ଭୁବନେଶ୍ଵର: ଓରାଙ୍ଗଉଟାନ୍ ଶାବକଗୁଡ଼ିକୁ ଇଣ୍ଡୋନେସିଆରୁ ସିଧାସଳଖ ଓଡ଼ିଶାକୁ ଅଣାଯାଇ ନାହିଁ। କିମ୍ବା ସମୁଦ୍ରପଥରେ ସପ୍ତାହେ ଧରି କୌଣସି ପଣ୍ୟ ଜାହାଜରେ ଚାଲାଣ କରାଯାଇନି। ଥାଇଲାଣ୍ଡ-ମିଆଁମାର ରୁଟରେ ମିଜୋରାମକୁ ଅଣାଯାଇ ସେଠାରେ ମାସେ ଧରି ଶାବକଗୁଡ଼ିକୁ ରଖାଯାଇଥିଲା। ଉତ୍ତର-ପୂର୍ବ ଭାରତର ଜଳବାୟୁ ସହ ରହଣି ପାଇଁ ଅଭ୍ୟସ୍ତ କରାଯାଇଥିଲା।

ଓଡ଼ିଶାରେ ୫ ଓରାଙ୍ଗଉଟାନ ଶାବକ ଠାବ ଘଟଣାରେ ଏଭଳି କିଛି ଚାଞ୍ଚଲ୍ୟକର ସୁରାକ୍ ପାଇଛନ୍ତି କ୍ରାଇମ୍ବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଓ ବନ ବିଭାଗ ଟିମ୍ । ମା’-ବାପା ବିନା ବର୍ଷକର ଛୁଆମାନେ ଏଠାକାର ପାଣିପାଗ ସହ ଖାପ ଖୁଆଇ ଯାଇଥିବାରୁ ଏହି ଦିଗରେ ସନ୍ଦେହ ଘନେଇଛି। ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ କରାଯାଉଛି। ଏହାର ସତ୍ୟାସତ୍ୟ ଖୋଜିବାକୁ ଖୁବ୍ ଶୀଘ୍ର ଏକ ଟିମ୍ ମିଜୋରାମକୁ ଯିବ। ଦରକାର ପଡ଼ିଲେ, ଇଣ୍ଟରପୋଲର ସହାୟତା ନିଆଯିବ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଓଡ଼ିଶାକୁ କେବେ ବି ବିଦେଶୀ ବନ୍ୟପ୍ରାଣୀଙ୍କ ଅବୈଧ ଚାଲାଣର ଟ୍ରାଞ୍ଜିଟ୍ ପଥ ହେବାକୁ ଦିଆଯିବନି ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଆଉ ଚେତାଇ ଦେଇଛନ୍ତି, ଯଦି ଅନ୍ତରାଷ୍ଟ୍ରୀୟ ସ୍ମଗଲିଂର ସମ୍ପୃକ୍ତି ମିଳେ, କାହାରିକୁ ଛଡ଼ାଯିବନି। ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (ଡବ୍ଲୁସିସିବି) ଏବଂ ଅନ୍ୟାନ୍ୟ ବନ୍ୟପ୍ରାଣୀ ଓ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ସହ ସମନ୍ଵୟ ରଖ୍ ଟିକିନିଖି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିରଳ ପ୍ରାଣୀଗୁଡ଼ିକ କେଉଁ ରୁଟ୍ ଦେଇ ଓଡ଼ିଶାରେ ପହଞ୍ଚିଲେ ? ଏହା ପଛରେ ଉଦ୍ଦେଶ୍ୟ କଣ ହୋଇପାରେ ? ଚୋରା ଚାଲାଣରେ କିଏ କିଏ ସମ୍ପୃକ୍ତ ଅଛନ୍ତି? ଏସବୁ ତଦନ୍ତ କରି ରହସ୍ୟରୁ ପରଦା ହଟାଯିବ ବୋଲ ସେ ସ୍ପଷ୍ଟ କରିଛନ୍ତି। ଓରାଙ୍ଗଉଗନ୍ଗୁଡ଼ିକୁ ପ୍ରଚଳିତ ବନ୍ୟପ୍ରାଣୀ ସୁରକ୍ଷା ପ୍ରୋଟୋକଲ୍ ଅନୁଯାୟୀ ଉପଯୁକ୍ତ ଚିକିତ୍ସା ସେବା, ସୁରକ୍ଷା ଓ ଆବଶ୍ୟକ ଯତ୍ନ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଡବ୍ଲୁସିସିବିର କୋଲକାତା ଓ ଭୋପାଳ ଶାଖାର ୪ଜଣ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଢ଼ାଯାଇଛି। ଜଣେ ଉପନିର୍ଦ୍ଦେଶକ ଏହାର ତଦନ୍ତ ଭାର ସମ୍ଭାଳିଛନ୍ତି। ସେମାନେ ଆସନ୍ତାକାଲି ଘଟଣାସ୍ଥଳକୁ ଆସି ଛାନ୍ଭିନ୍ କରିବେ। ପୂର୍ବରୁ ମିଜୋରାମ ଓ ଆସାମରୁ ଏକାଧିକ ଥର ଅନ୍ତର୍ଜାତୀୟ ଓରାଙ୍ଗଉଗନ୍ ମ୍ୟାକେଟ୍ର ପର୍ଦ୍ଦାଫାଶ ହୋଇଛି। ଇଣ୍ଡୋନେସିଆରୁ ଥାଇଲ୍ୟାଣ୍ଡ ମିଆଁମାର ରୁଟ୍ ଦେଇ ଭାରତକୁ ଏକ ପୁରୁଣା ସ୍ମଗଲିଂ ରୁଟ୍ ଲମ୍ବିଛି।

