ନୂଆଦିଲ୍ଲୀ: କିଛି ଦିନ ହେଲା ଦୁର୍ବଳ ରହିଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୁଣି ସକ୍ରିୟ ହେବ। ଆସନ୍ତା ସପ୍ତାହରୁ ମୌସୁମୀ ସକ୍ରିୟ ହେବା ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଏଥର ଦେଶର ସମତଳ ଅଞ୍ଚଳଗୁଡ଼ିକର ବ୍ୟାପକ ବର୍ଷା ସହ ଦୀର୍ଘଦିନ ଧରି ଲାଗି ରହିଥିବା ପ୍ରବଳ ଗରମ ଓ ଗୁଳୁଗୁଳିରୁ ଲୋକଙ୍କୁ ଆଶ୍ୱସ୍ତି ମିଳିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ଜୁଲାଇ ମାସରେ ଅଧିକାଂଶ ସମୟ ହିମାଳୟ ପାଦଦେଶ ଅଞ୍ଚଳଗୁଡ଼ିକରେ ବର୍ଷା ପରିମାଣ ଅଧିକ ରହିଥିଲା ସମତଳ ଅଞ୍ଚଳରେ ବର୍ଷାର ପରିମାଣ କମ୍ ହେବାର ଏଠାରେ ଗରମ ଓ ଗୁଳୁଗୁଳି ଲାଗି ରହିଥିଲା। ହେଲେ ଆସନ୍ତା ସପ୍ତାହରୁ ଏଥିରୁ ମୁକ୍ତି ମିଳିବାକୁ ଯାଉଛି।

ଉତ୍ତର-ପୂର୍ବରୁ ଆରମ୍ଭ ହୋଇ ଅନେକ ରାଜ୍ୟକୁ ବ୍ୟାପିବ ବର୍ଷା

ପାଣିପାଗ ବିଭାଗର ସୂଚନା ଅନୁସାରେ, ଉତ୍ତର-ପୂର୍ବ ଭାରତରୁ ପୁଣିଥରେ ମୌସୁମୀ ସକ୍ରିୟ ହେବ। ଫଳରେ ଆସନ୍ତା ସପ୍ତାହର ପ୍ରାରମ୍ଭରେ ପୂର୍ବ, ମଧ୍ୟ ଓ ଉତ୍ତର ଭାରତରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା, ବଜ୍ରପାତ ଏବଂ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଗାଙ୍ଗେୟ ସମତଳ ଅଞ୍ଚଳ ଓ ମଧ୍ୟ ଭାରତରେ, ସପ୍ତାହ ଧରି ଉଚ୍ଚ ତାପମାତ୍ରା ଅନୁଭୂତ ହେଉଥିଲା। ଏବେ ବର୍ଷା ହେଲେ ଆଶ୍ୱସ୍ତି ମିଳିବ।

ବଙ୍ଗୋପସାଗରରେ ନୂଆ ଲଘୁଚାପ ମୌସୁମୀକୁ ପୁଣି ସକ୍ରିୟ କରିବ

ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ବ୍ୟବସ୍ଥା ହିଁ ମୌସୁମୀର ପୁନର୍ଜୀବନର ମୁଖ୍ୟ କାରଣ ହେବ। ଲଘୁଚାପ ସୃଷ୍ଟି ହେଲେ ବାୟୁ ଉପରକୁ ଉଠେ ଏବଂ ସମୁଦ୍ରରୁ ଆର୍ଦ୍ରତାଭରା ପବନକୁ ଭିତରକୁ ଟାଣି ଆଣେ। ଏହା ଦ୍ୱାରା ବର୍ଷା ଆଣୁଥିବା ମେଘ ସୃଷ୍ଟି ହୁଏ। ଏହି ଲଘୁଚାପ ମଧ୍ୟ ଭାରତ ଆଡ଼କୁ ଅଗ୍ରସର ହେବା ସହ ମୌସୁମୀ ଅକ୍ଷରେଖା ପୁଣି ତା'ର ସାଧାରଣ ସ୍ଥିତିକୁ ଫେରିବ। ମୌସୁମୀ ଅକ୍ଷରେଖା ହେଉଛି ଉତ୍ତର ଭାରତରେ ବିସ୍ତାରିତ ଏକ ଲମ୍ବା ଲଘୁଚାପ ପଟ୍ଟି, ଯାହା ମୌସୁମୀ ଋତୁରେ କେଉଁଠି ବର୍ଷା ହେବ ତାହା ନିର୍ଣ୍ଣୟ କରିବାରେ ପ୍ରମୁଖ ଭୂମିକା ନିଭାଏ।

ଗତ କିଛି ସପ୍ତାହ ଧରି ଏହି ଅକ୍ଷରେଖା ହିମାଳୟ ପାଦଦେଶ ଆଡ଼କୁ ଉତ୍ତରକୁ ଲମ୍ବିଥିଲା। ଫଳରେ ପାହାଡ଼ିଆ ଅଞ୍ଚଳରେ ଅଧିକ ବର୍ଷା ହୋଇଥିବାବେଳେ ସମତଳ ଅଞ୍ଚଳ ପ୍ରାୟ ଶୁଷ୍କ ରହିଥିଲା। ଏବେ ଏହା ପୁଣି ଦକ୍ଷିଣକୁ ଫେରିଲେ ବଙ୍ଗୋପସାଗର ଓ ଆରବ ସାଗରରୁ ଆର୍ଦ୍ରତାଭରା ପବନ ଦେଶର ଭିତରକୁ ପ୍ରବେଶ କରିବ ଏବଂ ବ୍ୟାପକ ବର୍ଷାର ପରିସ୍ଥିତି ସୃଷ୍ଟି କରିବ।