ଛତ୍ରପୁର: ସମୁଦ୍ର ଅଶାନ୍ତ ରହିବା କାରଣରୁ ନିଜ ଅଞ୍ଚଳକୁ ଫେରି ନପାରି ଓଡ଼ିଶା ଉପକୂଳରେ ଫସି ରହିଥିବା ଆନ୍ଧ୍ରପ୍ରଦେଶର ମତ୍ସ୍ୟଜୀବୀଙ୍କୁ ସହାୟତାର ହାତ ବଢ଼ାଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ପ୍ରତିକୂଳ ପାଗ ଓ ଉଚ୍ଚ ଜୁଆରକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଂଚଳର ୩୪ଟି ଟ୍ରଲର ଓ ସେଥିରେ ଥିବା ମତ୍ସ୍ୟଜୀବୀମାନଙ୍କୁ ଆର୍ଯ୍ୟପଲ୍ଲୀ ଜେଟି ଏବଂ ଗୋପାଳପୁର ବନ୍ଦର ନିକଟରେ ସୁରକ୍ଷିତ ଭାବେ ଆଶ୍ରୟ ପ୍ରଦାନ କରାଯାଇଛି । ଗୋପାଳପୁର ବନ୍ଦର ଠାରେ ୨୨ ଟି ଟ୍ରଲର ଓ ଆର୍ଯ୍ୟପଲ୍ଲୀ ଜେଟି ନିକଟରେ ୧୨ ଟ୍ରଲର ସୁରକ୍ଷିତ ଭାବେ ରହିଛନ୍ତି |

​ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର  କାକିନାଡ଼ା  ଅଞ୍ଚଳରୁ ଆସିଥିବା ଏହି ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ । ତେବେ ହଠାତ୍ ସମୁଦ୍ର ଅଶାନ୍ତ ହେବା ସହ ପ୍ରବଳ ଢେଉ ଉଠିବାରୁ ସେମାନେ ଆଉ ନିଜ ରାଜ୍ୟକୁ ଫେରିପାରି ନଥିଲେ । ଜୀବନ ବଞ୍ଚାଇବା ପାଇଁ ସେମାନେ ଗଞ୍ଜାମ ଉପକୂଳ ମୁହାଁ ହୋଇଥିଲେ ।

​​​​​​​

ଏହି ଖବର ପାଇବା ମାତ୍ରେ ଗଞ୍ଜାମ ଜିଲ୍ଲା ପ୍ରଶାସନ, ମତ୍ସ୍ୟ ବିଭାଗ ଏବଂ ସାମୁଦ୍ରିକ ଥାନା ପୋଲିସ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଥିଲା । ସମସ୍ତ ୩୪ଟି ଟ୍ରଲରକୁ ସୁରକ୍ଷିତ ଭାବେ ଆର୍ଯ୍ୟପଲ୍ଲୀ ମାଛଧରା ଜେଟି ଏବଂ ଗୋପାଳପୁର ବନ୍ଦରର ନିରାପଦ ସ୍ଥାନରେ ଲଙ୍ଗର ପକାଇବାକୁ ବ୍ୟବସ୍ଥା କରାଯାଇଛି ।

ପ୍ରଶାସନ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କ ସୁରକ୍ଷା ତଦାରଖ କରାଯିବା ସହ ସେମାନଙ୍କୁ ଆବଶ୍ୟକୀୟ ପ୍ରାଥମିକ ସହାୟତା ଯୋଗାଇ ଦିଆଯାଉଛି । ପାଗ ଅନୁକୂଳ ହେବା ଏବଂ ସମୁଦ୍ର ଶାନ୍ତ ପଡ଼ିବା ପରେ ସେମାନେ ନିଜ ଅଞ୍ଚଳକୁ ଫେରିବେ ବୋଲି ଜଣାପଡ଼ିଛି । ଗଞ୍ଜାମ ପ୍ରଶାସନର ଏଭଳି ମାନବିକତା ଓ ତ୍ୱରିତ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।