ଭୁବନେଶ୍ୱର, ୦୧/୦୯: ୪ ମାସରେ ଯେତିକି ବର୍ଷା ଓଡ଼ିଶାରେ ହେବା କଥା, ଅଗଷ୍ଟ ଶେଷ ସୁଦ୍ଧା ତା'ଠାରୁ ଅଧିକ ଢାଳି ସାରିଲାଣି ମୌସୁମୀ। ଜୁନ୍ ପହିଲାରୁ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ରାଜ୍ୟରେ ସ୍ଵାଭାବିକ ବର୍ଷା ପରିମାଣ ୧୧୫୦.୨ ମିଲିମିଟର। ଜୁନ୍ରେ ୪୭% ନିଅଣ୍ଟିଆ ସ୍ଥିତି ଥିଲା କିନ୍ତୁ ଜୁଲାଇ ଓ ଅଗଷ୍ଟରେ ପ୍ରବଳ ବର୍ଷିଲା। ଜୁନରୁ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟରେ ମୋଟ ହାରାହାରି ବର୍ଷା ପରିମାଣ ୧୧୫୨ ମିମି ଛୁଇଁସାରିଛି। ଏହି ୩ ମାସର ସ୍ବାଭାବିକ ପରିମାଣ ହେଉଛି ୯୧୪ ମିମି। ଅର୍ଥାତ୍ ୨୬% ଅଧିକ ବର୍ଷା ପାଇସାରିଛି ଓଡ଼ିଶା।

ଏପଟେ ସେପ୍ଟେମ୍ବରରେ ବି ଭଲ ବର୍ଷା ହୋଇପାରେ ଓଡ଼ିଶାରେ। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମଡି) ଆକଳନ କରିଛି, ସେପ୍ଟେମ୍ବର ମାସରେ ଦେଶରେ ସ୍ବାଭାବିକ ଠାରୁ ବର୍ଷା ପରିମାଣ କମ୍ ରହିପାରେ। ଦେଶର ଅନେକ ଅଞ୍ଚଳରେ ବର୍ଷା ନିଅଣ୍ଟିଆ ରହିବା ସମ୍ଭାବନା ଅଛି। ହେଲେ ପୂର୍ବ, ଉତ୍ତର-ପୂର୍ବ, ଉତ୍ତର-ପଶ୍ଚିମ ଓ ଦକ୍ଷିଣ ପୂର୍ବ ଭାରତର ବହୁ ଅଞ୍ଚଳରେ ସ୍ବାଭାବିକ କିମ୍ବା ତା'ଠାରୁ ଅଧିକ ବର୍ଷା ହୋଇପାରେ।

Also Read :- Horoscope Today : ସେପ୍ଟେମ୍ବର ୧ ତାରିଖ, ମଙ୍ଗଳବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ଆଇଏମଡି ଜାରି କରିଥିବା ସମ୍ଭାବ୍ୟ ଚିତ୍ର ଦର୍ଶାଉଛି, ଓଡ଼ିଶାର ଉତ୍ତରରେ ଅଧିକ ବର୍ଷା ରହିପାରେ ସେପ୍ଟେମ୍ବରରେ। ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳରେ ବି ସ୍ବାଭାବିକ ବର୍ଷା ସମ୍ଭାବନା ଅଛି। କେନ୍ଦ୍ରୀୟ ଓଡ଼ିଶାର ଅଳ୍ପ କିଛି ଜାଗାରେ ସ୍ବାଭାବିକ ବର୍ଷା ହୋଇପାରେ। ମାତ୍ର ଦକ୍ଷିଣ ଓଡ଼ିଶାରେ ବର୍ଷା ନିଅଣ୍ଟିଆ ରହିବା ଆଶଙ୍କା ଅଛି। ଉତ୍ତର ଉପକୂଳରେ ଭଲ ବର୍ଷା ଆଶା ଦେଖାଯାଉଛି। ହେଲେ ଦକ୍ଷିଣ ଉପକୂଳରେ ବର୍ଷା ଗାଏବ ରହିପାରେ। ଏହି ଅନୁମାନ ଯଦି ସତ ହୁଏ, ତେବେ ଜୁଲାଇ ଓ ଅଗଷ୍ଟ ଭଳି ଏଥର ବି ଉତ୍ତର ଓଡ଼ିଶାରେ ବର୍ଷା ଅଧିକ ହେବ।

