ନୂଆଦିଲ୍ଲୀ-; ଆମେରିକାର ପ୍ରମୁଖ ଚିପ୍ ନିର୍ମାତା କମ୍ପାନୀ ଏନଭିଡ଼ିଆକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। କମ୍ପାନୀର ପୂର୍ବତନ ବରିଷ୍ଠ ଅଧିକାରୀ ଅଜୟ କେ. 'ଜୟ' ପୁରୀଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଛି ଆମେରିକୀୟ ସର୍ଟ ସେଲିଂ ଗବେଷଣା ସଂସ୍ଥା 'ମଡି ୱାଟର୍ସ ରିସର୍ଚ୍ଚ'। ଚୀନ୍କୁ ବେଆଇନ ଭାବେ ସର୍ଭର ବିକ୍ରି କରିବା ଅଭିଯୋଗରେ ଏକ ଦେୱାନୀ ମାମଲାରେ ନାମ ଆସିଥିବା ସୁପର ମାଇକ୍ରୋ କମ୍ପ୍ୟୁଟରର ଜଣେ ପୂର୍ବତନ ଅଧିକାରୀଙ୍କ ସହ ପୁରୀଙ୍କ ପାରିବାରିକ ସମ୍ପର୍କ ରହିଛି କି ନାହିଁ, ସେ ନେଇ ସଂସ୍ଥା ପ୍ରଶ୍ନ ଉଠାଇଛି।

ନଭେମ୍ବର ୧୭ ତାରିଖରେ 'NVIDIA: More China' ଶୀର୍ଷକ ଏକ ରିପୋର୍ଟ ପ୍ରକାଶ କରିଛି ମଡି ୱାଟର୍ସ। ଏହି ରିପୋର୍ଟରେ ସଂସ୍ଥା ଏନଭିଡ଼ିଆର ସେୟାର ମୂଲ୍ୟ ହ୍ରାସ ପାଇବ ବୋଲି ଆଶା ରଖି ସର୍ଟ ପୋଜିସନ୍ ନେଇଥିବା ମଧ୍ୟ ଜଣାଇଛି। ଏହା ସହ ୨୦୨୪ରୁ ୨୦୨୬ ମଧ୍ୟରେ ଉଠାଯାଇଥିବା କିଛି ଫଟୋକୁ ଆଧାର କରି ଅଜୟ ପୁରୀ ଓ ତାଙ୍କ ପତ୍ନୀ ସେନଲି ଚେନ୍ଙ୍କ ସମ୍ପର୍କରେ ପ୍ରଶ୍ନ ଉଠାଇଛି। ରିପୋର୍ଟରେ ତାଙ୍କୁ 'ସେନଲି ପୁରୀ' ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି।

ତେବେ ରିପୋର୍ଟ ପ୍ରକାଶ ପାଇବା ପରେ ଏନଭିଡ଼ିଆରେ ନିଜର ସର୍ଟ ପୋଜିସନ୍ର ଅଧିକାଂଶ ଅଂଶ କିମ୍ବା ସମ୍ଭବତଃ ସମ୍ପୂର୍ଣ୍ଣ ପୋଜିସନ୍ ବନ୍ଦ କରିବାକୁ ଯୋଜନା ରଖିଥିବା ମଧ୍ୟ ମଡି ୱାଟର୍ସ କହିଛି। ଏହାର ଉଦ୍ଦେଶ୍ୟ ନିବେଶ ସମ୍ପର୍କିତ ଦାୟିତ୍ୱ ଓ ଆର୍ଥିକ ବିପଦକୁ ନିୟନ୍ତ୍ରଣରେ ରଖିବା ବୋଲି ସଂସ୍ଥା ସ୍ପଷ୍ଟ କରିଛି।

କିଏ ଏହି ଅଜୟ ପୁରୀ?