ସେହି ରୁଟ୍ରେ ବିରଳ ଓରାଙ୍ଗଉଟାନଗୁଡ଼ିକୁ ଅଣାଯାଇଥିବା ଅନୁମାନ କରାଯାଉଛି। ଏହି ଚୋରା ଚାଲାଣ ସିଣ୍ଡିକେଟ୍ଟି ମିଜୋରାମର କିଛି ଜଙ୍ଗଲ ଇଲାକାରେ ବେଶ୍ ସକ୍ରିୟ। ସେଠାରେ ଶାବକମାନଙ୍କୁ ବେଶ୍ କିଛି ଦିନ ରଖାଯାଇ ଏଠାକାର ପାଣିପାଗ ସହ ରହଣିର ଅଭ୍ୟସ୍ତ କରାଯାଇଥାଇପାରେ। ଏସବୁ ଆନ୍ତଃରାଷ୍ଟ୍ରୀୟ ତସ୍କରି ବାବଦକୁ ସବିଶେଷ ତଥ୍ୟ ତଦନ୍ତକାରୀ ଟିମ୍କୁ ଧରାଇଛି ଡବ୍ଲୁସିସିବି।

ଆର୍ସିସିସିଏଫ୍ ପ୍ରକାଶ ଚାନ୍ଦ ଗୋଗୀନେନୀ କହିଛନ୍ତି, ସମୁଦ୍ରପଥରେ ଛୁଆମାନଙ୍କୁ ଅଣଯିବା ବେଶ୍ ମୁସ୍କିଲ। ଜାତୀୟ ରାଜପଥରେ ଚେଙ୍କିରୁ ବର୍ତିବାକୁ ଚାଲାଣକାରୀମାନେ ଗ୍ରାମାଞ୍ଚଳ ନିର୍ଜନ ରାସ୍ତାକୁ ନିରାପଦ ରୁଟ୍ ଭାବେ ବ୍ୟବହାର କରିଛନ୍ତି। ଏମାନେ ଓଡ଼ିଶା ଦେଇ ଦକ୍ଷିଣ ଭାରତକୁ ସ୍ମଗଲିଂ କରୁଥିବା ସନ୍ଦେହ କରାଯାଉଛି । ଏତେବଡ଼ ତସ୍କରୀ ସିଣ୍ଡିକେଟ୍ରେ ସ୍ଥାନୀୟ ଲୋକମାନଙ୍କ ସମ୍ପୃକ୍ତି ନଥାଇପାରେ। ଅନ୍ତର୍ଜାତୀୟ ମ୍ୟାକେଟ୍ର ପର୍ଦ୍ଦାଫାଶ ପାଇଁ ଆଗକୁ ଇଣ୍ଟରପୋଲର ସହାୟତା ନେବୁ।

ଏସ୍ଟିଏଫ ପକ୍ଷରୁ ୩ଟି ଟିମ୍ ଗଢ଼ାଯାଇଛି। ଗୋଟିଏ ଟିମ୍ ବାଲେଶ୍ବର ଭୋଗରାଇର ଉଦ୍ଧାରସ୍ଥଳରେ ଛାନ୍ଭିନ୍ କରୁଛି। ଅନ୍ୟ ଏକ ଟିମ୍ ପଶ୍ଚିମବଙ୍ଗ ସୀମାନ୍ତର ସାହବାଜିପୁର ଓ ଦୀଘାରେ ପଚରଉଚରା ଜାରି ରଖିଛି। ତୃତୀୟ ଟିମ୍ଟି ବନ ବିଭାଗ ସହିତ ଗୁରୁବାର କୋଲକତା ଅଭିମୁଖେ ଯାଇଛି। କାହିଁକି ନା, ସୋମବାର ଅଧରାତିରେ ଚନ୍ଦନେଶ୍ଵର-ଭୁଷେଣ୍ଡପୁର ରୁଟ୍ରେ ଚକ୍କର କାଟୁଥିବା ରହସ୍ୟମୟ ଥର୍ ଗାଡ଼ିଟି ଚିହ୍ନଟ ହୋଇସାରିଛି। ବାଲେଶ୍ଵର ଚନ୍ଦନେଶ୍ୱରରୁ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଜିଲ୍ଲାକୁ ଲମ୍ବିଥିବା ଜାତୀୟ ରାଜପଥ-୧୧୬ (ବି)ରେ ଥର୍ ଗାଡ଼ିଟି ଉଦ୍ଧାରସ୍ଥଳରୁ ଦ୍ରୁତଗତିରେ ଖସି ପଳାଇଥିଲା। ଏନ୍ଏଚ୍-୧୧୬(ବି)ରେ ଥିବା ସୋନାପେଟ୍ୟା ଟେଲପ୍ଲାଜାରେ ଗାଡ଼ିଟି ପାର୍ ହୋଇଥିବାର ପ୍ରମାଣ ମିଳିଛି। ସେଠାରୁ କୋଲାଘାଟ ଜଙ୍କସନରେ ଏନ୍ଏଚ୍-୧୬କୁ ଛୁଇଁ କୋଲକାତା ପଳାଇଥିଲା । ଏସ୍ଟିଏଫ୍ ଟିମ୍ ସେଠାରେ ଥର୍ ଲିଙ୍କ୍ ଖୋଜିବା ସହ ଏକାଧିକ ହୋଟେଲରେ ଚଢ଼ଉ ଜାରି ରଖିଛି।

