ଭୁବନେଶ୍ୱର: ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ସଂଶୋଧନ) ସମ୍ପର୍କରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖିଛନ୍ତି । ବିରୋଧୀ ଦଳ ନେତା କହିଛନ୍ତି ଯେ ବିଜୁ ଜନତା ଦଳ ସବୁବେଳେ ଓଡିଶାର ଅଧିକାର ଓ ଆମର ଯୁବ ସମାଜର ଭବିଷ୍ୟତ ସହିତ ରହି ଆସିଛି ଏବଂ ଏହାର ଦୃଢ ସମର୍ଥନ କରୁଛି । ତେଣୁ ନିକଟରେ ସଂସଦରେ ବିନା ଆଲୋଚନାରେ ଗୃହିତ ହୋଇଥିବା ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ସଂଶୋଧନ) ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ବିଧାନ ସଭାରେ ସର୍ବସମ୍ମତ ପ୍ରସ୍ତାବ ପାରିତ କରିବା ପାଇଁ ସବୁ ରାଜନୈତିକ ଦଳ ଏକାଠି କାମ କରିବାକୁ ଆହ୍ୱାନ ଦେଇଛନ୍ତି । ଏହାକୁ ବିଜୁ ଜନତା ପୂର୍ଣ୍ଣ ସମର୍ଥନ କରିବ । ଏଭଳି ସମ୍ମିଳିତ ଉଦ୍ୟମକୁ ଏକ ଐତିହାସିକ ମୂହୁର୍ତ୍ତ ଭାବରେ ଓଡିଶାବାସୀ ମନେ ରଖିବେ ବୋଲି ସେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ବର୍ତ୍ତମାନ ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ସଂଶୋଧନ)ର ପରବର୍ତ୍ତୀ ପ୍ରତିକ୍ରିୟା ସ୍ୱରୂପ ଓଡିଶା ବିପୁଳ ଆର୍ଥିକ କ୍ଷତି ସହିବାକୁ ଯାଉଛି ଏବଂ ଏହାର ସାମ୍ବିଧାନିକ ଅଧିକାର ମଧ୍ୟ ଚାଲିଯାଇଛି । ଗୃହର ନେତା ଭାବରେ ବିଧାନସଭାରେ MMDR Amendment Act ପ୍ରତ୍ୟାହାର କରିବା ପାଇଁ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହିତ କରିବା ମୁଖ୍ୟମନ୍ତ୍ରୀଙ୍କର ନୈତିକ ଦାୟୀତ୍ୱ ବୋଲି ନବୀନ ପଟ୍ଟନାୟକ ତାଙ୍କ ପତ୍ରରେ କହିଛନ୍ତି । ଏହାକୁ ବିଜୁ ଜନତା ଦଳ ସମର୍ଥନ କରିବ । ଏହାଦ୍ୱାରା ଓଡିଶାର ସାମ୍ବିଧାନିକ ଅଧିକାର ପୁନଃ ପ୍ରତିଷ୍ଠିତ ହେବା ସହିତ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ଓଡିଶାର ସ୍ୱାର୍ଥ ସୁରକ୍ଷିତ ରହିବ ବୋଲି ସେ କହିଛନ୍ତି ।

Also Read:'ତୁରନ୍ତ ସ୍ୱତନ୍ତ୍ର ଅଧିବେଶନ ଡାକ': ଖଣି ସଂଶୋଧନ ବିଲ୍ ପ୍ରସଙ୍ଗରେ ଚିଠି ଲେଖି ବିରୋଧ କଲେ ନବୀନ