ମାର୍ଶାଘାଇ: ମଣିଷ ଗଛ କାଟି ନିଜର ସାମ୍ରାଜ୍ୟ ଗଢୁଛି । ହେଲେ ଗଛ ଏବେବି ନୀରବରେ ଜୀବନ ବାଣ୍ଟୁଛି । କେନ୍ଦ୍ରାପଡ଼ାର ୩ଟି ପୁରୁଣା ଗଛ ଏବେ ପାଲଟିଛି ହଜାର ହଜାର ପକ୍ଷୀଙ୍କ ଘର । ଶ୍ରାବଣ ଆସିଲେ ଏଠି ଲାଗେ ପକ୍ଷୀଙ୍କ ମେଳା । ଏହା କେବଳ ସେମାନଙ୍କ ପାଇଁ ବସା କିମ୍ବା ଘର ନୁହେଁ, ସ୍ଥାନୀୟ ଲୋକଙ୍କ ପାଇଁ ବିଶ୍ୱାସ, ଏକ ପରମ୍ପରା ।

ଗଛ ଉପରୁ ଶୁଭେ କିଚିରି ମିଚିର ଶବ୍ଦ । ଶ୍ରାବଣ ଆସିଲେ ହସି ଉଠେ ଏହି ଗଛ । ବିନା ନିମନ୍ତ୍ରଣରେ ଏହି ଗଛକୁ ଆସନ୍ତି ଶହ ଶହ ପକ୍ଷୀ । ହେଲେ ଶୀତ ଆରମ୍ଭରୁ ବିନା ବିଦାୟରେ ଚାଲି ଯାଆନ୍ତି ଏମାନେ । ତଥାପି ସେମାନଙ୍କ ଅପେକ୍ଷାରେ ବର୍ଷ ସାରା ଚାହିଁ ରହିଥାଏ ୩ଟି ଗଛ । ଏହା ହେଉଛି କେନ୍ଦ୍ରାପଡ଼ା ପାଟକୁରା ଥାନା ସାମ୍ନାରେ ଥିବା ବିଶାଳ ଛାଖୁଣ୍ଡ ଗଛ, ମାର୍ଶାଘାଇ କରସିଂ ଛକରେ ଥିବା ପୁରୁଣା ଓସ୍ତ ଗଛ, ଆଉ କେନ୍ଦ୍ରାପଡ଼ା ଗୋପ ଛକରେ ଥିବା ବର ଗଛ । ଏଠି ଏବେ ଚାଲିଛି ଏକ ନୀରବ କୋଳାହଳର ସଂସାର । ସନ୍ଧ୍ୟା ହେଲେ ଏହି ତିନୋଟି ଗଛ ଜୀବନ୍ତ ହୋଇ ଉଠେ । ଦିନ ସାରା ଖାଦ୍ୟ ଅନ୍ୱେଷଣରେ ଯାଇଥିବା ହଜାର ହଜାର ବଗ, ପାଣିକୁଆ ଭଳି ପକ୍ଷୀ ସନ୍ଧ୍ୟାରେ ଏଠାକୁ ଫେରନ୍ତି । ସେମାନଙ୍କ ଶବ୍ଦରେ କମ୍ପି ଉଠେ ପୂରା ଅଞ୍ଚଳ । ସକାଳେ ଓ ସନ୍ଧ୍ୟାରେ ଶୁଭେ ଏମାନଙ୍କର କିଚିରି ମିଚିରି ଶବ୍ଦ । ବସା ବାନ୍ଧିବା, ଅଣ୍ଡା ଦେବା, ଛୁଆଙ୍କୁ ଉଡିବା ଶିଖାଇବାରେ ଲାଗି ଥାନ୍ତି ଏହି ପକ୍ଷୀମାନେ ।

