ମୁମ୍ବାଇ: ଆଗାମୀ ସପ୍ତାହରେ ହେବାକୁ ଥିବା ବ୍ୟାଙ୍କ ହରତାଳ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସୁଛି। ସିଏନବିସି-ଟିଭି୧୮ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଦେଶର ଏକ ପ୍ରମୁଖ ଘରୋଇ ବ୍ୟାଙ୍କ ବିକ୍ରି ଲାଗି ପ୍ରସ୍ତୁତି କରୁଛି। ଏହି ଡିଲ ଲାଗି ଘରୋଇ କ୍ଷେତ୍ରର ଅନ୍ୟ ଏକ ବ୍ୟାଙ୍କ ସହ କଥାବାର୍ତ୍ତା ଚାଲିଛି। ରିପୋର୍ଟରେ କୁହାଯାଇଛି ଯେ ଉଭୟ ବ୍ୟାଙ୍କ ମଧ୍ୟରେ ଏହି ନେଣଦେଣ ସେୟାର ଅଦଳବଦଳ ମାଧ୍ୟମରେ ହେବ। ଏହି ବ୍ୟାଙ୍କର ବଜାର ପୁଞ୍ଜିକରଣ (ମାର୍କେଟ୍ କ୍ୟାପ) ୫,୬୪୦ କୋଟି ଟଙ୍କା ଓ ବ୍ୟାଙ୍କର ସାରା ଦେଶରେ ପାଖାପାଖି ୪୫ ଲକ୍ଷ ଗ୍ରାହକ ଅଛନ୍ତି।

ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ଓ ଫେଡେରାଲ ବ୍ୟାଙ୍କ ମଧ୍ୟରେ ଏହି ଡିଲ ହେବ ଓ ଏ ନେଇ ଆଲୋଚନା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ପ୍ରସ୍ତାବିତ ଡିଲ ଅନୁସାରେ ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କର ସବୁ ସମ୍ପତ୍ତି ଓ ବ୍ୟବସାୟୀକ ଗତିବିଦ୍ଧିକୁ ଅଧିଗ୍ରହଣ କରିବାକୁ ଫେଡେରାଲ ବ୍ୟାଙ୍କ ଆଗ୍ରହ ପ୍ରକାଶ କରିଛି। ଏହି ନେଣଦେଶ ସେୟାର ଅଦଳବଦଳରେ ହେବ, ଯାହାର ଅର୍ଥ ହେଉଛି ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କର ସବୁ ସେୟାର ଫେଡେରାଲ ବ୍ୟାଙ୍କକୁ ହସ୍ତାନ୍ତରିତ କରିଦିଆଯିବ। ତେବେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଏଭଳି ଡିଲ ନୂଆ ନୁହେଁ, ପୂର୍ବରୁ ମଧ୍ୟ ସେୟାର ଅଦଳବଦଳ କରି ବ୍ୟାଙ୍କ ଡିଲ ହୋଇଛି। ଏହାର ଉଦାହରଣ ଭାବେ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଦ୍ୱାରା ଆଇଏନଜି ବୈଶ୍ୟ ବ୍ୟାଙ୍କକୁ ଅଧିଗ୍ରହଣ କରିଥିଲା।

ସୂତ୍ର ଅନୁସାରେ ଏହି ଡିଲ ପାଇଁ ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କର ପ୍ରତି ସେୟାର ମୂଲ୍ୟ ୬୨୦ରୁ ୬୫୦ ଟଙ୍କା ମଧ୍ୟରେ ଆକଳନ କରାଯାଇଛି। ସେୟାର ମୂଲ୍ୟ ୩୫୦ ଭାବେ ଫେଡେରାଲ ବ୍ୟାଙ୍କ ସେୟାର ହସ୍ତାନ୍ତରଣ ପାରସ୍ପରିକ ବିନିମୟ ମାଧ୍ୟମରେ କରାଯିବ। ଫେଡେରାଲ ବ୍ୟାଙ୍କର ବର୍ତ୍ତମାନ ବଜାର ପୁଞ୍ଜିକରଣ ପାଖାପାଖି ୮୨,୦୦୦ କୋଟି ଟଙ୍କା। ଏହି ବିକାକିଣା ପରେ ଫେଡେରାଲ ବ୍ୟାଙ୍କର କାରବାର ଓ ବ୍ୟାଙ୍କିଙ୍ଗ ସେବା ଉଲ୍ଲେଖନୀୟ ସମ୍ପ୍ରସାରଣ ହେବ ବୋଲି ଆଶା କରାଯାଉଛି।

ସୂତ୍ର ଅନୁସାରେ ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କର ଏବେ ଦେଶରେ ପାଖାପାଖି ୪୫ଲକ୍ଷ ଗ୍ରାହକ ଅଛନ୍ତି। ଦୁଇ ସଂସ୍ଥାଙ୍କ ମଧ୍ୟରେ ବୁଝାମଣା ଘୋଷଣା ଆଗାମୀ କିଛି ସପ୍ତାହ ମଧ୍ୟରେ ହୋଇପାରେ। ଏହି ବୁଝାମଣା ଦ୍ୱାରା ଫେଡେରାଲ ବ୍ୟାଙ୍କର ଆୟ ଓ ସମ୍ଭାବିତ ରୂପେ ଏହାର ଋଣଦାନ କ୍ଷମତା ବୃଦ୍ଧି ହେବାର ଆଶା କରାଯାଉଛି। ଶୁକ୍ରବାର ଜନା ସ୍ମଲଫାଇନାନ୍ସ ବ୍ୟାଙ୍କର ସେୟାର ୫୩୩ ଟଙ୍କାରେ ବନ୍ଦ ହୋଇଛି, ଅର୍ଥାତ ସେୟାର ପିଛା ୧.୯୭% ଅଭିବୃଦ୍ଧି ରେକର୍ଡ ହୋଇଛି।