ନୂଆଦିଲ୍ଲୀ: ଏବେ ରୂପା ବିକ୍ରି କରିବା ଓ ଏହାର ଉଚିତ ମୂଲ୍ୟ ପାଇବା ସହଜ ହୋଇଛି। ବୁଲିୟନ ରିଫାଇନର ମେଟାଲସ ଆଣ୍ଡ ମିନେରାଲସ୍ ଟ୍ରେଡିଂ କର୍ପୋରେସନ ଅଫ ଇଣ୍ଡିଆ (ଏମଏମଟିସି) ଭାରତରେ ପ୍ରଥମ ସଙ୍ଗଠିତ ‘ସିଲଭର ବାୟବ୍ୟାକ୍’ ସର୍ଭିସ ଆରମ୍ଭ କରିଛନ୍ତି। ଏଥିରେ ଗ୍ରାହକ ଏବେ ସେମାନଙ୍କ ରୂପା ମୁଦ୍ରା, ବାର ଓ ପୁରୁଣା ଗହଣା ସିଧା କମ୍ପାନୀକୁ ବିକ୍ରି କରିପାରିବେ। କମ୍ପାନୀ ଦେଶର ବଡ଼ ସହରାଞ୍ଚଳ ଦିଲ୍ଲୀ, ମୁମ୍ବାଇ, ଅହମଦାବାଦ କୋଲକାତା, ଭୁବନେଶ୍ୱର, ଗୌହାଟୀ ଓ ଲୁଧିଆନାରେ ଏହି ବାୟବ୍ୟାକ ଆରମ୍ଭ କରିଛି।

ଗ୍ରାହକ ନିଜ ରୂପା ଗହଣା, ମୁଦ୍ରା ଓ ଖଣ୍ଡକୁ ପ୍ୟୋରିଟି ଭେରିଫିକେସନ ସେଣ୍ଟରକୁ ନେଇ ଯାଇ ପାରିବେ। ସେଠାରେ ଅତ୍ୟନ୍ତ ସୁରକ୍ଷାର ସହ ଏକ୍ସଆରଆଏଫ ଟେକ୍ନୋଲଜି ମାଧ୍ୟମରେ ରୂପାର ଶୁଦ୍ଧତା ଯାଞ୍ଚ କରାଯିବ। ଏହା ପରେ ବଜାରରେ ପ୍ରଚଳିତ ବାୟବ୍ୟାକ୍ ଦରରେ ସିଧା ଗ୍ରାହକଙ୍କ ବ୍ୟାଙ୍କ ଖାତାକୁ ଦେୟ ଟ୍ରାନ୍ସଫର କରିଦିଆଯିବ। ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ପରିବାରମାନଙ୍କ ପାଖରେ ବିପୁଳ ପରିମାଣରେ ରୂପା ରହିଛି। ହେଲେ ସେମାନଙ୍କୁ ବଜାର ଦର ମିଳି ପାରୁ ନଥିବାରୁ ସେମାନେ ଏହାକୁ ବଦଳ ଅଥବା ବିକ୍ରି କରିପାରୁ ନାହାନ୍ତି।

ବୈଶ୍ୱିକ ସ୍ତରରେ ଏତେ ପରିମାଣରେ ରୂପା ଖନନ ହେଉ ନାହିଁ ଯେତିକି ଚାହିଦା ରହିଛି। ଏଥିରେ ରିସାଇକଲ କରାଯାଉଥିବା ରୂପା ବଜାରରେ ଏହାର ଚାହିଦା ଓ ଯୋଗାଣକୁ ପୁରା କରିପାରିବ। ଏହି ସେବା ସେହି ଗ୍ରାହକଙ୍କ ଲାଗି ଆଶ୍ୱସ୍ତି ଯେଉଁମାନେ ଏପର୍ଯ୍ୟନ୍ତ ସ୍ଥାନୀୟ ଜ୍ୱେଲରଙ୍କ ନିକଟରେ ସ୍ୱଳ୍ପ ଦାମ ଓ ଅନିଶ୍ଚିତତା କାରଣରୁ ରୂପା ବିକିବାକୁ ଥତମତ ହେଉଥିଲେ। ଏବେ ପାରଦର୍ଶି ପ୍ରକ୍ରିୟା ଓ ବଜାରରେ ଦରରେ ପୈଠ ମିଳୁଥିବାରୁ ରୂପାକୁ ନଗଦରେ ରୂପାନ୍ତରିତ କରିବା ସୁରକ୍ଷିତ ଓ ସହଜ ହେବ।