ମୁମ୍ବାଇ ୧୧।୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି ଯେ ଭାରତର ଅଗ୍ରଗତିରେ ମହିଳାମାନଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି, ଯେତେବେଳେ ଭାରତର ମହିଳାମାନେ ଆଗକୁ ବଢିବେ, ସେତେବେଳେ ଭାରତ ମଧ୍ୟ ଆଗକୁ ବଢିବ । ଆଉ ଯେତେବେଳେ ଭାରତର ମହିଳାମାନେ ଅଟକିବାକୁ ମନା କରିବେ, ସେତେବେଳେ ଭାରତ ମଧ୍ୟ ଅଟକିବ ନାହିଁ। କର୍ପୋରେଟ୍ ଜଗତରେ କର୍ମଜୀବୀ ମହିଳା ଓ ମାଆମାନଙ୍କୁ ଉତ୍ତମ ସହାୟତା ପ୍ରଦାନ କରୁଥିବା ସୁଦୃଢ଼ ବ୍ୟବସ୍ଥା ସ୍ଥାପନ କରିବା ପାଇଁ ଏକ ମିଳିତ ପଦକ୍ଷେପ ଗ୍ରହଣ କରିବାପାଇଁ ସେ ଆହ୍ୱାନ ଦେଇଛନ୍ତି।

ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟଙ୍କ ଆତ୍ମଜୀବନୀ 'ଇଣ୍ଡୋମିଟେବଲ୍'ର ହିନ୍ଦୀ ସଂସ୍କରଣ 'ଅପରାଜିତା'ର ଉନ୍ମୋଚନ ଅବସରରେ ସେ ଏହା କହିଛନ୍ତି । ସେ ଅରୁନ୍ଧତୀଙ୍କ ନେତୃତ୍ୱ ଏବଂ କଠିନ ପରିସ୍ଥିତିରେ ମଧ୍ୟ ଆଗକୁ ବଢ଼ିବାର ମନୋଭାବକୁ ପ୍ରଶଂସା କରିଥିଲେ । ଏଠି ସହିତ ସେ କହିଥିଲେ ଯେ ଅରୁନ୍ଧତୀ ୨୦୧୩ ମସିହାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପ୍ରଥମ ମହିଳା ଅଧ୍ୟକ୍ଷ ହୋଇ ଇତିହାସ ସୃଷ୍ଟି କରିଥିଲେ ଏବଂ ତାଙ୍କ ପରେ ଆସିବାକୁ ଥିବା ମହିଳାମାନଙ୍କର ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରିଥିଲେ।

ମୁକେଶ ଅମ୍ବାନୀ ଅରୁନ୍ଧତୀଙ୍କ ପୁସ୍ତକରୁ ମିଳୁଥିବା ଶିକ୍ଷା ଉପରେ ଆଲୋକପାତ କରି କହିଛନ୍ତି ଯେ ଏହା ପାରିବାରିକ ମୂଲ୍ୟବୋଧର ଗୁରୁତ୍ୱ, ଅସଫଳତା ପାଇଁ ନିଜେ ଦାୟିତ୍ୱ ନେବା, ଲଗାତାର ଶିଖିବା ଏବଂ ଲୋକମାନଙ୍କୁ ସାଙ୍ଗରେ ନେଇ ନେତୃତ୍ୱ ନେବାର ଶିକ୍ଷା ପ୍ରଦାନ କରୁଛି। ସେ କହିଥିଲେ ଯେ ଅସଫଳତା ପରେ ଅନ୍ୟମାନଙ୍କୁ ଦୋଷାରୋପ କରିବା ପରିବର୍ତ୍ତେ, ଭୁଲ୍ କେଉଁଠାରେ ହେଲା ଏବଂ ଆଗକୁ କଣ ବଦଳାଇଯାଇପାରିବ ତାହା ଦେଖିବା ଉଚିତ। ସେ କହିଛନ୍ତି ଯେ ଭଲ ନେତୃତ୍ୱ କେବଳ ଅନୁଗାମୀ ପ୍ରସ୍ତୁତ କରିବା ନୁହେଁ, ବରଂ ନୂଆ ନେତୃତ୍ୱକୁ ପ୍ରସ୍ତୁତ କରିବା ।

ମୁକେଶ ଅମ୍ବାନୀ କହିଛନ୍ତି ଯେ, ସେ ମହିଳାମାନଙ୍କର ଶକ୍ତି ନିଜ ମାଆ କୋକିଳାବେନ, ପତ୍ନୀ ନୀତା ଅମ୍ବାନୀ ଏବଂ ଝିଅ ଇଶା ଅମ୍ବାନୀଙ୍କ ଠାରେ ଦେଖିଛନ୍ତି । ସେ କହିଛନ୍ତି ଯେ ନୀତା ଏବଂ ଇଶା ଉଭୟ କାର୍ଯ୍ୟରତ ମାଆ ଏବଂ ସେମାନଙ୍କ ନେତୃତ୍ୱ ନୂଆ ପିଢ଼ି ମହିଳାମାନଙ୍କ ପାଇଁ ପ୍ରେରଣା ଅଟେ। ଏଥିସହିତ ଭାରତର ଯୁବ ମହିଳାମାନଙ୍କ ଆତ୍ମବିଶ୍ୱାସ ତାଙ୍କୁ ଦେଶର ଭବିଷ୍ୟତ ନେଇ ବେଶ ଆଶାବାଦୀ କରିଥିବା ସେ କହିଛନ୍ତି ।

ସେ ଅରୁନ୍ଧତୀଙ୍କ ଭଳି ମହିଳାମାନଙ୍କ ଉପଲବ୍ଧି ପ୍ରେରଣା ଦେଉଥିବା କହିବା ସହିତ କର୍ପୋରେଟ ଜଗତକୁ ମହିଳାମାନଙ୍କ ପାଇଁ ଏବେ ଲମ୍ବା ରାସ୍ତା ଅତିକ୍ରମ କରିବାକୁ ରହିଥିବା କହିଥିଲେ । ବ୍ୟବସାୟ ତଥା ଉଦ୍ୟୋଗଜଗତର ନେତୃତ୍ୱକୁ କାର୍ଯ୍ୟରତ ମହିଳା ଓ ମାଆ ମାନଙ୍କ ପାଇଁ ଉନ୍ନତ ସହଯୋଗର ବ୍ୟବସ୍ଥା ନିର୍ମାଣ କରିବା ପାଇଁ ଅପିଲ କରିଛନ୍ତି । ଅରୁନ୍ଧତି ଓ ଅନ୍ୟ ଅନୁଭବୀ ମହିଳାମାନଙ୍କୁ ଏହି ପଦକ୍ଷେପର ନେତୃତ୍ୱ ନେବାକୁ ଆହ୍ୱାନ ଦେବାସହିତ ସେମାନଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ସେ କହିଛନ୍ତି ।

ଶେଷରେ ମୁକେଶ ଅମ୍ବାନୀ କହିଛନ୍ତି, ଆହ୍ୱାନ ଆସିବ, କିନ୍ତୁ ଆମେ ଅଟକିବୁ ନାହିଁ । ଅସଫଳତା ଆସିବ, କିନ୍ତୁ ଆମେ ମୁଣ୍ଡ ନୁଆଁଇବୁ ନାହିଁ । ଆମେ ଉଠିବୁ, ଆମେ ଶିଖିବୁ ଏବଂ ଆମେ ବିଜୟୀ ହେବୁ ।