ପୁରୀ: ଭଡ଼ାଘରୁ ବସ୍ତା ବସ୍ତା ଗଞ୍ଜେଇ ଜବତ । ଖାଲି ଗଞ୍ଜେଇ ନୁହେଁ ପୁଳାପୁଳା ଟଙ୍କା ବି ଜବତ ହୋଇଛି । ଯାହାକୁ ଗଣି ଗଣି ଅବକାରୀ ବିଭାଗ କର୍ମଚାରୀ ମଧ୍ୟ ନୟାନ୍ତ । ବଡ଼ କଥା ହେଲା ଗଞ୍ଜେଇ ସୁରାକ୍ ପାଇ ରେଡ୍ କରୁଥିବା ବେଳେ ଏତେ ପରିମାଣର ଟଙ୍କା ଦେଖି ଅବକାରୀ ବିଭାଗ କର୍ମଚାରୀ ତାଜୁବ ହୋଇଯାଇଛନ୍ତି । ଏଭଳି ଆଶ୍ଚର୍ଯ୍ୟ କଲାଭଳି ଘଟଣା ପୁରୀରେ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ପୁରୀ ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ଗୋପାଳପୁର ପାଖରେ ଥିବା IMT ଫାର୍ମାସୀ କଲେଜ ନିକଟ ଏକ ଭଡ଼ାଘରୁ ୧୭୬ଟି ପ୍ୟାକେଟରେ ପ୍ରାୟ ୧ କ୍ବିଣ୍ଟାଲ ୮୩ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏତେ ପରିମାଣର ଗଞ୍ଜେଇ ପୁରୀରୁ ମିଳିବା ବେଶ୍ ଚର୍ଚ୍ଚାର କାରଣ ପାଲଟିଛି । ସେହିଭଳି ଏହି ଗଞ୍ଜେଇ ବେପାରରେ ସଂପୃକ୍ତ ଦୁଇଜଣଙ୍କ ମଧ୍ୟରୁ ଜଣକ ଘରୁ ଜବତ ହୋଇଛି ପୁଳାପୁଳା ଟଙ୍କା ସହ କିଛି ଅଳଙ୍କାର, ଏକାଧିକ ଏଟିଏମ୍ କାର୍ଡ, FD ବଣ୍ଡ୍‌ ପେପର ଏବଂ ଏକାଧିକ ପ୍ଲଟର କାଗଜପତ୍ର । ଦୁଇଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ଟିକରପଡ଼ା ମହାନ୍ତି ସାହିର କାର୍ତ୍ତିକ ସାମନ୍ତରାୟଙ୍କ ଘରୁ ନଗଦ ଜବତ ହୋଇଛି ପ୍ରାୟ ପାଖାପାଖି କୋଟିଏରୁ ଉର୍ଦ୍ଧ୍ବ ଟଙ୍କା। ଅନ୍ୟତମ ଅଭିଯୁକ୍ତ ହେଉଛନ୍ତି ତାଳବଣିଆ ଥାନା ଅନ୍ତର୍ଗତ ସିଦ୍ଧମହାବୀର ମୈତ୍ରୀବିହାରର ଦେବେନ୍ଦ୍ର ସାହୁ।

Also Read: ସମ୍ବଲପୁରୀ ହସ୍ତତନ୍ତ ବ୍ୟବସାୟୀଙ୍କ ନାଁରେ ନକଲି ID, ଗ୍ରାହକଙ୍କୁ ଚୂନ ଲଗାଉଛନ୍ତି ସାଇବର ଠକ

ତେବେ ଏତେ ପରିମାଣର ଗଞ୍ଜେଇ ପୁରୀ ସହରରୁ ଜବତ ହେବା ପ୍ରଥମ ଘଟଣା ହୋଇଥିବା ବେଳେ ଅବକାରୀ ବିଭାଗର ନିଷ୍କ୍ରିୟତା ଉପରେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି। ପର୍ଯ୍ୟଟନ ଓ ଐତିହ୍ୟ ନଗରୀ ପୁରୀକୁ ସଦାସର୍ବଦା ପୋଲିସ ଘେରି ରହିଥିବା ବେଳେ କିଭଳି ଏତେ ପରିମାଣରେ ଗଞ୍ଜେଇ ଆସିଲା ତାକୁ ନେଇ ଉଠିଛି ପ୍ରଶ୍ନ। ଏତେ ପରିମାଣର ଗଞ୍ଜେଇ ଆସିଲା କେଉଁଠାରୁ ? ଭଡାଘରୁ ଅପରେଟ୍ ହେଉଥିଲା କି ଗଞ୍ଜେଇ ଚାଲାଣ ? ଗଞ୍ଜେଇ ଚାଲଣର ମାଷ୍ଟରମାଇଣ୍ଡ ବା କିଙ୍ଗପିନ୍ କିଏ ? ଗଞ୍ଜେଇ ଜବତ ଘଟଣାରେ ଏହି ଦୁଇଜଣ ଅଭିଯୁକ୍ତଙ୍କ ସମେତ ଅନ୍ୟ କେହି ସାମିଲ ଅଛି କି ? ଏହାକୁ ନେଇ ଅନେକ ଅସମାହିତ ପ୍ରଶ୍ନ ଉଠିଥିବା ବେଳେ ଅଭିଯୁକ୍ତ କାର୍ତ୍ତିକ ସାମନ୍ତରାୟଙ୍କ ଘର ମଧ୍ୟ ସମ୍ପୂର୍ଣ୍ଣ ସିସିଟିଭି ବଳୟ ମଧ୍ୟରେ ଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ କାର୍ତ୍ତିକ ସାମନ୍ତରାୟଙ୍କ ତିନୋଟି ସ୍ଥାନ ମଧ୍ୟରୁ ଆଉ ଏକ ଘର ଯାଞ୍ଚ କରାଯିବ ବୋଲି ଏସପି କହିଛନ୍ତି।