ଭୁବନେଶ୍ୱର: ଓଡ଼ିଶାରେ ବକ୍ସାଇଟ୍‌ର ବିପୁଳ ଭଣ୍ଡାର ରହିଥିବା ସତ୍ତ୍ୱେ ଆଲୁମିନିୟମ୍ ଉତ୍ପାଦନ ପାଇଁ ଭାରତକୁ ଏବେ ବି ବାହାର ଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି । କିନ୍ତୁ ‘ଆତ୍ମନିର୍ଭର ଭାରତ’ ନୀତି ଯୋଗୁ ଆଗାମୀ ଦିନରେ ଏହି ନିର୍ଭରଶୀଳତା ହ୍ରାସ ପାଇବ ବୋଲି କହିଛନ୍ତି ବେଦାନ୍ତ ଗ୍ରୁପ୍‌ର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ।  

ଓଡ଼ିଶା ସହ ବେଦାନ୍ତର ସମ୍ପର୍କ ଦୀର୍ଘଦିନର ବୋଲି ଉଲ୍ଲେଖ କରି ଅଗ୍ରୱାଲ କହିଛନ୍ତି ଯେ, ରାଜ୍ୟରେ ଶିଳ୍ପ ବିକାଶର ବିପୁଳ ସମ୍ଭାବନା ରହିଛି। କଳାହାଣ୍ଡିରେ ବେଦାନ୍ତର ଆଲୁମିନିୟମ୍ ଶିଳ୍ପ ପ୍ରତିଷ୍ଠା ସହଜ ନଥିଲା । ବିଭିନ୍ନ ସ୍ତରରେ ବିରୋଧ ସତ୍ତ୍ୱେ ଏଠାରେ ଏକ ବୃହତ୍ ଆଲୁମିନିୟମ୍ ଶିଳ୍ପ ଗଢ଼ିଉଠିଥିବା ସେ କହିଛନ୍ତି। 

ଓଡ଼ିଶାର ଶିଳ୍ପ ବିକାଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସହଯୋଗକୁ ମଧ୍ୟ ସେ ମନେ ପକାଇଥିଲେ । ଆଗାମୀ ଦିନରେ ଓଡ଼ିଶାରେ ବେଦାନ୍ତର କାର୍ଯ୍ୟକଳାପକୁ ଆହୁରି ବ୍ୟାପକ କରିବା ନେଇ ସେ ଆଶାବାଦୀ ଥିବା କହିଛନ୍ତି।

ଢେଙ୍କାନାଳରେ ୩ ମିଲିୟନ ଟନ୍‌ର ସ୍ମେଲଟର ପ୍ଲାଣ୍ଟ

ଓଡ଼ିଶାର ଢେଙ୍କାନାଳରେ ୩ ମିଲିୟନ ଟନ୍ କ୍ଷମତାର ସ୍ମେଲଟର ପ୍ଲାଣ୍ଟ ପାଇଁ ଜମି ମିଳିସାରିଥିବା ଅନୀଲ ଅଗ୍ରୱାଲ କହିଛନ୍ତି। ଖୁବଶୀଘ୍ର ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ । ଏହାସହ ଓଡ଼ିଶାରେ ପାୱାର, ରିଫାଇନେରୀ ଓ ସ୍ମେଲଟର କ୍ଷେତ୍ରରେ ବେଦାନ୍ତ ଗ୍ରୁପ୍ ବଡ଼ ଧରଣର ପୁଞ୍ଜିନିବେଶ କରିବ। ମୋଟ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ନିବେଶ ଯୋଜନା ରହିଥିବା ବେଳେ, ଏଥିରୁ ପ୍ରାୟ ୪୦ ପ୍ରତିଶତ ସ୍ମେଲଟର, ୩୦ ପ୍ରତିଶତ ପାୱାର ଏବଂ ୩୦ ପ୍ରତିଶତ ରିଫାଇନେରୀ କ୍ଷେତ୍ରରେ ନିବେଶ କରାଯିବା ନେଇ ସେ କହିଛନ୍ତି।