ଏହାଛଡ଼ା ମୋବାଇଲ୍ ଗୱାର ଡମ୍ଫକୁ ଅସ୍ତ୍ର କରିଛି ଏସ୍ଟିଏଫ୍। ସୋମବାର ରତିରୁ ମଙ୍ଗଳବାର ସକାଳ ଯାଏଁ ପଶ୍ଚିମବଙ୍ଗ ସୀମାନ୍ତରୁ ଚନ୍ଦନେଶ୍ଵର-ଭୂଷଣ୍ଡପୁର ରୁଟ୍ର ୧୫ କିମି ଭିତରେ ଯେତିକି ମୋବାଇଲ୍ ଫୋନ୍ ସକ୍ରିୟ ଥିଲା, ଟେଲିକମ୍ ସଂସ୍ଥାଠାରୁ ତାହାର ଏକ ତାଲିକା ମଗାଯାଇଛି।

ଉଦ୍ଧାରସ୍ଥଳରେ ଯେଉଁମାନେ ବି ଉପସ୍ଥିତ ଥିଲେ, ମୋବାଇଲ୍ଗୁଡ଼ିକ ନେଟଓ୍ୱର୍କର ଖୋଳତାଡ଼ରୁ ସ୍ପଷ୍ଟ ହୋଇଯିବ । ସେହିପରି ପଶ୍ଚିମବଙ୍ଗ ସୀମାନ୍ତରେ ଚେଙ୍କି ପଏଣ୍ଟରେ ଥିବା ସିସିଟିଭି କ୍ୟାମେରାରୁ ବାହାର ରାଜ୍ୟର ଗାଡ଼ିଗୁଡ଼ିକର ଯାଞ୍ଚ ଚାଲିଛି। ତାଳସାରୀ ସାମୁଦ୍ରିକ ଥାନା ପୁଲିସ ସମୁଦ୍ର ମଝିରେ ଡ୍ରୋନ୍ ଉଡ଼ାଇ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖିଛି। ଜଳେଶ୍ଵର ରେଞ୍ଜ୍ ଅଧୀନରେ କେସ୍ ନଂ ୧୮/୨୦୨୬-୨୭ରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି।

also read- ସାର୍ବଜନୀନ ହେବନି ରତ୍ନଭଣ୍ଡାର ତାଲିକା, ଆଇନ ମନ୍ତ୍ରୀ ଦେଲେ ବଡ଼ ସୂଚନା

ତଦନ୍ତକାରୀ ଟିମ୍ ସହ ବାଲେଶ୍ଵର ଡିଏଫ୍ଓ ପ୍ରତୀକ ପ୍ରକାଶ ଇନ୍ଦ୍ରଲକର ବଡ଼ପାହିସ୍ଥିତ ଉଦ୍ଧାରସ୍ଥଳକୁ ଯାଇଛନ୍ତି । ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳର ଆଖପାଖକୁ ନିଷିଦ୍ଧଞ୍ଚଳ ଘୋଷଣା କରାଯାଇଛି। ଚାରିପାଖରେ ତାର ବଡ଼ ଖଞ୍ଜାଯଇ ବ୍ୟାରିକେଡ୍ କରାଯାଇଛି। ଏସ୍ଟିଏଫ୍ ଅତିରିକ୍ତ ଏସ୍ପି ରଶ୍ମିରଞ୍ଜନ ପଟ୍ଟନାୟକ ଓ ଇନ୍ସପେକ୍ଟର ପର୍ଶୁରାମ ସାହୁ, ଜଳେଶ୍ବର ରେଞ୍ଜ୍ ଅଧିକାରୀ ଶିଶିର କୁମାର ବେହେରା ମଧ୍ୟ ବିଚିତ୍ରପୁର ପ୍ରକୃତି ନିବାସ, ପରେଷ୍ଟ୍ ବିଭାଗର ବିଟ୍ ହାଉସରେ ତନାଘନା କରିଛନ୍ତି।