ତେବେ ସେମାନେ କାହିଁକି ଏହି ସ୍ଥାନକୁ ଆସନ୍ତି ? ଏହି ପ୍ରଶ୍ନର ଉତ୍ତର ଖୋଜିଲେ ମିଳେ ଦୁଇଟି କାରଣ । ପ୍ରଥମ - ଏହି ଗଛ ଗୁଡିକ ବହୁ ପୁରୁଣା ଓ ବିଶାଳ । ଏହାର ଡାଳ ଖୁବ୍ ମଜବୁତ ଓ ଉଚ୍ଚତା ଅଧିକ । ତେଣୁ ମଣିଷ ଭୟ କମ୍ ଓ ଶତ୍ରୁଙ୍କ ଠାରୁ ମିଳେ ସୁରକ୍ଷା । ଏହା ସହ ଗଛ ଆଖପାଖରେ ରହିଛି ବିସ୍ତୀର୍ଣ୍ଣ ଗହଗା ପାଟ ଓ ଜଳାଶୟ, ଯେଉଁଠି ସହଜରେ ଖାଦ୍ୟ ମିଳେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପ୍ରାୟ ୧୫-୨୦ ବର୍ଷ ହେଲା ଏହି ପରମ୍ପରା ଚାଲିଛି । ଆଉ ଦ୍ୱିତୀୟ କାରଣ ହେଲା ବିଶ୍ୱାସ । ଗାଁ ଲୋକଙ୍କ ପାଇଁ ଏହା ବିଜ୍ଞାନ ନୁହେଁ, ଏହା ଏକ ପରମ୍ପରା । ଲୋକେ କୁହନ୍ତି ଯେଉଁ ଗଛକୁ ମଣିଷ ଭୁଲି ଯାଏ, ସେହି ଗଛକୁ ପକ୍ଷୀମାନେ ମନେରଖନ୍ତି । ହୁଏତ ଏହି ପୁରୁଣା ଗଛର ଡାଳରେ  ଅଛି ମା'ର ମମତା ଓ ନିରାପତ୍ତାର ବିଶ୍ୱାସ ।

ହେଲେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଏଠାରେ ପକ୍ଷୀଙ୍କ ସଂଖ୍ୟା କମିଛି । ଯେଉଁ ହାରରେ ଗଛ କଟା ଚାଲିଛି, ପୋଖରୀ ପୋତା ହେଉଛି, ସେହି ହାରରେ ପକ୍ଷୀ କମୁଛନ୍ତି । ପକ୍ଷୀମାନଙ୍କର ଏହି ଗଛ ପ୍ରତି ବିଶ୍ୱାସ ଆଉ କେତେ ଦିନ ? ବିଶେଷଜ୍ଞଙ୍କ ଭାଷାରେ ଏହାକୁ କୁହାଯାଏ Colonial Nesting । ବର୍ଷା ଋତୁରେ ସୁରକ୍ଷିତ ବସା ପାଇଁ ପକ୍ଷୀ ବାଛନ୍ତି ଏଭଳି ବର, ଓସ୍ତ, ଚାକୁଣ୍ଡା ଗଛକୁ । ଏଠାରେ ସେମାନେ ଅଣ୍ଡା ଦିଅନ୍ତି । ଯେବେ ଛୁଆମାନେ ଡେଣା ମେଲି ଉଡ଼ିବା ଶିଖି ଯାଆନ୍ତି ସେତେବେଳେ ଗଛଟି ପୁଣି ଏକା ହୋଇଯାଏ । ଅପେକ୍ଷା ରୁହେ ପୁଣି ଆର ବର୍ଷକୁ ।

ରାତି ହେଲେ ଏହି ଗଛ ଗୁଡିକ ଚୁପ୍ ହୋଇ ଯାଆନ୍ତି ସତ, ହେଲେ ଏହି ଚୁପ୍ ଭିତରେ ଥାଏ ଶହ ଶହ ଜୀବନର ନିଦ । ଯେତେବେଳେ ଆମେ କଂକ୍ରିଟ ଜଙ୍ଗଲ ତିଆରି ପାଇଁ ହଜାର ହଜାର ଗଛ କାଟୁଛେ ସେତେବେଳେ ଏହି ତିନୋଟି ଗଛ ଏହି ନୀରିହ ଜୀବନ ଗୁ଼ଡିକୁ ଆଶ୍ରୟ ଦେଉଛି।  ତେଣୁ ଗଛ ରହିଲେ, ପକ୍ଷୀ ରହିବେ। ପକ୍ଷୀ ରହିଲେ, ପ୍ରକୃତି ବଞ୍ଚିବ ।