ମୋହନା ୨୮।୯: ଗୁଣି ସନ୍ଦେହରେ ହତ୍ୟା । ପରେ ଶବ ଜାଳିଦେଲେ ଦୁର୍ବୃତ୍ତ । ଏବେ ଶବ ପୋଡ଼ା ଯାଇଥିବା ସ୍ଥାନ ଖୋଜି ପାଇଲା ପୋଲିସ । ଗଜପତି ଜିଲ୍ଲା ମୋହନାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଗଜପତି ଜିଲ୍ଲା ମୋହନା ମେରାମା ଗାଁରେ ଗୁଣି ସନ୍ଦେହରେ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ହତ୍ୟା କରିବା ପରେ ମୃତଦେହ ଜାଳି ଦିଆଯାଇଛି । ମୃତକ ହେଲେ ସେହି ଗାଁର ୫୦ ବର୍ଷୀୟ ରାମଚନ୍ଦ୍ର ମଳିକ । ସେ ଗତ ୧୦ ବର୍ଷ ହେଲା ପରିବାର ସହ ଗାଁ ନିକଟସ୍ଥ ପାହାଡ଼ରେ ରହୁଥିଲେ । ତେବେ ଗାଁରେ କାହାର ମୃତ୍ୟୁ ହେଲେ ରାମଚନ୍ଦ୍ର ଗୁଣିଗାରେଡ଼ି କରୁଥିବା ନେଇ ଗ୍ରାମବାସୀ ସନ୍ଦେହ କରୁଥିଲେ ।

Also Read:- ଟ୍ୟୁସନ ଯାଇ ନିଖୋଜ ଥିଲେ ୩ ନାବାଳକ, ୨୦୦ରୁ ଅଧିକ CCTV ଯାଞ୍ଚ କରି ଖୋଜି ବାହାରକଲା ପୋଲିସ

ଶନିବାର ବିଳମ୍ବିତ ରାତି ପ୍ରାୟ ୨ଟାରେ କିଛି ଗ୍ରାମବାସୀ ପାହାଡ଼କୁ ଯାଇ ତାଙ୍କୁ ଡାକି ଆଣିଥିଲେ ଏବଂ ଗାଁ ଦାଣ୍ଡରେ ବୈଠକ କରି ପିଟି ପିଟି ହତ୍ୟା କରିଥିଲେ । ପରେ ନିକଟସ୍ଥ ଜଙ୍ଗଲରେ ମୃତଦେହକୁ ଜାଳି ଦେଇଥିଲେ । ଆକ୍ରମଣ ବେଳେ ବଞ୍ଚାଇବାକୁ ଚେଷ୍ଟା କରି ତାଙ୍କ ପତ୍ନୀ ମଧ୍ୟ ଆହତ ହୋଇଛନ୍ତି ।
ଖବର ପାଇ ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିକଟସ୍ଥ ପାହାଡ଼ ନିକଟରୁ ମୃତଦେହ ପୋଡ଼ା ଯାଇଥିବା ସ୍ଥାନକୁ ଠାବ କରିଛି । ଏହି ଘଟଣାରେ ସମ୍ପୃକ୍ତ କିଛି ଗ୍ରାମବାସୀଙ୍କୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।