ନୂଆଦିଲ୍ଲୀ: ଶନିବାର ଭାରତ ଓ ବ୍ରାଜିଲ୍ ମଧ୍ୟରେ ରେୟାର ଆର୍ଥ ମିନେରାଲ୍ସ ଠାରୁ ଆରମ୍ଭ କରି ଡିଜିଟାଲ ପାର୍ଟନର୍ସିପ୍ ଓ ଖଣି ସହଯୋଗ ସମେତ ଏକାଧିକ କ୍ଷେତ୍ରରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଦୁଇ ଦେଶ ପାରସ୍ପରିକ ବାଣିଜ୍ୟକୁ ୨୦ ବିଲିଅନ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଏହି ଡିଲ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ଏହି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଅହି ଅବସରର ଦୁଇ ଦେଶ ପାରସ୍ପରିକ ରଣନୈତିକ ଓ ଅର୍ଥନୈତିକ ସମ୍ପର୍କ ମଜଭୁତ କରିବାକୁ ଆହ୍ୱାନ ଦେଇଛନ୍ତି।

ଡିଲ୍ରେ ସାଇନ କରିବା ପରେ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଓ ପ୍ରଧାନମନ୍ତ୍ରୀ ମୋଦୀ ମିଳିତ ସମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଥିଲେ। ଏଥିରେ ମୋଦୀ କହିଥିଲେ “ରାଷ୍ଟ୍ରପତି ଲୁଲା ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତରେ ସ୍ୱାଗତ କରି ମୁଁ ଆନନ୍ଦିତ। ଭାରତ-ବ୍ରାଜିଲ ସମ୍ପର୍କ ଦୀର୍ଘ ଦିନ ଧରି ରାଷ୍ଟ୍ରପତି ଲୁଲାଙ୍କ ଦୃଷ୍ଟିକୋଣ ଏବଂ ପ୍ରେରଣାଦାୟକ ନେତୃତ୍ୱରୁ ଲାଭବାନ ହୋଇଆସିଛି। ଆମେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ୨୦ ବିଲିୟନ ଡଲାରରୁ ଅଧିକ ନେବାକୁ ପ୍ରତିବଦ୍ଧ ହୋଇଛୁ। ଆମର ବାଣିଜ୍ୟ କେବଳ ଏକ ସଂଖ୍ୟା ନୁହେଁ, ଏହା ବିଶ୍ୱାସର ପ୍ରତିଫଳନ।”

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଭାରତ-ମର୍କୋସୁର ବାଣିଜ୍ୟ ଚୁକ୍ତିନାମାର ସମ୍ପ୍ରସାରଣ ଅର୍ଥନୈତିକ ସହଯୋଗକୁ ଆହୁରି ବୃଦ୍ଧି କରିବ। କାରଣ ବ୍ରାଜିଲ ହେଉଛି ଲାଟିନ୍ ଆମେରିକାରେ ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର।

ଭାରତ ଓ ବ୍ରାଜିଲ ମଧ୍ୟରେ ୩ ଚୁକ୍ତି ଉପରେ ହୋଇଛି ସ୍ୱାକ୍ଷର

ଭାରତ ଏବଂ ବ୍ରାଜିଲ ଡିଜିଟାଲ ସହଯୋଗ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ଖଣି ଯୋଗାଣ ଶୃଙ୍ଖଳାକୁ ଅନ୍ତର୍ଭୁକ୍ତ କରି ତିନୋଟି ଚୁକ୍ତି ସ୍ୱାକ୍ଷର କରିଛନ୍ତି। ବିଶ୍ୱ ଯୋଗାଣ ଶୃଙ୍ଖଳା ଚିନ୍ତା ମଧ୍ୟରେ ବ୍ରାଜିଲ ସହ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଖଣିଜ ଚୁକ୍ତିନାମାକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସେ କହିଛନ୍ତି "ଏହି ଚୁକ୍ତିନାମା ସ୍ଥିର ଯୋଗାଣ ଶୃଙ୍ଖଳା ନିର୍ମାଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ।" ଏହା ବାଦ୍ ଉଭୟ ପକ୍ଷ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ବିସ୍ତାର କରିବାକୁ ମଧ୍ୟ ସହମତ ହୋଇଛନ୍ତି।

