ନୂଆଦିଲ୍ଲୀ ୦୮।୦୮: ବଲିଉଡର "ଦାଦା" ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ। ସେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏବେ ତାଙ୍କର ଅସ୍ତ୍ରୋପଚାର ହୋଇଛି। ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ହସ୍ପିଟାଲରେ ଅଭିନେତାଙ୍କୁ ଭେଟିଥିଲେ ଏବଂ ପରେ ଗଣମାଧ୍ୟମକୁ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇଥିଲେ ।

ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର, ତାଙ୍କର ଏକ ଅସ୍ତ୍ରୋପଚାର କରାଯାଇଥିଲା। ଦୁର୍ଘଟଣା ପରେ ତାଙ୍କ ଶରୀରରେ ପୂର୍ବରୁ ଲାଗିଥିବା ଏକ ମେଟାଲ ପ୍ଲେଟକୁ ବାହାର କରିଦିଆଯାଇଛି। ଏନେଇ ଡାକ୍ତର ମାନେ ରିପୋର୍ଟ କରିଛନ୍ତି ଯେ, ମିଥୁନ ଚକ୍ରବର୍ତ୍ତୀଙ୍କ ଅବସ୍ଥା ଏବେ ସ୍ଥିର ଅଛି। ଏହି ସମୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯେ, ସେ ହସ୍ପିଟାଲରେ ଅଭିନେତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା ମଧ୍ୟ କରିଛନ୍ତି।

ହସ୍ପିଟାଲରେ ମିଥୁନଙ୍କୁ କିଏ କିଏ ଭେଟିଛନ୍ତି ?

ଅନେକ ଜଣାଶୁଣା ବ୍ୟକ୍ତିତ୍ୱ ହସ୍ପିଟାଲରେ ଅଭିନେତାଙ୍କୁ ଭେଟିଥିଲେ, ସେମାନଙ୍କ ମଧ୍ୟରେ ସୁଭେନ୍ଦୁ ଅଧିକାରୀ ପ୍ରମୁଖ। ଏହା ଦ୍ୱିତୀୟ ଥର ପାଇଁ ଅଧିକାରୀ ମିଥୁନ ଚକ୍ରବର୍ତ୍ତୀଙ୍କୁ ତାଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ସମୟରେ ଦେଖା କରିଛନ୍ତି। ପୂର୍ବରୁ ସେ ୨୦୨୪ ରେ ଅଭିନେତାଙ୍କ ହାତ ଅସ୍ତ୍ରୋପଚାର ସମୟରେ ତାଙ୍କୁ ଭେଟିଥିଲେ। ଏହା ଉଲ୍ଲେଖନୀୟ ଯେ ମିଥୁନ ଚକ୍ରବର୍ତ୍ତୀ ୨୦୨୬ ବିଧାନସଭା ନିର୍ବାଚନରେ ବିଜେପି ପାଇଁ ସକ୍ରିୟ ଭାବରେ ପ୍ରଚାର କରିଥିଲେ।