ବ୍ରିଟେନ: ମାତ୍ର ୩୦ ସେକେଣ୍ଡରେ ୧୯୫ ଥର ଚୁମ୍ବନ କରିପାରିବେ? ଶୁଣିବାକୁ ଅସମ୍ଭବ ମନେ ହେଉଥିଲେ ବି ଏହା ସତ କରି ଦେଖାଇଛନ୍ତି ବ୍ରାଜିଲର ଜଣେ ପ୍ରେମୀ ଯୁଗଳ। ପେଶାରେ ଡାକ୍ତର ଥିବା ଏହି ଦମ୍ପତି ନିଜ ପ୍ରେମକୁ ପ୍ରଦର୍ଶନ କରି ସିଧା ଗିନିଜ୍ ୱାର୍ଲ୍ଡ ରେକର୍ଡ ବୁକରେ ପହଞ୍ଚାଇ ଦେଇଛି।

ପ୍ରତିବର୍ଷ ଜୁଲାଇ ୬ ତାରିଖକୁ ସାରା ବିଶ୍ୱରେ 'ବିଶ୍ୱ ଚୁମ୍ବନ ଦିବସ' ଭାବେ ପାଳନ କରାଯାଏ। ଯାହାର ଆରମ୍ଭ ପ୍ରଥମେ ବ୍ରିଟେନରୁ ହୋଇଥିଲା। ଏହି ଖାସ୍ ଦିନରେ ନିଜ ସମ୍ପର୍କକୁ ଦୁନିଆର ସର୍ବୋତ୍ତମ ପ୍ରମାଣିତ କରିବା ପାଇଁ ବ୍ରାଜିଲର ରେନାଟୋ ବାଇମା ଗାଇଆ ଏବଂ ତାଙ୍କ ବାନ୍ଧବୀ ନାୟାରା ରୋବର୍ଟା ଏହି ଅସାଧାରଣ ଚ୍ୟାଲେଞ୍ଜ ଗ୍ରହଣ କରିଥିଲେ। ଦୁହେଁ ସୁପର ଫାଷ୍ଟ୍ ସ୍ପିଡ୍ରେ ମାତ୍ର ୩୦ ସେକେଣ୍ଡରେ ୧୯୫ ଥର ଚୁମ୍ବନ ଆଦାନପ୍ରଦାନ କରି ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି।

ପ୍ରାୟ ଦେଢ଼ ବର୍ଷ ହେବ ରିଲେସନସିପ୍ରେ ଥିବା ଏହି ଯୋଡ଼ି କେବଳ ପ୍ରେମ ଜଗତରେ ନୁହେଁ, ବାସ୍ତବ ଜୀବନରେ ବି ହିରୋ। କରୋନା ମହାମାରୀ ସମୟରେ ଉଭୟ ଆଗଧାଡ଼ିର କର୍ମୀ ତଥା ଡାକ୍ତର ଭାବରେ ଦିନରାତି ରୋଗୀଙ୍କ ସେବା କରିଥିଲେ। ଏବେ ସେମାନଙ୍କ ସଫଳତା ତାଲିକାରେ ଆଉ ଫର୍ଦ୍ଦ ଯୋଡ଼ି ହୋଇଯାଇଛି।

ରେନାଟୋଙ୍କ ପାଇଁ ଗିନିଜ୍ ବୁକ ନାଁ ଲେଖାଇବା କୌଣସି ନୂଆ କଥା ନୁହେଁ। ସେ ପୂର୍ବରୁ ଲଗାତାର ୧୦ଟି ପୁସ୍ତକକୁ ସବୁଠାରୁ ଦ୍ରୁତ ଗତିରେ ଭାଙ୍ଗିବା ଏବଂ ସର୍ବାଧିକ ଗୋଡ଼ ଘୂର୍ଣ୍ଣନ କରିବାର ରେକର୍ଡ ନିଜ ନାଁରେ କରିସାରିଛନ୍ତି। ଏହାସହ ସେ ଟାଏକୋଣ୍ଡୋରେ ବ୍ଲାକ୍ ବେଲ୍ଟ ମଧ୍ୟ ହାସଲ କରିଛନ୍ତି।

ସବୁଠାରୁ ବଡ଼ ପ୍ରେରଣାଦାୟକ କଥା ହେଉଛି, ରେନାଟୋ 'ADHD' (Attention Deficit Hyperactivity Disorder) ନାମକ ଏକ ମାନସିକ ଅବସ୍ଥା ଦେଇ ଗତି କରୁଛନ୍ତି। ଯେଉଁଥିରେ ଧ୍ୟାନ କେନ୍ଦ୍ରିତ କରିବା କଷ୍ଟକର ହୋଇଥାଏ। ହେଲେ ନିଜର ଏହି ସମସ୍ୟା ସତ୍ତ୍ୱେ କେହି ବି ନିଜ ସ୍ୱପ୍ନ ପୂରଣ କରିପାରିବେ ବୋଲି ସେ ଦୁନିଆକୁ ପ୍ରମାଣ କରି ଦେଖାଇଛନ୍ତି।

ସେମାନଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଗୋଟିଏ ମିନିଟ୍ରେ ସର୍ବାଧିକ କିସ୍ କରିବାର ରେକର୍ଡ। ବର୍ତ୍ତମାନ ଏହି ବିଶ୍ୱ ରେକର୍ଡ ଜାପାନର ଚେରି ୟୋଶିତାକେ ଏବଂ କୁମିକୋ ଶିରାଟୋରିଙ୍କ ନାଁରେ ରହିଛି, ଯେଉଁମାନେ ଗୋଟିଏ ମିନିଟ୍ରେ ୨୭୭ ଥର ଚୁମ୍ବନ କରିଥିଲେ। ରେନାଟୋ ଏବଂ ନାୟାରାଙ୍କ କହିବା ଅନୁଯାୟୀ, ଏହି ରେକର୍ଡ ସେମାନଙ୍କ ପାଇଁ କେବଳ ଏକ ସଂଖ୍ୟା ନୁହେଁ, ବରଂ ସେମାନଙ୍କ ପାରସ୍ପରିକ ପ୍ରେମ, ବିଶ୍ୱାସ ଏବଂ ସମ୍ପର୍କର ଏକ ସ୍ମରଣୀୟ ଉତ୍ସବ।