ଏନେଇ ମୋଦୀ କହିଛନ୍ତି “ମୁଁ ଖୁସି ଯେ ଆମେ ବ୍ରାଜିଲରେ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ପାଇଁ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ଉପରେ କାମ କରୁଛୁ। ଆମେ କୃତ୍ରିମ ବୁଦ୍ଧିମତ୍ତା, ସୁପରକମ୍ପ୍ୟୁଟର, ସେମିକଣ୍ଡକ୍ଟର ଏବଂ ବ୍ଲକଚେନ୍ ଭଳି କ୍ଷେତ୍ରରେ ଆମର ସହଯୋଗକୁ ମଧ୍ୟ ପ୍ରାଥମିକତା ଦେଉଛୁ।” ଆଲୋଚନାର ଏକ ପ୍ରମୁଖ ସ୍ତମ୍ଭ ଭାବରେ ଶକ୍ତି ସହଯୋଗ ରହିଥିଲା। ଉଭୟ ପକ୍ଷ ନବୀକରଣୀୟ ଶକ୍ତି ଏବଂ ସ୍ଥାୟୀ ଇନ୍ଧନରେ ସହଯୋଗକୁ ତ୍ୱରାନ୍ୱିତ କରିବାକୁ ରାଜି ହୋଇଥିଲେ।

ଏନେଇ ମୋଦୀ କହିଛନ୍ତି “ଶକ୍ତି ସହଯୋଗ ଆମ ସମ୍ପର୍କର ଏକ ଦୃଢ଼ ସ୍ତମ୍ଭ ହୋଇଛି। ହାଇଡ୍ରୋକାର୍ବନ ବ୍ୟତୀତ, ଆମେ ନବୀକରଣୀୟ ଶକ୍ତି, ଇଥାନଲ ମିଶ୍ରଣ ଏବଂ ସ୍ଥାୟୀ ବିମାନ ଇନ୍ଧନ ସମେତ ଅନେକ କ୍ଷେତ୍ରରେ ସହଯୋଗକୁ ତ୍ୱରାନ୍ୱିତ କରୁଛୁ।” ଗ୍ଲୋବାଲ୍ ବାୟୋଫୁଏଲ୍ ଆଲାଏନ୍ସ ଭଳି ବିଶ୍ୱ ଜଳବାୟୁ ପଦକ୍ଷେପରେ ବ୍ରାଜିଲର ଅଂଶଗ୍ରହଣକୁ ମଧ୍ୟ ମୋଦୀ ପ୍ରଶଂସା କରିଛନ୍ତି।

ଡିଜିଟାଲ୍ ସୁପରପାୱାର ଏବଂ ନବୀକରଣୀୟ ଶକ୍ତି ସୁପରପାୱାରର ବୈଠକ

ରାଷ୍ଟ୍ରପତି ଲୁଲା ଏହି ବୈଠକକୁ ଗ୍ଲୋବାଲ୍ ସାଉଥର ଦୁଇଟି ପ୍ରମୁଖ ବିଶ୍ୱ ଶକ୍ତି ମଧ୍ୟରେ ଏକ ସହଭାଗୀତା ଭାବରେ ବର୍ଣ୍ଣନା କରିଥିଲେ। ଭାରତ-ବ୍ରାଜିଲ୍ ସମ୍ପର୍କର ରଣନୈତିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏନେଇ ସେ କହିଥିଲେ “ମୋର ପ୍ରିୟ ବନ୍ଧୁ ମୋଦୀ, ଷଷ୍ଠ ଥର ପାଇଁ ଏହି ଦେଶକୁ ଆସିବା ମୋ ପାଇଁ ଖୁସିର କାରଣ। ଭାରତ ଏବଂ ବ୍ରାଜିଲ ମଧ୍ୟରେ ଏହି ବୈଠକ ଏକ ଶ୍ରେଷ୍ଠ ବୈଠକ। ଆମେ କେବଳ ବିଶ୍ୱ ଦକ୍ଷିଣର ଦୁଇଟି ବୃହତ୍ ଗଣତନ୍ତ୍ର ନୁହେଁ। ଏହା ଏକ ନବୀକରଣୀୟ ଶକ୍ତି ମହାଶକ୍ତି ସହିତ ଏକ ଡିଜିଟାଲ୍ ମହାଶକ୍ତିର ବୈଠକ।”

ସେ କହିଛନ୍ତି ଯେ ଉଭୟ ଦେଶ ବିଶ୍ୱ ଶାସନ ଏବଂ ବହୁପାକ୍ଷିକ ସହଯୋଗ ଉପରେ ସମାନ ସ୍ଥିତି ବଜାୟ ରଖିଛନ୍ତି। ଏନେଇ ଲୁଲା କହିଛନ୍ତି "ଏକ ଅଶାନ୍ତ ବିଶ୍ୱ ପରିସ୍ଥିତି ପାଇଁ ଆମ ଦେଶଗୁଡ଼ିକୁ ରଣନୈତିକ ଆଲୋଚନାକୁ ମଜବୁତ ଏବଂ ଗଭୀର କରିବାକୁ ପଡିବ। ଭାରତ ଏବଂ ବ୍ରାଜିଲ ଜାତିସଂଘ, ବିଶ୍ୱ ବାଣିଜ୍ୟ ସଂଗଠନ ଏବଂ G20 ରେ ଗୁରୁତ୍ୱପୂର୍ଣ୍ଣ ସ୍ୱର ହୋଇପାରିଛନ୍ତି।"