ଅଜୟ କେ. 'ଜୟ' ପୁରୀ ଦୀର୍ଘ ୨୧ ବର୍ଷ ଧରି ଏନଭିଡ଼ିଆରେ କାମ କରିଥିଲେ। ସେ କମ୍ପାନୀର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀ ଅର୍ଥାତ୍ ଏକ୍ଜିକ୍ୟୁଟିଭ୍ ଭାଇସ୍ ପ୍ରେସିଡେଣ୍ଟ ଅଫ୍ ୱାର୍ଲ୍ଡୱାଇଡ୍ ଫିଲ୍ଡ ଅପରେସନ୍ସ ଦାୟିତ୍ୱରେ ଥିଲେ। ଏହି ପଦବୀରେ ରହି ସେ ଏନଭିଡ଼ିଆର ବିଶ୍ୱବ୍ୟାପୀ ବିକ୍ରି, ବ୍ୟବସାୟିକ ସହଭାଗିତା ଓ ଅନ୍ୟାନ୍ୟ କାର୍ଯ୍ୟ ପରିଚାଳନା କରୁଥିଲେ। କମ୍ପାନୀର ପୂର୍ବତନ CEO ଜେନସେନ୍ ହୁଆଙ୍ଗ ଓ CFO କୋଲେଟ୍ କ୍ରେସ୍ଙ୍କ ପରେ ସେ କମ୍ପାନୀର ତୃତୀୟ ସର୍ବୋଚ୍ଚ ପଦବୀରେ ଥିଲେ। ୨୦୨୬ ଜୁନ୍ରେ ସେ ନିଜର ଦୈନନ୍ଦିନ କାର୍ଯ୍ୟକାରୀ ଦାୟିତ୍ୱରୁ ଓହରି ଯାଇଥିଲେ। ତେବେ ସେ ଏବେ ମଧ୍ୟ ଏନଭିଡ଼ିଆର ବରିଷ୍ଠ ପରାମର୍ଶଦାତା ଭାବେ କାମ କରୁଛନ୍ତି। ଜୁନ୍ ୧୭ ତାରିଖ ସୁଦ୍ଧା ତାଙ୍କ ପାଖରେ ଏନଭିଡ଼ିଆର ୩୬ ଲକ୍ଷ ୬୫ ହଜାର ୨୨୦ଟି ସେୟାର ଥିଲା। ନଭେମ୍ବର ୧୬ ତାରିଖର ବଜାର ମୂଲ୍ୟ ଅନୁସାରେ ଏହି ସେୟାରର ମୋଟ ମୂଲ୍ୟ ପ୍ରାୟ ୫୭୦ ନିୟୁତ ଡଲାର ବା ପ୍ରାୟ ୫୭ କୋଟି ଡଲାର ଥିଲା।

ସେନଲି ଚେନ୍ଙ୍କୁ ନେଇ କାହିଁକି ପ୍ରଶ୍ନ?

ମଡି ୱାଟର୍ସର ରିପୋର୍ଟରେ ମୁଖ୍ୟ ପ୍ରଶ୍ନ ହେଉଛି, ଅଜୟ ପୁରୀଙ୍କ ସହ ଫଟୋରେ ଦେଖାଯାଉଥିବା 'ସେନଲି ଚେନ୍' କିମ୍ବା 'ସେନଲି ପୁରୀ' କ'ଣ ସେହି ବ୍ୟକ୍ତି, ଯିଏ ପୂର୍ବରୁ ସୁପର ମାଇକ୍ରୋ କମ୍ପ୍ୟୁଟରରେ କାମ କରୁଥିଲେ?

ସୁପର ମାଇକ୍ରୋରେ ସେନଲି ଚେନ୍ ସିନିୟର ଭାଇସ୍ ପ୍ରେସିଡେଣ୍ଟ ଓ ଚିଫ୍ ଗ୍ରୋଥ୍ ଅଫିସର ଭାବେ କାମ କରୁଥିଲେ। ଏପ୍ରିଲ୍ ଶେଷ କିମ୍ବା ମେ ମାସ ଆରମ୍ଭରେ ସେ କମ୍ପାନୀ ଛାଡ଼ିଥିବା କୁହାଯାଇଛି। ବର୍ତ୍ତମାନ ସେ 'Chronoscale' ନାମକ କମ୍ପାନୀର CEO ଭାବେ କାର୍ଯ୍ୟ କରୁଛନ୍ତି I ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ମଡି ୱାଟର୍ସ ୨୦୨୪ ମସିହାରେ ସାନ୍ ଫ୍ରାନ୍ସିସ୍କୋ ଅପେରାର ମାସ୍କଡ୍ ବଲ୍ ଏବଂ ଚଳିତ ବର୍ଷ ଏପ୍ରିଲ୍ ୨୩ରେ ଆୟୋଜିତ 'ବିଗ୍ ବ୍ୟାଙ୍ଗ୍ ଗାଲା' ଓ 'ପାର୍ଟି ଆଫ୍ଟର ଡାର୍କ'ର କିଛି ଫଟୋ ଯାଞ୍ଚ କରିଥିବା କହିଛି। ଏହି ଫଟୋଗୁଡ଼ିକରେ ଅଜୟ ପୁରୀଙ୍କ ସହ ଥିବା ମହିଳାଙ୍କୁ କେତେକ ସ୍ଥାନରେ 'ସେନଲି ଚେନ୍' ଓ ଅନ୍ୟ କେତେକ ସ୍ଥାନରେ 'ସେନଲି ପୁରୀ' ଭାବେ ଟ୍ୟାଗ୍ କରାଯାଇଥିଲା। ଏହା ସହ ସୁପର ମାଇକ୍ରୋର ପୂର୍ବତନ ଅଧିକାରୀ ସେନଲି ଚେନ୍ଙ୍କ ଏକ ସାକ୍ଷାତକାରର ଭିଡିଓ ଚିତ୍ରକୁ ମଧ୍ୟ ଅନ୍ୟ ଫଟୋ ସହ ତୁଳନା କରିଥିଲା ଗବେଷଣା ସଂସ୍ଥା। ଏହି ସାକ୍ଷାତକାର ଏନଭିଡ଼ିଆର GTC କାର୍ଯ୍ୟକ୍ରମ ସମୟରେ ନିଆଯାଇଥିଲା। ଏହି ପରିଚୟ ସମ୍ପର୍କରେ ସ୍ପଷ୍ଟତା ପାଇଁ Chronoscaleର ପ୍ରତିନିଧିତ୍ୱ କରୁଥିବା ଇନଭେଷ୍ଟର୍ ରିଲେସନ୍ସ ସଂସ୍ଥାକୁ ମଡି ୱାଟର୍ସ ପ୍ରଶ୍ନ କରିଥିଲା। ତେବେ ରିପୋର୍ଟ ପ୍ରକାଶ ପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନଥିବା ସଂସ୍ଥା କହିଛି।

