ନୂଆଦିଲ୍ଲୀ: ମାତ୍ର ୧୫ ବର୍ଷ ବୟସରେ ଘରୁ ଚାଲିଯାଇଥିବା ପୁଅ ଯେ, କେବେ ଫେରିଆସିବ ସେକଥା କାହାକୁ ବିଶ୍ବାସ ନଥିଲା । ସାହି ପଡ଼ିଶା କଥା ଛାଡ଼ନ୍ତୁ, ନିଜ ଜନ୍ମ କଲା ମା’ ବି ଆଶା ଛାଡ଼ି ଦେଇଥିଲା  । ୧୯୮୦ରୁ ଗାଏବ ହୋଇଯାଇଥିବା ପୁଅ, ୨୦୨୬ରେ ପୁଣି ଘରକୁ  ଫେରିଲା । ୬୧ ବର୍ଷ ବୟସରେ ଘର ଦୁଆରେ ମା’କୁ ଡାକ ପକାଇଲା ହଜିଲା ପୁଅ । ମା’ ବୁଢ଼ି ହୋଇଯାଇଥିଲେ ବି ପୁଅର ଡାକ ଶୁଣି ଚିହ୍ନି ପକାଇଥିଲା । ଆଉ ତାପରେ ଘରେ ସୃଷ୍ଟି ହୋଇଥିଲା ଅତି ଆବେଗଭରା ପରିବେଶ । ହଜିଲା ପୁଅକୁ ପାଇ ଖୁସିରେ କାନ୍ଦି ପକାଇଥିଲା ମା’ । ସେପଟେ ପୁଅ ବି ମା’କୁ ଦେଖି ଖୁସିରେ ଝୁମି ଉଠିଥିଲା । କିନ୍ତୁ ପୁଅ ଏବେ ପରିଣତ ବୟସରେ ପହଞ୍ଚିସାରିଛି, ସାଧୁ ହୋଇଯାଇଛି । ଘରକୁ ଫେରିଛି ସତ, କିନ୍ତୁ ସେ ଘରେ ଆଉ ରହିବ ନାହିଁ । ମା’ଠୁ ବିଦାୟ ନେଇ ପୁଣି ଫେରିଯିବ ।

ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାରୁ ଏକ ଅତ୍ୟନ୍ତ ଭାବପୂର୍ଣ୍ଣ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୧୯୮୦ ମସିହାରେ ମାତ୍ର ୧୫ ବର୍ଷ ବୟସରେ ହଜିଯାଇଥିବା ଜଣେ କିଶୋର ଦୀର୍ଘ ୪୬ ବର୍ଷ ପରେ ନିଜ ଗାଁକୁ ଫେରିଛନ୍ତି। ଆଜି ୬୧ ବର୍ଷ ବୟସରେ ସେ ଯେତେବେଳେ ନିଜ ମା’ଙ୍କ ଦୁଆରମୁହଁରେ ପହଞ୍ଚିଲେ, ହଠାତ ପରିବେଶ ଭାବାପୂର୍ଣ୍ଣ ହୋଇଉଠିଥିଲା । ତେବେ ସେ କୌଣସି ସାଧାରଣ ସାଂସାରିକ ପୁଅ ଭାବେ ଘରକୁ ଫେରିନାହାନ୍ତି, ବରଂ ଜଣେ ସାଧୁ ଭାବେ ନିଜ ଗୁରୁଙ୍କର ଏକ ପବିତ୍ର ପ୍ରତିଶ୍ରୁତି ପୂରଣ କରିବାକୁ ଆସିଛନ୍ତି।