ଏହା ସହ ଶିଳ୍ପର ଉତ୍ପାଦନ କ୍ଷମତା ବଢ଼ାଇବା ନେଇ ମଧ୍ୟ ଯୋଜନା ରହିଛି। ମୁଖ୍ୟମନ୍ତ୍ରୀଙ୍କ ସହ ୨ ମିଲିୟନ ଟନ୍ ଉତ୍ପାଦନ ଓ କ୍ଷମତା ବୃଦ୍ଧି ନେଇ ଆଲୋଚନା କରିଥିବା ସେ କହିଛନ୍ତି। ସରକାରଙ୍କ ପକ୍ଷରୁ ଆବଶ୍ୟକ ସୁବିଧା ଓ ସୁଯୋଗ ଯୋଗାଇ ଦିଆଯିବ ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

Also Read: ପଶ୍ଚିମ ଓଡ଼ିଶାରେ ବଡ଼ ହସ୍ପିଟାଲ କରିବ ବେଦାନ୍ତ, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବ ଦେଲେ ଅନୀଲ ଅଗ୍ରୱାଲ

ରୋଜଗାର ଓ ଶିଳ୍ପ ବିକାଶ ଉପରେ ଗୁରୁତ୍ୱ

ସେହିଭଳି ଲୋକଙ୍କୁ ଅଧିକ ରୋଜଗାର ସୁଯୋଗ ଦେବା ବେଦାନ୍ତର ପ୍ରମୁଖ ଲକ୍ଷ୍ୟ ବୋଲି ଅନୀଲ ଅଗ୍ରୱାଲ କହିଛନ୍ତି। ଏଥିପାଇଁ ରାଜ୍ୟରେ ଶିଳ୍ପର ବିକାଶ ଓ ନୂଆ ନିବେଶ ଆବଶ୍ୟକ । ଆଗାମୀ ୨୦୦ ବର୍ଷ ପର୍ଯ୍ୟନ୍ତ ବେଦାନ୍ତକୁ ଓଡ଼ିଶାରେ ଚଳାଇବାର ସ୍ୱପ୍ନ ଥିବା ସେ କହିଛନ୍ତି।

ଆତ୍ମନିର୍ଭର ଭାରତ ଉପରେ ଆଶା

ଭାରତ ଆଉ କେବଳ ଆମଦାନୀ ଉପରେ ନିର୍ଭରଶୀଳ ରାଷ୍ଟ୍ର ହୋଇ ରହିବ ନାହିଁ । ସରକାରଙ୍କ ନୀତି ସହ ଲୋକଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନ ଆସିଥିବାରୁ ଭାରତ ବିଭିନ୍ନ କ୍ଷେତ୍ରରେ ଆତ୍ମନିର୍ଭର ହେଉଛି । ବକ୍ସାଇଟ୍ କ୍ଷେତ୍ରରେ ଭାରତରେ ଭରପୁର ସମ୍ଭାବନା ରହିଛି। ତେଣୁ ଆଗାମୀ ଦିନରେ ଦେଶର ବାହ୍ୟ ନିର୍ଭରଶୀଳତା କମାଇବା ଉପରେ ଗୁରୁତ୍ୱ ଦେଇଛନ୍ତି।

ଅନ୍ୟପଟେ, ପ୍ରାୟ ୨୦ ବର୍ଷ ପୂର୍ବେ ବେଦାନ୍ତକୁ ନେଇ ଯେଉଁ ବିରୋଧ ଦେଖାଯାଉଥିଲା, ତାହା ଏବେ ହ୍ରାସ ପାଇଛି । ଶିଳ୍ପ ବୃଦ୍ଧି ସହ ରୋଜଗାର ସୃଷ୍ଟି ଓ ଆର୍ଥିକ ବିକାଶକୁ ଆଗେଇ ନେବା ଉପରେ ବେଦାନ୍ତ ଗୁରୁତ୍ୱ ଦେଉଥିବା ସେ ସୂଚନା ଦେଇଛନ୍ତି।