ନୂଆଦିଲ୍ଲୀ: ‘ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା’ରେ ୩୧ ମେ ୨୦୨୬ ସୁଦ୍ଧା ୨୦୦୦ରୁ ଅଧିକ ଲିଷ୍ଟେଡ ହସ୍ପିଟାଲଙ୍କୁ ହଟାଇ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ଶୁକ୍ରବାର ସଂସଦରେ ଏହି ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ୧,୨୦୦ ଅନ୍ୟ ହସ୍ପିଟାଲଙ୍କୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନେ ପ୍ୟାନେଲରୁ ନିଲମ୍ବିତ କରିଛନ୍ତି। ନଡ୍ଡା କହିଛନ୍ତି ଯେ ୫ ଲକ୍ଷଟଙ୍କାର ସ୍ୱାସ୍ଥ୍ୟବୀମା ଯୋଜନା ଗାଇଡଲାଇନ ଉଲ୍ଲଂଘନ ଲାଗି ୨୯ଟି ଏତଲା ରୁଜୁ ହୋଇଛି ଓ ୩୨୮.୪୯ କୋଟି ଟଙ୍କା ଜରିମନା କରାଯାଇଛି।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଠକେଇ ପ୍ରତି ଶୂନ୍ୟ ସହିଷ୍ଣୁତା ଦୃଷ୍ଟିକୋଣ ଆପଣାଉଛି। ସେହିପରି ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚଏ) ଙ୍କ ଜାତୀୟ ଆଣ୍ଟି-ଫ୍ରଡ ୟୁନିଟି ସନ୍ଦିଗ୍ଘ କ୍ଲେମର ସନ୍ଧାନ ନେବାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମେସିନ ଲର୍ଣ୍ଣିଂ ଆଧାରିତ ସ୍ୱଚାଳିତ ଟ୍ରିଗର୍ସ ର ଉପଯୋଗ କରୁଛନ୍ତି। ଏହି ସ୍ୱଚାଳିତ ଯାଞ୍ଚ ଅସ୍ୱଭାବିକ କ୍ଲେମର ପ୍ୟାଟର୍ଣ୍ଣକୁ ଚିହ୍ନଟ କରୁଛି। ଏଥିରେ ଅନାଧିକୃତ ବିଲିଂ, ଡୁପ୍ଲିକେଟ୍ ଏଣ୍ଟ୍ରି, ବଢି ରହିଥିବା ପ୍ରକ୍ରିୟା ଓ ରୋଗୀଙ୍କ ପରିଚୟର ଦୂରୁପଯୋଗ ଆଦି ସାମିଲ ରହିଛି। ଯାହା ଦାବି ଉପସ୍ଥାପନ କରିବାର ୨୪ ଘଣ୍ଟା ମଧ୍ୟରେ ଯାଞ୍ଚ ହୋଇଥାଏ।

ସନ୍ଦିଗ୍ଧ ଚିହ୍ନଟ କ୍ଲେମ ପୈଠ ପୂର୍ବରୁ ଯାଞ୍ଚ କରାଯାଏ। ଏଥିରେ ଯଦି କୌଣସି ପ୍ରକାରର ଠକେଇ ପୁଷ୍ଟି ହୁଏ ତେବେ ପୈଠ ଅଟକାଇ ଦିଆଯାଏ। ଏହା ଦ୍ୱାରା ୩୧ ଜୁଲାଇ ୨୦୨୬ ସୁଦ୍ଧା ୬୭୬.୧୪ କୋଟି ଟଙ୍କା ସଞ୍ଚୟ କରାଯାଇ ପାରିଛି। ସେହିପରି ଯୋଜନାର ଗାଇଡଲାଇନ ଉଲ୍ଲଂଘନ କରୁଥିବା ହସ୍ପିଟାଲଙ୍କୁ ନିଲମ୍ବନ ଓ ପ୍ୟାନେଲରୁ ହଟାଇବା ବ୍ୟତୀତ ଅନ୍ୟ କାର୍ଯ୍ୟାନୁଷ୍ଠାନ ଯେପରିକି ଜରିମନା ଓ ଏତଲା ରୁଜୁ କରାଯାଏ। କେନ୍ଦ୍ର ସରକାର ଚଳିତବର୍ଷ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ୮,୪୩୮.୨୭ କୋଟି ଟଙ୍କା ଜାରି କରିଛନ୍ତି।