ବାରିପଦା : ଚିକିତ୍ସାରେ ଅବହେଳା ଶିଶୁ ମୃତ୍ୟୁକୁ ନେଇ ସାରସକଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ତୀବ୍ର ଉତ୍ତେଜନା ଦେଖା ଦେଇଛି। ପୂରା ହସ୍ପିଟାଲରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଔଷଧ ଓ ଆସବାବ ପତ୍ର ପୋଡ଼ିଲେ ଉତ୍ତେଜିତ ସ୍ଥାନୀୟ ବାସିନ୍ଦା। ପୂରା ଘଟଣା କିଛି ଏମିତି... 

ଶନିବାର ସାରସକଣା ବ୍ଲକ ଅନ୍ତର୍ଗତ ମୁଣ୍ଢାକଟା ଗ୍ରାମର ବେହେରା ସାହି ବାସିନ୍ଦା ରାଜା ବେହେରାଙ୍କ ପ୍ରାୟ ଦୁଇ ବର୍ଷର ଝିଅ। ଘରେ ଖେଳୁଥିବା ସମୟରେ ଟେବୁଲ ଫ୍ୟାନର ଅସୁରକ୍ଷିତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ତୁରନ୍ତ ଉଦ୍ଧାର କରି ଏହି ସାରସକଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ହେଲେ ସେଠାରେ କୌଣସି ଡାକ୍ତର ଉପସ୍ଥିତ ନଥିଲେ, ଯାହାଫଳରେ ଶିଶୁଟିକୁ ଶିର୍ଷା, ଝାରପୋଖରିଆ ଏବଂ ପରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ନେବାକୁ ପଡ଼ିଥିଲା । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

Also Read- ଚୌଦ୍ୱାର ଜେଲ୍‌ର ପୂର୍ବତନ ସୁପରିଟେଣ୍ଡେଣ୍ଟ ସୁଜିତ ରାଉଳ ଗିରଫ, କଏଦୀ ଫେରାର ମାମଲାରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ

ଦୀର୍ଘସମୟ ଧରି ସାରସକଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅନୁପସ୍ଥିତ ରହୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇଥିଲା। ଏହା ସତ୍ତ୍ୱେ ପ୍ରଶାସନର ଉଦାସୀନତା ଏବଂ ଠିକ୍ ସମୟରେ ପ୍ରାଥମିକ ଚିକିତ୍ସା ନମିଳିବାରୁ ଶିଶୁଟିର ପ୍ରାଣହାନୀ ଘଟିଥିବା ଦାବି ହୋଇଛି। ହସ୍ପିଟାଲରେ ଡାକ୍ତର ଅନୁପସ୍ଥିତ ଥିବା ଦେଖି ସ୍ଥାନୀୟ ବାସିନ୍ଦା ଏବଂ ମୃତକଙ୍କ ସମ୍ପର୍କୀୟମାନେ ପରିସର ଭିତରକୁ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। କେବଳ ସେତିକି ନୁହେଁ, ଉତ୍ତ୍ୟକ୍ତ ଲୋକେ ଔଷଧ ଭଣ୍ଡାର ଓ ଚିକିତ୍ସା କକ୍ଷରୁ ମୂଲ୍ୟବାନ ଜୀବନରକ୍ଷା କାରୀ ଔଷଧ, ବ୍ୟାଣ୍ଡେଜ୍, ସାଲାଇନ୍ ସମେତ ବିଭିନ୍ନ ଅତ୍ୟାବଶ୍ୟକୀୟ ମେଡିକାଲ୍ ସାମଗ୍ରୀ ବାହାରକୁ ଟାଣି ଆଣି ନିଆଁ ଲଗାଇ ଭସ୍ମୀଭୂତ କରିଦେଇଛନ୍ତି। ଚିକିତ୍ସାଳୟ ପରିସରରେ ନିଆଁ ଓ ଧୂଆଁର କଳା ବାଦଲ ସହ ପରିସ୍ଥିତି ଅଣଆୟତ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ଝାରପୋଖରିଆ ଥାନା ପୋଲିସ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସ୍ଥିତିକୁ ଆୟତ୍ତ କରିଛି।