ଇନ୍ଦୋର: ପୁଣି ଭାରତୀୟ ବୋଲରଙ୍କୁ ଆଣ୍ଠେଇଲେ ଡାରିଲ ମିଚେଲ୍। ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳା ଯାଉଥିବା ନିର୍ଣ୍ଣାୟକ ଦିନିକିଆରେ ନ୍ୟୁଜିଲାଣ୍ଡର ବିଶାଳ ସ୍କୋର। ଡାରିଲେ ମିଚେଲଙ୍କ ୧୩୭ ରନ ଓ ଗ୍ଲେନ ଫିଲିପ୍ସଙ୍କ ୧୦୬ ରନର ଶତକୀୟ ଇନିଂସ ବଳରେ କିଓ୍ଵି ଦଳ ୮ ଓ୍ଵିକେଟ୍ ହରାଇ ୩୩୭ ରନ କରିଛି। ସିରିଜ୍ ଜିତିବା ପାଇଁ ୩୩୮ ରନର ବିଜୟ ଲକ୍ଷ୍ୟ ରହିଛି। ମିଚେଲ୍ ସିରିଜରେ ନିଜର ଚମତ୍କାର ପ୍ରଦର୍ଶନ ଜାରି ର କ୍ରମାଗତ ଦ୍ଵିତୀୟ ଶତକ ହାସଲ କରିଛନ୍ତି। ଭାରତ ପକ୍ଷରୁ ସଫଳ ବୋଲର ଭାବେ ଅର୍ଶଦୀପ ସିଂ ୬୩ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ନ୍ୟୁଜିଲାଣ୍ଡର ଆରମ୍ଭ ନିରାଶଜନକ ଥିଲା। ୫ ରନ ସ୍କୋରରେ ଦୁଇ ଓପନର ହେନରି ନିକୋଲସ(୦) ଓ ଡେଭନ କନଓ୍ଵେ ଆଉଟ୍ ହୋଇଥିଲେ। ଓ୍ଵିଲ ୟଙ୍ଗ ୩୦ ରନ କରିଥିଲେ ହେଁ ବଡ଼ ଇନିଂସ ଖେଳି ପାରି ନ ଥିଲେ। ୫୮ ରନରେ ୩ ଓ୍ଵିକେଟ୍ ହରାଇ ମୁସ୍କିଲରେ ଥିଲା ନ୍ୟୁଜିଲାଣ୍ଡ। ଏହା ପରେ ଡାରିଲ ମିଚେଲ୍ ଓ ଗ୍ଲେନ ଫିଲିପ୍ସ ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ। ପ୍ରଥମେ ଦୁଇ ବ୍ୟାଟର ସତର୍କତାର ସହ ବ୍ୟାଟିଂ କରିଥିଲେ। କ୍ରିଜରେ ସେଟ୍ ହେବା ପରେ ଦୁଇ ବ୍ୟାଟର ଭାରତୀୟ ବୋଲରଙ୍କୁ ପାଲଟା ଆକ୍ରମଣ କରିଥିଲେ। ଚୌକା ଓ ଛକା ବର୍ଷା କରିଥିଲେ।ବିଶେଷ କରି ଡାରିଲ ମିଚେଲ୍ ଭାରତ ବିପକ୍ଷରେ ନିଜର ଚମତ୍କାର ଫର୍ମ ବଜାୟ ରଖି ସିରିଜରେ ଲଗାତାର ଦ୍ଵିତୀୟ ଶତକ ହାସଲ କରିଛନ୍ତି। ଗ୍ଲେନ ଫିଲିପ୍ସ ଦ୍ରୁତ ବ୍ୟାଟିଂ କରି ଶତକ ହାସଲ କରିଛନ୍ତି।

ଦୁଇ ବ୍ୟାଟର ଚତୁର୍ଥ ଓ୍ଵିକେଟରେ ୨୧୯ ରନ ଯୋଡ଼ି ନ୍ୟୁଜିଲାଣ୍ଡର ସ୍କୋରକୁ ୩୦୦ ପାର ପହଞ୍ଚାଇଥିଲେ। ୨୭୭ ରନ ସ୍କୋରରେ ଏହି ଯୋଡ଼ିକୁ ଭାଙ୍ଗିଥିଲେ ଅର୍ଶଦୀପ ସିଂ। ଗ୍ଲେନ ଫିଲିପ୍ସ ୮୮ ବଲରୁ ୯ ଚୌକା ଓ ୩ ଛକା ସହ ୧୦୬ ରନ କରିଥିଲେ। ଶେଷରେ ମିଚେଲଙ୍କ ଇନିଂସର ଅନ୍ତ ଘଟାଇଥିଲେ ମହମ୍ମଦ ସିରାଜ। ମିଚେଲ୍ ୧୩୧ ବଲରେ ୧୫ ଚୌକା ଓ ୩ ଛକା ସହ ୧୩୭ ରନର ମାରାଥନ ଇନିଂସ ଖେଳିଥିଲେ। ଏହା ପରେ ନିମ୍ନ ଭାଗରେ ନ୍ୟୁଜିଲାଣ୍ଡ ଶୀଘ୍ର ଓ୍ଵିକେଟ୍ ହରାଇ ଥିଲେ ହେଁ ୮ ଓ୍ଵିକେଟ୍ ହରାଇ ୩୩୭ ରନର ବିଶାଳ ସ୍କୋର କରି ପାରିଛି।

ଅଧିନାୟକ ମିଚେଲ୍ ବ୍ରେସଓ୍ଵେଲ ୧୮ ବଲରୁ ୩ ଛକା ଓ ୧ ଚୌକା ସହ ୨୮ ରନ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂ ୬୩ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ହର୍ଷିତ ରାଣାଙ୍କୁ ୩ ଓ୍ଵିକେଟ୍ ମିଳିଥିଲେ ହେଁ ୮୪ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ମହମ୍ମଦ ସିରାଜ ଭଲ ବୋଲିଂ କରି ୪୩ ରନ ଦେଇ ଗୋଟିଏ ଓ୍ଵିକେଟ୍ ଏବଂ କୁଲଦୀପଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଛି। ​​​​​​​