ବର୍ତ୍ତମାନ 'ବୁଦ୍ଧ ନାଥ' ନାମରେ ପରିଚିତ ଏହି ସାଧୁ ଜଣକ ଜୁନ୍ ୪ ତାରିଖରେ ବେରିନାଗ ନିକଟସ୍ଥ ଦୌଲିଗାଡ଼ ଗାଁରେ ଥିବା ନିଜ ପୈତୃକ ଘରେ ପହଞ୍ଚି ନିଜ ବୃଦ୍ଧା ମା’ ନନ୍ଦୀ ଦେବୀଙ୍କଠାରୁ ଭିକ୍ଷା ମାଗିଥିଲେ। ପରେ ପରିବାର ଲୋକେ ଜାଣିବାକୁ ପାଇଲେ ଯେ, ଜଟାଧାରୀ ସାଧୁ ଜଣକ ଆଉ କେହି ନୁହନ୍ତି, ବରଂ ସେମାନଙ୍କର ସେହି ହଜିଯାଇଥିବା ପୁଅ 'ବୁଦ୍ଧି ବଲ୍ଲଭ ଉପାଧ୍ୟାୟ'।

ପୁଅକୁ ଦେଖିପାରିଲେନି ବାପା
ପ୍ରାୟ ୫୦ ବର୍ଷ ଧରି ପରିବାର ପାଖରେ ସେ ଜୀବିତ ଅଛନ୍ତି କି ନାହିଁ, ସେ ନେଇ କୌଣସି ସୂଚନା ନଥିଲା। ପିଥୋରାଗଡ଼-ବାଗେଶ୍ୱର ସୀମାନ୍ତରେ ଥିବା ଏହି ଦୁର୍ଗମ ଗାଁରୁ ନିଖୋଜ ହେବା ପରେ ତାଙ୍କ ବାପା ତାରା ଦତ୍ତ ଉପାଧ୍ୟାୟ ପୁଅକୁ ବହୁତ ଖୋଜାଖୋଜି କରିଥିଲେ। ମାତ୍ର ସବୁ ପ୍ରୟାସ ବିଫଳ ହୋଇଥିଲା। ଶେଷରେ ପୁଅକୁ ଦେଖିବାର ଆଶା ବୁକୁରେ ଚାପି ୨୦୦୫ ମସିହାରେ ବାପା ତାରା ଦତ୍ତ ଆଖି ବୁଜିଥିଲେ। କିନ୍ତୁ ମା’ ନନ୍ଦୀ ଦେବୀଙ୍କ ପ୍ରତୀକ୍ଷା ଆଜି ସଫଳ ହୋଇଛି ଏବଂ ୪୬ ବର୍ଷ ପରେ ପୁଅକୁ ଆଖି ଆଗରେ ଦେଖି ସେ ନିଜର ଲୁହ ରୋକିପାରି ନାହାନ୍ତି।

ସାଧୁ ହୋଇ କାହିଁକି ଗାଁକୁ ଫେରିଲେ ବୁଦ୍ଧି ବଲ୍ଲଭ ?
ବୁଦ୍ଧ ନାଥଙ୍କ କହିବା ଅନୁଯାୟୀ, ତାଙ୍କର ଏହି ପ୍ରତ୍ୟାବର୍ତ୍ତନ କୌଣସି ଆକସ୍ମିକ ଘଟଣା ନୁହେଁ। ସେ ଗ୍ରାମବାସୀଙ୍କୁ ଜଣାଇଛନ୍ତି ଯେ, ମୋର ଆଧ୍ୟାତ୍ମିକ ଗୁରୁ ଚାରି ବର୍ଷ ପୂର୍ବେ ପ୍ରାଣତ୍ୟାଗ କରିଛନ୍ତି। ମୃତ୍ୟୁ ପୂର୍ବରୁ ସେ ମୋତେ ନିର୍ଦ୍ଦେଶ ଦେଇଥିଲେ ଯେ, ମୁଁ ଯେପରି ନିଜ ଜନ୍ମମାଟିକୁ ଫେରି ମୋ ଜନ୍ମଦାତ୍ରୀ ମା’ଙ୍କ ହାତରୁ ଭିକ୍ଷା ଗ୍ରହଣ କରେ। ମୁଁ କେବଳ ସେହି ଗୁରୁଆଜ୍ଞା ପାଳନ କରିବାକୁ ଏଠାକୁ ଆସିଛି।