ତାପମାତ୍ରାକୁ ନେଇ ଯେଉଁ ପୂର୍ବାନୁମାନ ସମ୍ଭାବ୍ୟ ଚିତ୍ର ଦେଖାଯାଇଛି, ସେଥିରେ ଓଡ଼ିଶାରେ ଅସ୍ବାଭାବିକ ଗରମ ଅନୁଭୂତ ହୋଇପାରେ। ସମଗ୍ର ଓଡ଼ିଶାରେ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ। ପାଣିପାଗ ବୈଜ୍ଞାନିକ ବିଶ୍ଵଜିତ ସାହୁଙ୍କ ପୂର୍ବାନୁମାନ ହେଲା, ବର୍ତ୍ତମାନ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ଘଡ଼ଘଡ଼ି ସହ ସ୍ଥାନେ ସ୍ଥାନେ ଅସରାଏ ବର୍ଷା ହୋଇପାରେ। ୮-୯ ତାରିଖ ଯାଏଁ କୌଣସି ଘୂର୍ଣ୍ଣିବଳୟ ସମ୍ଭାବନା ନାହିଁ।

ତେବେ ୧୦ ତାରିଖ କିମ୍ବା ତା' ପରେ ଦକ୍ଷିଣ ଚୀନ ସାଗର (ଥାଇଲାଣ୍ଡ) ପଟୁ ଏକ ଘୂର୍ଣ୍ଣିବଳୟ ବଙ୍ଗୋପସାଗରକୁ ଆସିପାରେ। ୧୨ରୁ ୧୪ ତାରିଖ ଭିତରେ ଏହା ଆଣ୍ଡାମାନ ସାଗରରେ ଲଘୁଚାପ ରୂପ ନେଇପାରେ। ଅନୁମାନ କରାଯାଉଛି, ସେପ୍ଟେମ୍ବରରେ ଓଡ଼ିଶାରେ ବର୍ଷା ରହିବ। ଉତ୍ତର ତୁଳନାରେ ଦକ୍ଷିଣ ଓ ଉପକୂଳରେ ଅଧିକ ବର୍ଷା ହୋଇପାରେ। ଏ ମାସରେ ଗରମ ପ୍ରଭାବ ବି ରହି ପାରେ।

ଆଇ ଏମଡି ସୂଚନା ଅନୁ ସାରେ ବଙ୍ଗୋପସାଗରରେ ଥିବା ଲଘୁଚାପ ଘନୀଭୂତ ହୋଇ ୱେଲ ମାର୍କଡ (ସ୍ପଷ୍ଟ ଚିହ୍ନଟ) ଲଘୁଚାପ ରୂପ ନେଇଛି। ଏହା ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାର୍ଶ୍ଵବର୍ତ୍ତୀ ଉତ୍ତର ଉପକୂଳ ଓଡ଼ିଶା ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ରହିଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଦେଇ ଗତି କରିବ । ମଙ୍ଗଳବାର ସକାଳ ସୁଦ୍ଧା ଉତ୍ତର ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି। ମଙ୍ଗଳବାର ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ବରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା ଏବଂ ବଲାଙ୍ଗିରରେ ପ୍ରବଳ ବର୍ଷା ହୋଇପାରେ। କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ବୁଧବାରଠାରୁ ବର୍ଷା ପରିମାଣ କମିବ। ୩ ତାରିଖରୁ ବର୍ଷା କାଁ ଭାଁ ହୋଇପାରେ ।