ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ସ୍ୱତନ୍ତ୍ର ଏସଓପି (SOP) ଆଧାରରେ ଅତ୍ୟନ୍ତ ସ୍ୱଚ୍ଛତା ଓ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜାରି ରହିଛି । ଦୀର୍ଘ ୪୮ ବର୍ଷ ପରେ ମହାପ୍ରଭୁଙ୍କ ଏହି ସୁପ୍ରସିଦ୍ଧ ଭଣ୍ଡାରଘରର ଅଳଙ୍କାର ଓ ସାମଗ୍ରୀର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ହେଲେ ଏହାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ରିପୋର୍ଟ ସାର୍ବଜନୀନ ହେବ ନାହିଁ ।

ଗୁରୁବାର ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି, ଆସନ୍ତା ଦୂର୍ଗା ପୂଜା ପରେ ଗଣତି ମଣତି ଦୀର୍ଘ ସମୟ ଧରି ଚାଲିବ ଓ ମାର୍ଗଶିର ମାସ ପୂର୍ବରୁ ଗଣତି ମଣତି ଶେଷ ହେବ । ସମ୍ପୂର୍ଣ୍ଣ ଗଣତି ମଣତି ପ୍ରକ୍ରିୟା ସରିବା ପରେ ୧୯୭୮ ମସିହା ଅନୁସାରେ ତାଲିକା ପ୍ରସ୍ତୁତ କରାଯିବ। ହେଲେ ଏହି ତାଲିକା ପବ୍ଲିକ ଡୋମେନରେ ଉପଲବଧ୍ ହେବ ନାହିଁ। ରତ୍ନଭଣ୍ଡାର ଗଣତି ମଣତି ତାଲିକା ରିଲ୍ସ ନୁହେଁ ବରଂ ଏହା ମଧ୍ୟ ଗୁପ୍ତ ସେବା ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ସୂଚନାଥାଉକି, ଅଗଷ୍ଟ ୩୧ରୁ ପୁଣି ଆରମ୍ଭ ହୋଇଥିବା ଭିତର ରତ୍ନଭଣ୍ଡାରର ଗଣତିରେ ଏପର୍ଯ୍ୟନ୍ତ ଯାଞ୍ଚ ହୋଇଥିବା ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀ ୧୯୭୮ ମସିହାର ତାଲିକା ସହ ମେଳ ଖାଉଥିବା ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ରାଜ୍ୟ ସରକାର ଅନୁମୋଦିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍ (SOP) ଅନୁସାରେ ସମଗ୍ର ଗଣତି ପ୍ରକ୍ରିୟା ଚାଲିଛି। CCTV ନଜରରେ ରଖାଯାଇଥିବା ସହ ଅଧିକାରୀ, ମାଜିଷ୍ଟ୍ରେଟ୍ ଓ ଅନୁମୋଦିତ ବ୍ୟକ୍ତିଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲି ଯାଞ୍ଚ କରାଯାଉଛି। ଫଟୋ ଓ ଭିଡିଓ ଡକ୍ୟୁମେଣ୍ଟେସନ୍ ମଧ୍ୟ କରାଯାଉଛି। ଗଣତି ସମୟରେ ୩ଡି ମ୍ୟାପିଂ, ଡିଜିଟାଲ ଫଟୋଗ୍ରାଫି, ଭିଡିଓଗ୍ରାଫି ଓ ରତ୍ନ ବିଶେଷଜ୍ଞଙ୍କ ସହାୟତା ନିଆଯାଉଛି।

Also Read: ପାକିସ୍ତାନର ସିନ୍ଧପ୍ରଦେଶରେ ଶ୍ରୀଜଗନ୍ନାଥଙ୍କ ଜମି