ନିଜ ଅତୀତ ସମ୍ପର୍କରେ ସୂଚନା ଦେଇ ବୁଦ୍ଧ ନାଥ କହିଛନ୍ତି ଯେ, ୧୫ ବର୍ଷ ବୟସରେ ଘର ଛାଡ଼ିବା ପରେ ସେ ପ୍ରାରମ୍ଭିକ ଦିନଗୁଡ଼ିକରେ ଟ୍ରକ୍ ଏବଂ ପରିବହନ କ୍ଷେତ୍ରରେ ଶ୍ରମିକ ଭାବେ କାମ କରୁଥିଲେ। ଧୀରେ ଧୀରେ ତାଙ୍କର ମନ ମନ୍ଦିର ଏବଂ ଆଧ୍ୟାତ୍ମିକତା ଆଡ଼କୁ ଆକର୍ଷିତ ହେଲା। ସେ ସନାତନ ଧର୍ମର 'ନାଥ ସମ୍ପ୍ରଦାୟ' ଦ୍ୱାରା ଅନୁପ୍ରାଣିତ ହୋଇ ସନ୍ନ୍ୟାସ ଗ୍ରହଣ କଲେ। ବର୍ତ୍ତମାନ ସେ ରାଜସ୍ଥାନର ବିକାନେର ସହରର ଏକ ମନ୍ଦିରରେ ରହୁଛନ୍ତି।

ମା’ଙ୍କଠାରୁ ଭିକ୍ଷା ନେବାର ମହତ୍ତ୍ୱ
ନାଥ ସମ୍ପ୍ରଦାୟର ପରମ୍ପରା ଅନୁଯାୟୀ, ଜଣେ ସନ୍ନ୍ୟାସୀ ପୂର୍ଣ୍ଣ ରୂପେ ବୈରାଗ୍ୟ ଗ୍ରହଣ କରିବା ପୂର୍ବରୁ ନିଜ ମା’ଙ୍କଠାରୁ ଭିକ୍ଷା  ଗ୍ରହଣ କରିବା ଅନିବାର୍ଯ୍ୟ । ଏହି ରୀତିନୀତି ସାଂସାରିକ ଓ ପାରିବାରିକ ସମ୍ପର୍କର ଶେଷ ସ୍ୱୀକୃତିକୁ ଦର୍ଶାଇଥାଏ, ଯାହା ପରେ ଜଣେ ସାଧୁ ସମ୍ପୂର୍ଣ୍ଣ ରୂପେ ମାୟାମୋହ ତ୍ୟାଗ କରନ୍ତି। ମା’ ନନ୍ଦୀ ଦେବୀଙ୍କଠାରୁ ଭିକ୍ଷା ଗ୍ରହଣ କରି ବୁଦ୍ଧ ନାଥ ନିଜର ସେହି ଆଧ୍ୟାତ୍ମିକ କର୍ତ୍ତବ୍ୟ ଶେଷ କରିଛନ୍ତି।

‘ଭିକ୍ଷା ନେବା ପରେ ମୁଁ ଚାଲିଯିବି’
ଏହି ମିଳନ ଯେତିକି ଆନନ୍ଦଦାୟକ ଥିଲା, ସେତିକି ଦୁଃଖଦାୟକ ମଧ୍ୟ ଥିଲା। ବୁଦ୍ଧ ନାଥ ସ୍ପଷ୍ଟ କରିଛନ୍ତି ଯେ, ସେ ଘରେ ରହିବା ପାଇଁ ଆସିନାହାନ୍ତି। ସେ କହିଛନ୍ତି, ‘ମା’ଙ୍କଠାରୁ ଭିକ୍ଷା ନେବା ପରେ ମୁଁ ଏହି ସ୍ଥାନ ଛାଡ଼ି ସବୁଦିନ ପାଇଁ ଚାଲିଯିବି ଏବଂ ଆଉ କେବେ ଫେରିବି ନାହିଁ।’ ଏହି କଥା ଗ୍ରାମବାସୀ ଏବଂ ପରିବାର ଲୋକଙ୍କୁ ସ୍ତବ୍ଧ କରିଦେଇଛି। ପ୍ରାୟ ପାଞ୍ଚ ଦଶନ୍ଧି ପରେ ମା’ ଏବଂ ପୁଅର ମିଳନ ତ ହେଲା, କିନ୍ତୁ ତାହା କେବଳ କିଛି ସମୟ ପାଇଁ ।