ନୂଆଦିଲ୍ଲୀ: ପ୍ରାୟ ୪.୫ ବିଲିୟନ୍ (୪୫୦ କୋଟି) ବର୍ଷ ପୂର୍ବେ 'ଥିଆ' (Theia) ନାମକ ଏକ ଗ୍ରହ ପୃଥିବୀ ସହ ଧକ୍କା ହେବା ଫଳରେ ଚନ୍ଦ୍ରର ସୃଷ୍ଟି ହୋଇଥିଲା ବୋଲି ବିଜ୍ଞାନ ଜଗତରେ ପୂର୍ବରୁ ସ୍ୱୀକୃତ। ଏହି ମହାଜାଗତିକ ଘଟଣା ଯୋଗୁଁ ମହାକାଶକୁ ବଛୁରିତ ବିଶାଳ ପଥରଖଣ୍ଡଗୁଡ଼ିକ ବର୍ଷ ବର୍ଷ ଧରି ଏକତ୍ରୀତ ହୋଇ ଚନ୍ଦ୍ରର ରୂପ ନେଇଥିଲେ ବୋଲି ପୂର୍ବରୁ ବିଶ୍ୱାସ କରାଯାଉଥିଲା। ମାତ୍ର, ସାଉଥୱେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏବଂ ଆରିଜୋନା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କ ସାମ୍ପ୍ରତିକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଚନ୍ଦ୍ର ଗଠନ ହେବା ପାଇଁ ବର୍ଷ ବର୍ଷ ନୁହେଁ, ବରଂ ମାତ୍ର ୫ ଘଣ୍ଟା ସମୟ ଲାଗିଥିଲା।

ବୈଜ୍ଞାନିକମାନେ ଏହି ଘଟଣାର ଅନେକ କମ୍ପ୍ୟୁଟର ସିମ୍ୟୁଲେସନ୍ (ସୃଷ୍ଟିର କୃତ୍ରିମ ମଡେଲ୍) ପ୍ରସ୍ତୁତ କରିଥିଲେ। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଧକ୍କା ସମୟରେ ପୃଥିବୀ ଏବଂ ଥିଆର ତାପମାତ୍ରା କେତେ ଥିଲା, ତାହା ଚନ୍ଦ୍ରର ଦ୍ରୁତ ଗଠନକୁ ନିର୍ଦ୍ଧାରଣ କରିଥିଲା। ଡକ୍ଟର ଆଡିନ୍ ଡେଣ୍ଟନ୍ (Dr. Adeene Denton)ଙ୍କ କହିବା ଅନୁଯାୟୀ, ‘ଯେତେବେଳେ ଆମେ ପୂର୍ବ ପ୍ରଭାବ ମଡେଲିଂ ସହ ସମାନ ପାରାମିଟର ଏବଂ ଦୁଇଟି ମହାଜାଗତିକ ପିଣ୍ଡର ଅଭ୍ୟନ୍ତରୀଣ ତାପମାତ୍ରାକୁ ସମାନ ରଖି ପରୀକ୍ଷା କଲୁ, ମାତ୍ର ପାଞ୍ଚ ଘଣ୍ଟା ମଧ୍ୟରେ ଏକ ସମ୍ପୂର୍ଣ୍ଣ ଚନ୍ଦ୍ରର ଆକୃତି ଉଭା ହୋଇଥିଲା।’

ଆଷ୍ଟ୍ରୋଫିଜିକାଲ୍ ଜର୍ଣ୍ଣାଲ୍ ଲେଟର୍ସ’ରେ ପ୍ରକାଶିତ ଏହି ନୂତନ ଅଧ୍ୟୟନରେ ଚନ୍ଦ୍ର ଗଠନର ଏକ ଭିନ୍ନ ଦିଗ ପ୍ରତି ଧ୍ୟାନ ଦିଆଯାଇଛି। ପୂର୍ବରୁ କରାଯାଇଥିବା ଗବେଷଣାରେ ପୃଥିବୀ ଏବଂ ଥିଆକୁ କେବଳ ତରଳ ଗ୍ରହ ଭାବରେ ବିଚାର କରାଯାଉଥିଲା ଏବଂ ସେଗୁଡ଼ିକର କଠିନ ପଥର ବା ଶିଳାର ସାମର୍ଥ୍ୟକୁ ଗୁରୁତ୍ୱ ଦିଆଯାଉନଥିଲା। ମାତ୍ର ଏହି ନୂତନ ସିମ୍ୟୁଲେସନରେ ପଥରର ଶକ୍ତି ଓ କଠିନତାକୁ ଅନ୍ତର୍ଭୁକ୍ତ କରାଯିବା ପରେ ଫଳାଫଳ ସମ୍ପୂର୍ଣ୍ଣ ବଦଳି ଯାଇଥିଲା।

ଡକ୍ଟର ଡେଣ୍ଟନ୍ ସ୍ପଷ୍ଟ କରିଛନ୍ତି ଯେ, ଗ୍ରହାଣୁ (Asteroids) ସୃଷ୍ଟି ପ୍ରକ୍ରିୟା ପରି କ୍ଷୁଦ୍ର ମହାଜାଗତିକ ପିଣ୍ଡଗୁଡ଼ିକର ଧକ୍କା ଅଧ୍ୟୟନ ସମୟରେ ଶିଳାର ସାମର୍ଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଚନ୍ଦ୍ର କ୍ଷେତ୍ରରେ ମଧ୍ୟ ଏହି ନିୟମ ସମାନ ଭାବରେ ପ୍ରଭାବଶାଳୀ ପ୍ରମାଣିତ ହୋଇଛି।
ଏହି ନୂତନ ଆବିଷ୍କାର ଦ୍ୱାରା ଚନ୍ଦ୍ର ସୃଷ୍ଟିର ସଠିକ୍ ସମୟସୀମା ଜାଣିବା ସହଜ ହେବ। ଏହା ସହ ପୃଥିବୀ ଏବଂ ଚନ୍ଦ୍ରର ଗଠନ ପ୍ରଣାଳୀରେ ଥିବା ସମାନତା ଏବଂ ଚନ୍ଦ୍ରରେ ଥିବା  ପଦାର୍ଥର ପରିମାଣକୁ ବୁଝିବା ସହଜ ହେବ।

ପୃଥିବୀ ଏବଂ ଚନ୍ଦ୍ରର ରାସାୟନିକ ସଂରଚନା ପ୍ରାୟ ସମାନ, କାରଣ ସେଗୁଡ଼ିକ ନେବୁଲାର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରୁ ସୃଷ୍ଟି ହୋଇଥିଲେ। ଅନ୍ୟପକ୍ଷରେ, ମଙ୍ଗଳ ଏବଂ ପୃଥିବୀର ଗଠନ ସମ୍ପୂର୍ଣ୍ଣ ଭିନ୍ନ, ଯାହା ସୂଚାଏ ଯେ, ସେଗୁଡ଼ିକ ସୂର୍ଯ୍ୟଙ୍କଠାରୁ ଭିନ୍ନ ଭିନ୍ନ ଦୂରତାରେ ଏବଂ ଅଲଗା ଅଞ୍ଚଳରୁ ସୃଷ୍ଟି ହୋଇଥିଲେ ।