କଟକ: ବହୁଚର୍ଚ୍ଚିତ ଚୌଦ୍ୱାର ଜେଲ୍ କଏଦୀ ଫେରାର ଏବଂ କାଗଜପତ୍ର ଜାଲିଆତି ମାମଲାରେ ଶେଷରେ ଗିରଫ ହୋଇଛନ୍ତି ପୂର୍ବତନ ଜେଲ୍ ସୁପରିଟେଣ୍ଡେଣ୍ଟ ସୁଜିତ କୁମାର ରାଉଳ। ଗିରଫଦାରୀରୁ ବଞ୍ଚିବା ପାଇଁ ସେ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଚଳାଇଥିଲେ ସୁଦ୍ଧା ହାଇକୋର୍ଟରୁ ଜାମିନ ଖାରଜ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି।

କ’ଣ ଥିଲା ପୁରା ଘଟଣା ?

୨୦୨୫ ଅକ୍ଟୋବର ୨ (ଦୁର୍ଗାପୂଜା) ରାତିରେ ଚୌଦ୍ୱାର ଜେଲରୁ ଗ୍ରିଲ୍ କାଟି ଓ ପାଚେରୀ ଡେଇଁ ବିହାରର ଦୁଇଜଣ ବିଚାରାଧୀନ କଏଦୀ ରାଜା ସାହାନୀ ଏବଂ ମଧୁକାନ୍ତ କୁମାର ଫେରାର ହୋଇଯାଇଥିଲେ। ଏହି ପ୍ରଶାସନିକ ତ୍ରୁଟିକୁ ନେଇ ଜେଲ୍ ବିଭାଗରେ ସୃଷ୍ଟି ହୋଇଥିଲା ଆଲୋଡ଼ନ। ଘଟଣା ପରେ ସୁଜିତ ରାଉଳଙ୍କୁ ପଦରୁ ନିଲମ୍ବିତ କରାଯାଇଥିଲା।

Also Read: ଗଞ୍ଜାମରେ ଅନଲାଇନ୍ ବେଟିଂ ଆପ୍ ରାକେଟ୍ର ପର୍ଦ୍ଦାଫାସ୍, ୩ ଗିରଫ; ୭୮ ଏଟିଏମ୍ କାର୍ଡ ଜବତ

ଜେଲରଙ୍କ ଅଭିଯୋଗ ଓ ଜାଲିଆତିର ପୋଲ ଖୋଲିଲା

ଜେଲରୁ କଏଦୀ ଫେରାର ହେବା ଦିନ ସୁପରିଟେଣ୍ଡେଣ୍ଟ ସୁଜିତ ରାଉଳ ନିଜେ ଗେଟ୍ରେ ଉପସ୍ଥିତ ନଥିଲେ। କିନ୍ତୁ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ସେ ଜେଲ୍ ଗେଟ୍ ରେଜିଷ୍ଟରରେ ସେଦିନ ନିଜକୁ ଉପସ୍ଥିତ ଦେଖାଇବାକୁ ଚେଷ୍ଟା କରିଥିଲେ। ତେବେ ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଥିଲା ଯେ ସେହି ଦିନ ତାଙ୍କ ମୋବାଇଲ୍ ଲୋକେସନ୍ ଖୋର୍ଦ୍ଧାରେ ଥିଲା।

ଏହା ସହିତ ନିଜ ଦୋଷ ଲୁଚାଇବାକୁ ଯାଇ ସେତେବେଳର ଜେଲର ସନ୍ତୋଷିନୀ ଦାଶଙ୍କ ଜାଲ୍ ସାଇନ୍ କରି ଏକ ନକଲି ରିପୋର୍ଟ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ଜେଲର ସନ୍ତୋଷିନୀ ଦାଶ ଚୌଦ୍ୱାର ଥାନାରେ ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ ଏଫଆଇଆର୍ (FIR) ଦାୟର କରିଥିଲେ।

Also Read: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିବାଦ, ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ

ହାଇକୋର୍ଟରୁ ଖାରଜ ହୋଇଥିଲା ଆଗୁଆ ଜାମିନ

ଗିରଫଦାରୀରୁ ବର୍ତ୍ତିବା ପାଇଁ ସୁଜିତ ରାଉଳ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ ଆବେଦନ କରିଥିଲେ। କୋର୍ଟଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ସେ ମୂଳ ଜେଲ୍ ମିନିଟ୍ ବୁକ୍ ଏବଂ ଅସଲି କାଗଜପତ୍ର ପୋଲିସକୁ ହସ୍ତାନ୍ତର କରିନଥିଲେ। ଏହି କାରଣରୁ ଗତ ଅଗଷ୍ଟ ୨୯ ରେ ଓଡ଼ିଶା ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେବା ସହ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ହଟାଇ ଦେଇଥିଲେ। ହାଇକୋର୍ଟରୁ ନିରାଶ ହେବା ପରେ ସେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା ତାଙ୍କୁ ଆଇନଗତ ଆଶ୍ୱସ୍ତି ମିଳିବା ପୂର୍ବରୁ ପୋଲିସ ତାଙ୍କୁ ଗିରଫ କରିଛି।