ମେକଅପ୍ ଆର୍ଟିଷ୍ଟ, ମହଜବିନ୍ କୋଟାୱାଲା ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ।ମୁନାୱର ଗତକାଲି ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି । ଖୁସି ଖବର ସେୟାର କରି ସୂଚନା ଦେଇଛନ୍ତି ଯେ, ସେ ପୁଣି ଥରେ ପିତା ହୋଇଛନ୍ତି । ତାଙ୍କ ସ୍ତ୍ରୀ ଏକ କନ୍ୟାକୁ ଜନ୍ମ ଦେଇଛନ୍ତି । ମୁନାୱର ତାଙ୍କ ନବଜାତ ଶିଶୁ ଏବଂ ପତ୍ନୀ ମହଜବୀନ୍ ସହ ହସ୍ପିଟାଲରୁ ଫଟୋ ସେୟାର କରି କ୍ୟାପସନ ଦେଇଛନ୍ତି, "ମୁଁ ଆଶୀର୍ବାଦ ଅନୁଭବ କରୁଛି । ଘରକୁ କୁନି ଅତିଥି ଆସିଛନ୍ତି । ଆଲହାମଦୁଲିଲ୍ଲାହ।

ପ୍ରକାଶ ଥାଉକି, ୨୦୨୪ରେ ସିକ୍ରେଟ୍ ମ୍ୟାରେଜ୍ ପରେ, ଏହି ଦମ୍ପତି ଏହି ମାସ ଶେଷରେ ସେମାନଙ୍କର ଦ୍ୱିତୀୟ ବିବାହ ବାର୍ଷିକୀ ପାଳନ କରିବାକୁ ଯାଉଛନ୍ତି । ବିବାହ ବାର୍ଷିକୀ ପୂର୍ବରୁ ଏହା ମୁନାୱରଙ୍କ ପାଇଁ ବିଶେଷ ଉପହାର । ଏହି ଖୁସି ଖବର ପରେ ସେଲିବ୍ରିଟି ସମେତ ଫ୍ୟାନ୍ସ ମୁନାୱରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବରୁଣ ଧୱନ , "ଭାଇ ଅଭିନନ୍ଦନ" ଲେଖିଥିବା ବେଳେ " ଅଲି ଗୋନି ଲେଖିଛନ୍ତି, "ଆଲହାମଦୁଲିଲ୍ଲାହ ।" ସେହିପରି ଗୌହର ଖାନ, ଜନ୍ନତ ଜୁବୈର, ସୋନାଲି ବେନ୍ଦ୍ରେ, କ୍ରିଷ୍ଟଲ ଡିସୁଜା, ଧନଶ୍ରୀ, ମିଷ୍ଟର ଫୈସୁ, ମାହି ଭିଜ, ପୁନମ ପାଣ୍ଡେ, ଦିଗବିଜୟ ରାଠି ସମେତ ଅନେକ ଷ୍ଟାର ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ତେବେ ମେହଜବିନଙ୍କ ପୂର୍ବରୁ ମୁନାୱର ଜାସ୍ମିନଙ୍କୁ ବିବାହ କରିଥିଲେ । ତାଙ୍କର ମିକାଇଲ ନାମକ ଏକ ପୁଅ ମଧ୍ୟ ରହିଛନ୍ତି । ତାଙ୍କ ସ୍ତ୍ରୀ ମେହଜବିନ କୋତୱାଲାଙ୍କର ମଧ୍ୟ ତାଙ୍କ ପୂର୍ବ ବିବାହରୁ ଏକ ଝିଅ ଅଛି । ମୁନାୱର ୨୬ ମେ ୨୦୨୪ରେ ମେହଜବିନଙ୍କୁ ବିବାହ କରିଥିଲେ । ଏହା ତାଙ୍କର ଦ୍ୱିତୀୟ ବିବାହ । ରିପୋର୍ଟ ଅନୁସାରେ, ମେହଜବିନ ଏବଂ ମୁନାୱରଙ୍କ ପ୍ରେମ କାହାଣୀ ଟିଭି ଅଭିନେତ୍ରୀ ହିନା ଖାନଙ୍କ ମାଧ୍ୟମରେ ଆରମ୍ଭ ହୋଇଥିଲା ।