ଭୁବନେଶ୍ୱର ୦୩।୦୬ : ରଜ ସୁଦ୍ଧା ରାଜ୍ୟରେ ଆସି ପହଞ୍ଚିଯିବ ବର୍ଷା ରାଣୀ ମୌସୁମୀ। ସମ୍ଭବତଃ ୧୦ରୁ ୧୪ ତାରିଖ ସୁଦ୍ଧା ମୌସୁମୀ ଓଡ଼ିଶାରେ ପାଦ ଥାପିପାରେ। ଏହି ପୂର୍ବାନୁମାନ ଯଦି ସତ ହୁଏ, ତେବେ ରଜରେ ଜମିବ ମଉଜ । ଗରମ ଓ ଗୁଳୁଗୁଳିକୁ ଭିଜାଇ ଦେବ ମୌସୁମୀ ବର୍ଷା । ବହିପାରେ ମୌସୁମୀ ପବନ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ଵବିଦ୍ୟାଳୟର ସିଇସି ନିର୍ଦ୍ଦେଶକ ତ‌ଥା ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ଆସନ୍ତା ୪/୫ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଛୁଇଁପାରେ । ଯଦିଓ ଆରମ୍ଭରେ ଏହା ସେତେ ପ୍ରଭାବୀ ରହିନପାରେ। ତେବେ ୭ରୁ ୧୦ ତାରିଖ ଭିତରେ ମୌସୁମୀ ପଶ୍ଚିମ ଭାରତର କିଛି ଏବେ  ଅଂଶକୁ ପ୍ରବେଶ କରିବ। ମୌସୁମୀର ଆରବ ସାଗର ଶାଖା ସହ ବଙ୍ଗୋପସାଗର ଶାଖା ଅନୁକୂଳ ରହିଲେ, ୧୩ରୁ ୧୬ ତାରିଖ ଭିତରେ ମୌସୁମୀ ଓଡ଼ିଶା ଆଗମନ କରିବ। ୧୩/୧୪ ତାରିଖକୁ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ଅଧିକ।

ବିଶିଷ୍ଟ କୃଷି ପାଣିପାଗ ବୈଜ୍ଞାନିକ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୪ କିମ୍ବା ୫ ଜୁନ୍‌ରେ ମୌସୁମୀ କେରଳ ଛୁଇଁବ। ବିଭିନ୍ନ ମଡେଲ ପୂର୍ବାନୁମାନ କରୁଛନ୍ତି, ଜୁନ୍ ୮ରୁ ୧୪ ଭିତରେ ଓଡ଼ିଶାକୁ ମୌସୁମୀ ଆଗମନ କରିପାରେ। ମାତ୍ର ପ୍ରଫେସର ପଶୁପାଳକଙ୍କ ଆକଳନ ହେଲା, ୧୦ ପୂର୍ବରୁ ମୌସୁମୀ ଓଡ଼ିଶା ଆସିବନି। ୧୦ରୁ ୧୪ ଭିତରେ ଓଡ଼ିଶା ଛୁଇଁପାରେ। ଏହାର ସମ୍ଭାବନା ୮୦% ରହିଛି। ଯଦି ବିଳମ୍ବ ହୁଏ, ତେବେ ୧୫/୧୬ ହୋଇପାରେ। ଏହାର ସମ୍ଭାବନା ୨୦% ରହିଛି। ବର୍ତ୍ତମାନ ବଙ୍ଗୋପସାଗରୀୟ ଶାଖା ସକ୍ରିୟ ନାହିଁ । ସଂଗଠିତ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରୁନି। ତେଣୁ ଲଘୁଚାପ ସୃଷ୍ଟି ହେଉନି । କେନ୍ଦ୍ରୀୟ ବଙ୍ଗୋପସାଗର କିମ୍ବା ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ହେଲେ ହିଁ ତାହା ମୌସୁମୀକୁ ଟାଣି ଆଣିବାରେ ସହାୟକ ହେବ। ଲଘୁଚାପ ନେଇ ଏବେ କିଛି ଚିହ୍ନବର୍ଷ ଦେଖାଯାଉନି।

Also Read:-Horoscope Today : ଜୁନ ୩ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ତଥାପି ଆକଳନ କରାଯାଉଛି, ୧୦ରୁ ୧୪ ଭିତରେ ମୌସୁମୀ ରାଜ୍ୟକୁ ପ୍ରବେଶ କରିପାରେ। ପ୍ରଫେସର ପଶୁପାଳକ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ଉପକୂଳ ଅଞ୍ଚଳରେ ତାପମାତ୍ରା ୩୬ରୁ ୩୯ ଡିଗ୍ରୀ ସେଲସିୟସ୍ ରହିବ। ମଝିରେ ମଝିରେ କାଳବୈଶାଖୀ ହୋଇପାରେ। ପଶ୍ଚିମ ଓଡ଼ିଶାରେ ୩୯ରୁ ୪୨ ଡିଗ୍ରୀ ତାପମାତ୍ରା ସହ କିଛି କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ଅଛି। ଏଭଳି ପାଗ ୭ ତାରିଖ ଯାଏ ରହିବ । ତା'ପରେ ତାପମାତ୍ରା ସାମାନ୍ୟ କମିପାରେ।

ଡକ୍ଟର ସାହୁ କହିଛନ୍ତି, ଆସନ୍ତା ୧୦ ଯାଏ ରାଜ୍ୟରେ ବର୍ଷା ପ୍ରଭାବ କମ୍ ରହିବ। ଦିନରେ ଗରମ ଓ ରାତିରେ କିଛି କିଛି ଜାଗାରେ କାଳବୈଶାଖୀ ହୋଇପାରେ। ମାତ୍ର କାଳବୈଶାଖୀ ସୀମିତ ଅଞ୍ଚଳରେ ପ୍ରଭାବ ପକାଇବ। ବିସ୍ତୃତ ଅଞ୍ଚଳରେ ଏହାର ପ୍ରଭାବ ରହିନପାରେ। ପାଣିପାଗ ବିଭାଗ ଅନୁସାରେ ରାଜ୍ୟରେ ଆସନ୍ତା ୪ ଦିନ ଭିତରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ି ପାରେ। ଏହାସହ ପ୍ରତିଦିନ ବିଭିନ୍ନ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ହୋଇପାରେ। ମଙ୍ଗଳବାର ବୌଦ୍ଧ ତାପମାତ୍ରା ୪୧ ଡିଗ୍ରୀ, ସମ୍ବଲପୁର ୪୦.୮, ତାଳଚେର ୪୦, ଢେଙ୍କାନାଳ ୪୦, ଖୋର୍ଦ୍ଧା ୪୧ ଡିଗ୍ରୀ ଥିବାବେଳେ ଭୁବନେଶ୍ୱର ୩୮.୯ ଡିଗ୍ରୀ ଥିଲା। ବହୁ ସ୍ଥାନରେ ତାପମାତ୍ରା ୩୮-୩୯ ଡିଗ୍ରୀ ରହିଥିଲା।