ସୁପର ମାଇକ୍ରୋ ଓ ଏନଭିଡ଼ିଆ ମଧ୍ୟରେ କ'ଣ ସମ୍ପର୍କ?

ଏହି ବିବାଦର ମୂଳ କାରଣ ହେଉଛି AI ଚିପ୍ର ବ୍ୟବସାୟ ଓ ସର୍ଭର ଯୋଗାଣ ବ୍ୟବସ୍ଥା। ଅକ୍ଟୋବର ମାସରେ ସୁପର ମାଇକ୍ରୋ ବିରୋଧରେ ଦାଖଲ ହୋଇଥିବା ଏକ ସଂଶୋଧିତ ସାମୂହିକ ଦେୱାନୀ ମକଦ୍ଦମାରେ କିଛି ପୂର୍ବତନ କର୍ମଚାରୀଙ୍କ ବୟାନ ଉଲ୍ଲେଖ କରାଯାଇଛି I ଏହି ଅଭିଯୋଗ ଅନୁସାରେ, ସେନଲି ଚେନ୍ ସୁପର ମାଇକ୍ରୋ ପାଇଁ ଏନଭିଡ଼ିଆରୁ GPU ଚିପ୍ କିଣିବା ପ୍ରକ୍ରିୟାର ତଦାରଖ କରୁଥିଲେ। ଏହା ସହ କେଉଁ ଗ୍ରାହକଙ୍କୁ କେତେ GPU ଚିପ୍ ଦିଆଯିବ, ସେ ନିଷ୍ପତ୍ତି ମଧ୍ୟ ନେଉଥିଲେ ବୋଲି ଅଭିଯୋଗ ହୋଇଛି। ମାମଲାରେ ଜଣେ ପୂର୍ବତନ କର୍ମଚାରୀ ଦାବି କରିଛନ୍ତି ଯେ, ଚୀନ୍କୁ ବେଆଇନ ଭାବେ ଚିପ୍ ପଠାଇବା ଘଟଣା ସମ୍ପର୍କରେ ସେନଲି ଚେନ୍ ଅଜ୍ଞ ଥିବା ସମ୍ଭବ ନୁହେଁ। ଆଉ ଜଣେ ପୂର୍ବତନ କର୍ମଚାରୀଙ୍କ ଦାବି ଅନୁସାରେ, ଚୀନ୍କୁ ବେଆଇନ ଭାବେ ପଠାଯାଇଥିବା GPUର ସିରିଏଲ୍ ନମ୍ବର ସହ ଜଡ଼ିତ ଚିପ୍ଗୁଡ଼ିକୁ ରିଲିଜ୍ କରିବା ପାଇଁ ସେନଲି ଚେନ୍ ଏନଭିଡ଼ିଆକୁ ଇମେଲ୍ ପଠାଇଥିଲେ।

