ବଡ଼ବିଲ ୧୪।୯: ଗଜାନନଙ୍କ ଆବାହନରେ ଗଜରାଜଙ୍କ ଆଗମନ । କେନ୍ଦୁଝର ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଜଙ୍ଗଲରେ ହାତୀ ଶାବକ ଜନ୍ମ ହୋଇଛି । ଏହି ନୂଆ ଅତିଥିର ଆଗମନ ସହିତ ଅଞ୍ଚଳରେ ଘୁରି ବୁଲୁଥିବା ହାତୀପଲର ସଦସ୍ୟ ସଂଖ୍ୟା ଏବେ ୨୧ରୁ ୨୨କୁ ବୃଦ୍ଧି ପାଇଛି । ଏନେଇ କେନ୍ଦୁଝର ଡିଏଫଓ ଧନରାଜ୍ ଏଚଡି ସୂଚନା ଦେଇଛନ୍ତି ।

ଗତ ବିଳମ୍ବିତ ରାତିରେ ହାତୀପଲରେ ଏହି ଶାବକଟିର ଜନ୍ମ ହୋଇଥିଲା । ବର୍ତ୍ତମାନ ନବଜାତ ଶାବକଟି ସମ୍ପୂର୍ଣ୍ଣ ସୁସ୍ଥ ତଥା ସକ୍ରିୟ ରହିଛି । ସେ ମା’କ୍ଷୀର ଖାଇ ହାତୀପଲ ସହିତ ସୁରକ୍ଷିତ ଭାବେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି ।

Also Read:- ଗଣେଶ ପୂଜା ପାଇଁ ସ୍କୁଲ ଯାଉଥିଲେ ପ୍ରଧାନଶିକ୍ଷକ, ଅଧାବାଟରେ ପିଟିଲା ଟ୍ରକ୍

ଗଣେଶ ପୂଜା ଦିନ ଗଜରାଜଙ୍କ କୋଳକୁ ନୂଆ ସଦସ୍ୟ ଆସିଥିବାରୁ ସ୍ଥାନୀୟ ପ୍ରକୃତିପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି । ଏହା ସ୍ଥାନୀୟ ଜୈବ ବିବିଧତା ତଥା ହାତୀ ସଂରକ୍ଷଣ ଦିଗରେ ଏକ ଶୁଭ ସଙ୍କେତ ବୋଲି କୁହାଯାଉଛି । ଅନ୍ୟପକ୍ଷରେ, ମା’ ଏବଂ ନବଜାତ ଶାବକର ସୁରକ୍ଷା ତଥା ସ୍ୱାସ୍ଥ୍ୟାବସ୍ଥା ଉପରେ ବନ ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଛି । ସେମାନଙ୍କ ଗତିବିଧିକୁ ନିରୀକ୍ଷଣ କରିବା ପାଇଁ ବନ କର୍ମଚାରୀଙ୍କ ଏକ ସ୍ୱତନ୍ତ୍ର ଟିମ୍ ମୁତୟନ ରହିଛନ୍ତି ।

Watch Video: