ଭୁବନେଶ୍ୱର: ଶହେ ଦିନରେ ୧୦୦ ଘର ନିର୍ମାଣ ସ୍ୱପ୍ନକୁ ପୂରଣ କରିବେ ସରକାର । ସହରାଞ୍ଚଳରେ ବାସ କରୁଥିବା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ମିଳିବ ଶସ୍ତାରେ ଘର । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ହଂସପାଳରେ ପିପିପି ମୋଡରେ ନିର୍ମାଣ ହେବାକୁ ଯାଉଛି ନୂଆ ହାଉସିଂ ପ୍ରକଳ୍ପ । ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଘର ଦେବାକୁ ଅଣ୍ଟା ଭିଡ଼ିଛି ବିଏମ୍‌ସି ।

ଏନେଇ ପ୍ରଥମ ପର୍ଯ୍ୟାୟରେ ୪୧୫ଟି ୨ ବିଏଚ୍‌କେ ବିଶିଷ୍ଟ ଘର ନିର୍ମାଣ ହେବ । ଏହି ଫ୍ଲାଟର ଦର ରହିବ ୧୦.୩୯ ଲକ୍ଷ ଟଙ୍କା । ବିଲ୍ଟଅପ୍ ଏରିଆ ୫୨୭.୪୪ ବର୍ଗଫୁଟ ରହିଥିବା ବେଳେ କାର୍ପେଟ୍ ଏରିଆ ୩୭୬. ୭୪ ବର୍ଗ ଫୁଟ୍ ରହିଛି । ମାଷ୍ଟର ବେଡ୍ ରୁମ୍ ୧୦ ଫୁଟ୍‌ରେ ୧୦ ଫୁଟ, ଦ୍ୱିତୀୟ କୋଠରୀ ୭ ଫୁଟ୍‌ରେ ୯ ଫୁଟ । ଲିଭଙ୍ଗ୍ ରୁମ୍ ୧୧ ଫୁଟ୍‌ରେ ୯ ଫୁଟ, ରୋଷେଇ ଘର ୬ରେ ୫ ଫୁଟ୍ ରହିଛି । ଏହା ସହ ସେଠାରେ ଖେଳପଡିଆ, ଦୋକାନ ଘର ସହ କମ୍ୟୁନିଟି ସେଣ୍ଟର ରଖାଯାଇଛି । ସ୍ୱରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ, ଷ୍ଟ୍ରିଟ୍ ଲାଇଟ୍ ଆଦି ବ୍ୟବସ୍ଥା ରଖାଯାଇଛି । ଏହି ପ୍ରକଳ୍ପ କଟକ-ଭୁବନେଶ୍ୱର ଜାତୀୟ ରାଜପଥ କଡ଼ରେ ରହିଛି ।

ଗତ ଶନିବାର ବିଏମ୍‌ସି ପକ୍ଷରୁ ବସିଥିବା ବୈଠକରେ ଏହି ପ୍ରକଳ୍ପ ଉପରେ ମୋହର ବାଜିଛି । ଘର ନିର୍ମାଣର ସମ୍ପୂର୍ଣ୍ଣ ଦାୟିତ୍ୱ ଏକ ଘରୋଇ କମ୍ପାନି ନେଇଛି । ଏହି ସଂସ୍ଥା ପିପିପି ମୋଡ୍‌ରେ ଘର ନିର୍ମାଣ କରି ଯୋଗାଇବ । ଘର ବୁକିଂ ପାଇଁ ୧୦ ହଜାର ଟଙ୍କା ରଖାଯାଇଛି । ଏହାର ପରବର୍ତ୍ତୀ ନିର୍ମାଣ ସହିତ କିସ୍ତିରେ ଟଙ୍କା ଦାଖଲ କରିବାକୁ ପଡ଼ିବ । ଏହା ପରେ ଘର ହସ୍ତାନ୍ତର କରାଯିବ । ବିଏମ୍‌ସି ପକ୍ଷରୁ ଘର ଆବେଦନ କରିବାକୁ ସର୍ତ୍ତ ରଖଯାଇଛି । ଆବେଦନକାରୀ ଭୁବନେଶ୍ୱର ଅଞ୍ଚଳରେ ବାସ କରୁଥିବା ନିହାତି ଜରୁରୀ । ଏହା ସହ ବାର୍ଷିକ ଆୟ ୬ ଲକ୍ଷ ଟଙ୍କାରୁ କମ୍ ଥିବା ଜରୁରୀ ।

ସେହିପରି ଅବେଦନକାରୀଙ୍କ ନାଁରେ କିମ୍ବା ପରିବାର ବର୍ଗ ନାଁରେ ଭାରତ ବର୍ଷରେ କେଉଁଠି ବି ପକ୍କା ଘର ନଥିବ ବୋଲି ଦର୍ଶାଯାଇଛି । ତେବେ ଆବେଦନ ଅଧିକ ରହିଲେ ଲଟେରୀ କରାଯିବ ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ବିଡିଏ ପକ୍ଷରୁ ପଟିଆର ଟ୍ରାଇଡେଣ୍ଟ ପ୍ରକଳ୍ପରେ ମାତ୍ର ୧୫ ଲକ୍ଷ ଟଙ୍କାରେ ୨ ବିଏଚ୍‌କେ ଘର ଦିଆଯିବ । ମାତ୍ର ୯୦ଟି ଘର ହୋଇଥିବା ବେଳେ ପାଖାପାଖି ୪୮୦୦ ଲୋକ ଆବେଦନ କରିଛନ୍ତି । ଏହି ହିସାବରେ ପ୍ରତି ଘର ପିଛା ୫୫ ଜଣ ଆବେଦନକାରୀ ରହିଛନ୍ତି । ଏନେଇ ଖୁବଶୀଘ୍ର ଲଟେରୀ କରାଯିବ । ଆଗକୁ ଆହୁରି ୩୦୦ ଘର ଏପରି ନିର୍ମାଣ କରିବାକୁ ଯୋଜନା ରହିଛି ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।