ନୂଆଦିଲ୍ଲୀ ୦୯।୦୫; ଇଣ୍ଡୋନେସିଆର ନର୍ଥ ହଲମହେରା ଦ୍ୱୀପ ସ୍ଥିତ ମାଉଣ୍ଟ ଦୁକୋନୋରେ ଶୁକ୍ରବାର ଆଗ୍ନେୟଗିରି ଉଦ୍ଗିରଣ ହୋଇଛି । ଏଥିରେ ୨ ବିଦେଶୀ ନାଗରିକଙ୍କ ସମେତ ମୋଟ ୩ ଟ୍ରେକର୍ସଙ୍କ ମୃତ୍ୟୁ ଘଟିଛି । ପ୍ରାୟ ୧୫ ଜଣଙ୍କୁ ପାହାଡ଼ରୁ ତଳକୁ ଓହ୍ଲାଇଦିଆଯାଇଛି । ସେମାନଙ୍କ ମଧ୍ୟରୁ କେତେଜଣ ଆହତ ହୋଇଛନ୍ତି । ସମସ୍ତ ଟ୍ରେକର୍ କଟକଣା ଜାରି ଥିବା ସ୍ଥାନରେ ଉପସ୍ଥିତ ଥିଲେ । ପ୍ରାୟ ୨୦ ଜଣ ଦୁକୋନୋ ପାହାଡ଼ ଚଢ଼ୁଥିବା ସମୟରେ ପର୍ବତ ଶିଖରେ ଥିବା ଆଗ୍ନେୟଗିରି ମୁଖରେ ଭୟଙ୍କର ବିସ୍ଫୋରଣ ହୋଇଥିଲା ।

ଏଥିଯୋଗୁ ଉତ୍ପନ ନିଆଁ ଏବଂ ପାଉଶଁ ପ୍ରାୟ ୧୦ କିମି ଉଚ୍ଚକୁ ଉଠିଯାଇଥିଲା । ଏଥିସହ ନିଆଁ, ଲାଭା ଆଖପାଖକୁ ମାଡ଼ି ଆସିଥିଲା । ଫଳରେ ମୃତ ପର୍ଯ୍ୟଟକମାନେ ନିଜକୁ ବଞ୍ଚାଇବା ଲାଗି ସୁଯୋଗ ପାଇ ନଥିଲେ । ଆଗ୍ନେୟଗିରି ଉଦ୍ଗିରଣ ପରେ ଆଖପାଖରେ ନିଆଁପାଉଶଁ ଖସିବାର ଆଶଙ୍କା ଥିବାରୁ ଲୋକଙ୍କୁ ସେହି ସ୍ଥାନ ନିକଟକୁ ନ ଯିବାକୁ ସରକାରଙ୍କ ପକ୍ଷରୁ ଚେତାବନୀ ଜାରି କରାଯାଇଛି ।

ଗତ ବର୍ଷ ଡିସେମ୍ବରରୁ ମାଉଣ୍ଟ ଦୁକୋନୋରେ ଦ୍ୱିତୀୟ ସ୍ତରର ଆଲର୍ଟ ଜାରି ରହିଥିଲା । ସେଠାରେ ଚେତାବନୀ ବୋର୍ଡ ମଧ୍ୟ ଲଗାଯାଇଥିଲା । ଏହା ସତ୍ତ୍ଵେ କିଛି ପର୍ଯ୍ୟଟକ ସେଠାକୁ ଯାଇଥିଲେ ବୋଲି ଜଣାଯାଇଛି । ତେବେ ପ୍ରତିକୂଳ ପରିସ୍ଥିତି ଯୋଗୁ ମୃତକଙ୍କ ମୃତଦେହ ଉଦ୍ଧାର କରାଯାଇପାରି ନାହିଁ।

Also Read-ଦେଶର ନୂତନ ସିଡିଏସ୍ ହେବେ ଏନଏସ ରାଜା ସୁବ୍ରମଣି, ତିନୋଟି ସଶସ୍ତ୍ର ବାହିନୀର ନେବେ ନେତୃତ୍ୱ