ଭୁବନେଶ୍ୱର ୧୧।୧୧ : ବାତ୍ୟା ପ୍ରଭାବିତଙ୍କୁ ବଡ଼ ଆଶ୍ୱସ୍ତି। ବଢ଼ିଲା ରିଲିଫ୍ ପ୍ୟାକେଜ୍‌ର ପରିସର। ଏଣିକି ଗଞ୍ଜାମ, ଗଜପତି ଓ କନ୍ଧମାଳର ସବୁ ବ୍ଲକ୍‌ର ପ୍ରଭାବିତ ପରିବାରଙ୍କୁ ମିଳିବ ବାତ୍ୟା ସହାୟତା। ରାଜ୍ୟ ସରକାର ଏନେଇ ବଡ଼ ଘୋଷଣା କରିଛନ୍ତି।

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ପରିବାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ରିଲିଫ୍ ପ୍ୟାକେଜ୍‌କୁ ଆହୁରି ବ୍ୟାପକ କରାଯାଇଛି। ଘୋଷଣା ହୋଇଥିବା ନୂଆ ନିଷ୍ପତ୍ତି ଅନୁସାରେ, ଏହି ତିନି ଜିଲ୍ଲାର ସମସ୍ତ ବ୍ଲକ୍‌ର ଯୋଗ୍ୟ ପ୍ରଭାବିତ ପରିବାରଙ୍କୁ ୫୦ କିଲୋଗ୍ରାମ ଚାଉଳ ସହ ନଗଦ ୨ ହଜାର ୫୦୦ ଟଙ୍କା ଆର୍ଥିକ ସହାୟତା ମିଳିବ। ଏଥିପାଇଁ ତୁରନ୍ତ ହିତାଧିକାରୀ ଚିହ୍ନଟ ଓ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବାକୁ ତିନି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚାଉଳ ବଣ୍ଟନ ପାଇଁ ଜିଲ୍ଲା ନାଗରିକ ଯୋଗାଣ ଅଧିକାରୀ ଏବଂ ଓଡ଼ିଶା ରାଜ୍ୟ ନାଗରିକ ଯୋଗାଣ ନିଗମ ସହ ସମନ୍ୱୟ ରଖିବେ ଜିଲ୍ଲା ପ୍ରଶାସନ।

Also Read:-Zero Casualty କହି ବାହାବା ନେଉଛନ୍ତି ସରକାର, ବନ୍ୟା ମୁକାବିଲାରେ ବିଫଳତା ନେଇ ବର୍ଷିଲା ବିଜେଡି

ସେହିପରି ୨ ହଜାର ୫୦୦ ଟଙ୍କାର ଆର୍ଥିକ ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ DBT ଜରିଆରେ ପଠାଯିବ। ଯେଉଁ ଅଞ୍ଚଳରେ ବ୍ୟାଙ୍କିଙ୍ଗ୍ ସେବା ବାଧାପ୍ରାପ୍ତ ହୋଇଛି, ସେଠାରେ ବିକଳ୍ପ ବ୍ୟବସ୍ଥାରେ ସହାୟତା ପ୍ରଦାନ କରାଯିବ। ଏହି ରିଲିଫ୍ ବଣ୍ଟନ ପ୍ରକ୍ରିୟାର ଦୈନିକ ସମୀକ୍ଷା ମଧ୍ୟ କରାଯିବ। ପ୍ରତିଦିନ ସନ୍ଧ୍ୟା ୫ଟା ସୁଦ୍ଧା ବ୍ଲକ୍‌ୱାରୀ ଚାଉଳ ଓ ଟଙ୍କା ବଣ୍ଟନର ରିପୋର୍ଟ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରକୁ ପଠାଇବେ ଜିଲ୍ଲାପାଳ। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ତିନି ଜିଲ୍ଲାର ଅଧିକ ସଂଖ୍ୟକ ବାତ୍ୟା ପ୍ରଭାବିତ ପରିବାର ରିଲିଫ୍ ସହାୟତା ପାଇପାରିବେ।