ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ ଗ୍ରୀନ୍ ଏନର୍ଜି ବ୍ୟବସାୟରେ ବଡ଼ ନିବେଶ କରିଛନ୍ତି। ସେ ନିଜର ଫ୍ୟାମିଲି ଅଫିସ Midas Deals ଜରିଆରେ ଘରୋଇ ରୁଫଟପ୍ ସୋଲାର ଷ୍ଟାର୍ଟଅପ୍ SolarSquareରେ ପୁଞ୍ଜି ନିବେଶ କରିବା ସହ ଏହି କମ୍ପାନିର ନୂଆ ବ୍ରାଣ୍ଡ ଆମ୍ବାସଡର ମଧ୍ୟ ହୋଇଛନ୍ତି। ଆଉ ଏହି ନିବେଶ ଦ୍ବାରା ମାହୀ ବ୍ୟବସାୟ ଜଗତରେ ଏକ ନୂଆ ମାଷ୍ଟରଷ୍ଟ୍ରୋକ୍ ଖେଳିଥିବା କୁହାଯାଉଛି।

ସୋଲାର କାରବାର ବୃଦ୍ଧି ପାଇଁ SolarSquare କମ୍ପାନି ପକ୍ଷରୁ ଆରମ୍ଭ ହୋଇଥିବା ୫୩ ମିଲିୟନ ଡଲାର ବା ପ୍ରାୟ ୫୧୦ କୋଟି ଟଙ୍କାର ସିରିଜ୍-ସି (Series C) ଫଣ୍ଡିଂ ରାଉଣ୍ଡର ଏହା ଏକ ପ୍ରମୁଖ ଅଂଶ ବିଶେଷ।

୫୧୦ କୋଟିର ମେଗା ଫଣ୍ଡିଂ

ସୂଚନାଥାଉକି, କମ୍ପାନି ନାଇଁ ପାଣ୍ଠି ସଂଗ୍ରହର ଅଭିଯାନର ନେତୃତ୍ବ ନେଇଥିଲା ପ୍ରମୁଖ ନିବେଶକାରୀ ସଂସ୍ଥା Lightspeed। ପାଣ୍ଠି ସଂଗ୍ରହ ଅଭିଯାନ କ୍ରମେ କମ୍ପାନିରେ Lowercarbon Capital, Rainmatter ଏବଂ Good Capital ଭଳି ବଡ଼ ବଡ଼ ମଧ୍ୟ ସାମିଲ ହୋଇଛନ୍ତି। ଧୋନି ଏହି କମ୍ପାନି ସହ ଯୋଡ଼ିହେବା ପରେ ଭାରତୀୟ ସୋଲାର ବଜାର ପ୍ରତି ଗ୍ରାହକଙ୍କ ଆସ୍ଥା ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି। ଧୋନୀ ମଧ୍ୟ ନିଜେ କହିଛନ୍ତି ଯେ, ଏହା କେବଳ ଏକ କମ୍ପାନିରେ ନିବେଶ ନୁହେଁ ବରଂ ଭାରତର ସ୍ୱଚ୍ଛ ଭବିଷ୍ୟତ ପାଇଁ ଏକ ବଡ଼ ପଦକ୍ଷେପ।

Also Read: ଭାରତରେ ବଢ଼ୁଛି EV ସଂଖ୍ୟା, ହେଲେ ଚାର୍ଜିଂ ଷ୍ଟେସନ୍ କେତେ ? ଉତ୍ତର ରଖିଲେ ସରକାର

୩୦ରୁ ୪୦ଟି ନୂଆ ସହରକୁ ବ୍ୟାପିବ ବ୍ୟବସାୟ

SolarSquare କମ୍ପାନି ଏହି ନୂଆ ପୁଞ୍ଜିକୁ ନିଜର ବ୍ୟବସାୟିକ ସମ୍ପ୍ରସାରଣରେ ବ୍ୟବହାର କରିବ। ଆଗାମୀ ଦିନରେ ଦେଶର ଆହୁରି ୩୦ରୁ ୪୦ଟି ନୂଆ ସହରରେ ଏହି ସେବା ପହଞ୍ଚାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ସହିତ ଟେକ୍ନୋଲୋଜିର ବିକାଶ, ଗ୍ରାହକଙ୍କ ପାଇଁ ସହଜ ଫାଇନାନ୍ସିଂ ସୁବିଧା ଏବଂ ବିକ୍ରୟ ପରବର୍ତ୍ତୀ ସେବା ବା ଆଫ୍ଟର ସେଲ୍ସ ସପୋର୍ଟକୁ ମଧ୍ୟ ଅଧିକ ସୁଦୃଢ଼ କରାଯିବ ବୋଲି କହିଛି କମ୍ପାନି। ୨୦୧୫ରେ ଶ୍ରେୟା ମିଶ୍ର, ନୀରଜ ଜୈନ ଏବଂ ନିଖିଲ ନାହରଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଷ୍ଟାର୍ଟଅପ୍ ଆଜି ଏକ ବଡ଼ ବ୍ରାଣ୍ଡ ସାଜିଛି। ବର୍ତ୍ତମାନ ସୁଦ୍ଧା କମ୍ପାନି ଦେଶର ୨୯ଟି ସହରରେ ୫୦,୦୦୦ରୁ ଅଧିକ ଘରେ ରୁଫଟପ୍ ସୋଲାର ସିଷ୍ଟମ ସଫଳତାର ସହ ସ୍ଥାପନ କରିସାରିଛି। ବର୍ତ୍ତମାନ ଏହାର ବାର୍ଷିକ ରାଜସ୍ୱ ରନ୍ ରେଟ୍ (ARR) ପ୍ରାୟ ୧,୦୦୦ କୋଟି ଟଙ୍କାରେ ପହଞ୍ଚିଛି।

୨୦୨୬ରେ ଧୋନୀଙ୍କ ତୃତୀୟ ବଡ଼ ଡିଲ୍

ବ୍ୟବସାୟିକ ଦୃଷ୍ଟିରୁ ଦେଖିଲେ ଚଳିତ ବର୍ଷ ଅର୍ଥାତ ୨୦୨୬ ମସିହାରେ ଷ୍ଟାର୍ଟଅପ୍ ଜଗତରେ ଧୋନୀଙ୍କର ଏହା ତୃତୀୟ ବଡ଼ ନିବେଶ। ଏହାପୂର୍ବରୁ ସେ 'Kuku' ଏବଂ 'LightFury Games' ଭଳି ଷ୍ଟାର୍ଟଅପ୍ରେ ଟଙ୍କା ବିନିଯୋଗ କରିସାରିଛନ୍ତି। କେବଳ ଧୋନୀ ନୁହଁନ୍ତି, ରୋହିତ ଶର୍ମା, ଆଜିଙ୍କ୍ୟ ରହାଣେ ଓ ରିୟାନ ପରାଗଙ୍କ ଭଳି ଅନେକ ତାରକା କ୍ରିକେଟର ମଧ୍ୟ ଏବେ ନୂଆ ନୂଆ ଷ୍ଟାର୍ଟଅପରେ ନିବେଶ କରୁଛନ୍ତି।