ଲକ୍ଷ୍ନୌ, ୦୫/୦୪ : ଦୀର୍ଘଦିନ ଧରି ଶାନ୍ତ ଥିଲା ବ୍ୟାଟ୍ । ଶୁଣିବାକୁ ପଡୁଥିଲା ଟାହି ଟପରା । ମାଲିକ ବି ନାଖୁସ୍ ଥିଲେ । ମନଇଚ୍ଛା ଗାଳି କରୁଥିଲେ । କୋଟି କୋଟି ଟଙ୍କାରେ ବିକ୍ରି ହୋଇଥିଲେ ବି ବ୍ୟାଟରୁ ବାହାରୁ ନଥିଲା ରନ୍ । କିନ୍ତୁ ଏବେ ସବୁ ସମାଲୋଚନା ଏବଂ ସମାଲୋଚକଙ୍କୁ ଜବାବ ଦେଇଛନ୍ତି ଭାରତୀୟ କ୍ରିକେଟର ତଥା ଲକ୍ଷ୍ନୌ ସୁପର ଜାଏଣ୍ଟସ୍ କ୍ୟାପ୍ଟେନ୍ ଋଷଭ ପନ୍ତ ।

ହାଇଦ୍ରାବାଦ ବିପକ୍ଷରେ ଦମଦାର୍ ବ୍ୟାଟିଂ

ରବିବାର ସନରାଇଜର୍ସ ହାଇଦ୍ରାବାଦକୁ ଭେଟିଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍ । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ହାଇଦ୍ରାବାଦ । ଦଳ ଲଗାତାର ଓ୍ୱିକେଟ୍ ହରାଇଥିଲା । କିନ୍ତୁ ୧୫୬ ରନ୍ କରିବାରେ ସକ୍ଷମ ହୋଇଥିଲା । ୧୫୭ ରନର ଟାର୍ଗେଟକୁ ପିଛା କରିବାକୁ ଆରମ୍ଭ କରିଥିଲା ପନ୍ତଙ୍କ ଟିମ୍ ଏଲଏସଜି ।

ତେବେ ଏଲଏସଜି ମଧ୍ୟ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିଥିଲା । ଦଳର ମିଡିଲ୍ ଅର୍ଡର ଏକପ୍ରକାର ଭୁଶୁଡି ପଡିଥିଲା । କିନ୍ତୁ ପନ୍ତ କ୍ରିଜରେ ସେମିତି ପାଚେରୀ ଭଳି ଠିଆ ହୋଇଥିଲେ । ହାଇଦ୍ରାବାଦ ବୋଲରଙ୍କ ମୁକାବିଲା କରିଥିଲେ । ଆରମ୍ଭରୁ ଧିମା ଖେଳିଥିଲେ ବି ପରେ ସେ ଚଉକା ବର୍ଷା କରିଥିଲେ । ଶେଷ ଯାଏଁ ଅପରାଜେୟ ରହି ଦଳକୁ ମ୍ୟାଚ୍ ଜିତାଇଥିଲେ ।

ଫର୍ମକୁ ନେଇ କହିଲେ ବଡ କଥା

ମ୍ୟାଚ୍ ପରେ ପନ୍ତ କହିଛନ୍ତି ଯେ, ଅନ୍ତ ଭଲ ହୋଇଛି । ସେ ସଦାବେଳେ ନିଜ ଖେଳ ଉପରେ ଫୋକସ୍ କରିଥାନ୍ତି । ଚଳିତ ଟୁର୍ଣ୍ଣାମେଣ୍ଟ ପାଇଁ ନିଜକୁ ଭଲ ଭାବେ ପ୍ରସ୍ତୁତ କରିଛନ୍ତି । ମ୍ୟାଚକୁ ଜିତାଇବା ବହୁତ ବଡ କଥା । ଏହା ଦଳର ଆତ୍ମବିଶ୍ୱାସ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ।

ସେ ଆହୁରି କହିଛନ୍ତି ଯେ, ନିଶ୍ଚିତ ଭାବେ ତାଙ୍କ ବ୍ୟାଟରୁ ରନ୍ ବାହାରିଛି । ବିଜୟରେ ବୋଲରମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେମାନେ ହାଇଦ୍ରାବାଦ ବୋଲରଙ୍କୁ ୧୬୦ ରନ୍ ଭିତରେ ଅଟକାଇ ଦେଇଥିଲେ । ,ସବୁ ବୋଲର ସେମାନଙ୍କ ଭୂମିକା ସୂଚାର ରୂପେ ନିଭାଇଥିଲେ । ଖେଳାଳିମାନଙ୍କ ଦାୟିତ୍ୱ ବାବଦରେ ସ୍ପଷ୍ଟତା ରହିଛି । ଯାହା ବିଜୟକୁ ସହଜ କରିଥିଲା ବୋଲି ପନ୍ତ ପ୍ରକାଶ କରିଛନ୍ତି ।