ଏହି ଅଭିଯୋଗ ଅନୁସାରେ, ସୁପର ମାଇକ୍ରୋରୁ ସେନଲି ଚେନ୍ ଇସ୍ତଫା ଦେବାର ଏକ କାରଣ ମଧ୍ୟ ଏହି ଘଟଣା ହୋଇଥାଇପାରେ। ତେବେ ଏସବୁ ଦାବି ଏବେ ମଧ୍ୟ ଦେୱାନୀ ମାମଲାର ଅଭିଯୋଗ ମଧ୍ୟରେ ସୀମିତ ରହିଛି। ମଡି ୱାଟର୍ସ ନିଜ ରିପୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ମଧ୍ୟ ଦେଇଛି। ସଂସ୍ଥା କହିଛି ଯେ, ସେନଲି ଚେନ୍ ନାମରେ କୌଣସି ବ୍ୟକ୍ତିଙ୍କ ବିରୋଧରେ କୌଣସି ସରକାରୀ ସଂସ୍ଥା ଅଭିଯୋଗପତ୍ର ଦାଖଲ କରିନାହିଁ କିମ୍ବା ତାଙ୍କୁ ଅପରାଧିକ କାର୍ଯ୍ୟରେ ଅଭିଯୁକ୍ତ କରିନାହିଁ। ଦେୱାନୀ ମାମଲାରେ ଥିବା ଅଭିଯୋଗଗୁଡ଼ିକ ଏବେ ମଧ୍ୟ ପ୍ରମାଣିତ ହୋଇନାହିଁ।

୨୫୦ କୋଟି ଡଲାରର ସର୍ଭର ଚୀନ୍କୁ ବେଆଇନ ଭାବେ ବିକ୍ରି ଅଭିଯୋଗ

ଏହି ପୂରା ମାମଲା ପଛରେ ରହିଛି ସୁପର ମାଇକ୍ରୋର ସର୍ଭର ଚୀନ୍କୁ ବେଆଇନ ଭାବେ ବିକ୍ରି ହୋଇଥିବା ଅଭିଯୋଗ। ଆମେରିକାର ଫେଡେରାଲ୍ କୋର୍ଟରେ ଦାଖଲ ହୋଇଥିବା ଏକ ଅପରାଧିକ ଅଭିଯୋଗପତ୍ରରେ ସୁପର ମାଇକ୍ରୋ ସହ ଜଡ଼ିତ ତିନି ଜଣଙ୍କ ନାମ ଆସିଛି। ସେମାନେ ହେଲେ କମ୍ପାନୀର ସହ-ପ୍ରତିଷ୍ଠାତା ଲିଆଓ, ତାଇୱାନ୍ର ମ୍ୟାନେଜର ଚାଙ୍ଗ୍ ଏବଂ ତୃତୀୟ ପକ୍ଷ ବ୍ରୋକର୍ ସନ୍।

also read- ଏନଭିଡିଆରେ ଜେନସେନ୍ ହୁଆଙ୍ଗଙ୍କ ପ୍ରତ୍ୟାବର୍ତ୍ତନ ଆଶା ଶେଷ, ପୁନଃ ନିଯୁକ୍ତି ଦେବାକୁ ମନା କଲା କମ୍ପାନୀର ବୋର୍ଡ

ଅଭିଯୋଗ ଅନୁସାରେ, ଏହି ତିନି ଜଣ ଦକ୍ଷିଣ-ପୂର୍ବ ଏସିଆର ଏକ ମଧ୍ୟସ୍ଥି କମ୍ପାନୀ ଜରିଆରେ ପ୍ରାୟ ୨୫୦ କୋଟି ଡଲାର ମୂଲ୍ୟର ସୁପର ମାଇକ୍ରୋ ସର୍ଭର ଚୀନ୍ର ଗ୍ରାହକଙ୍କୁ ବିକ୍ରି କରିଥିଲେ। ଏହି ସର୍ଭରଗୁଡ଼ିକରେ ଏନଭିଡ଼ିଆର GPU ଚିପ୍ ଲାଗିଥିଲା। ମଧ୍ୟସ୍ଥି କମ୍ପାନୀଟି ବ୍ୟାଙ୍କକ୍ରେ ଥିବା OBON Corp ବୋଲି ଅଭିଯୋଗପତ୍ରର ଏକ ଟିପ୍ପଣୀରେ ଉଲ୍ଲେଖ ରହିଛି। ଏହି ତିନି ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନିଜ ଦୋଷ ସ୍ୱୀକାର କରିଛନ୍ତି। ଆଉ ଜଣେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ତୃତୀୟ ଅଭିଯୁକ୍ତ ଫେରାର ଥିବା ରିପୋର୍ଟ ହୋଇଛି। ଏବେ ସମସ୍ତଙ୍କ ନଜର ଏହି ମାମଲାର ପରବର୍ତ୍ତୀ ତଦନ୍ତ ଓ ଆଇନଗତ ପ୍ରକ୍ରିୟା ଉପରେ। ଏନଭିଡ଼ିଆର ପୂର୍ବତନ ଶୀର୍ଷ ଅଧିକାରୀ ଅଜୟ ପୁରୀଙ୍କ ସମ୍ପର୍କକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ମିଳୁଛି କି ନାହିଁ, ତାହା ମଧ୍ୟ ଆଗାମୀ ଦିନରେ ସ୍ପଷ୍ଟ ହେବ।