ପାଟନା: ବିହାର ପାଟନାରେ ଦୁର୍ବୃତ୍ତ ବୁଧବାର ସିଏମଏସ କମ୍ପାନୀ କ୍ୟାସ୍ ଭ୍ୟାନକୁ ବନ୍ଧୁକ ଦେଖାଇ ଲୁଟ କରିଛନ୍ତି। ସ୍ପଷ୍ଟ ଦିବାଲୋକରେ ପୋଲିସକୁ ଚ୍ୟାଲେଞ୍ଜ କରି ଦୁର୍ବୃତ୍ତ ଲୁଟକୁ ସଫଳ କରିଛନ୍ତି। ଏଥିରେ ସେମାନେ ଭ୍ୟାନରେ ଥିବା ୨୭ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛି। ଲୁଟ ପରେ ବିଭିନ୍ନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଯାଞ୍ଚ ଆରମ୍ଭ କରିଛନ୍ତି। ଲୁଟ ବେଳେ ଭ୍ୟାନରେ ଥିବା ଲୋକଙ୍କୁ ପଚରା ଉଚରା କରାଯାଉଛି।

ସୂଚନା ଅନୁସାରେ ସିଏମଏସ କମ୍ପାନୀ କ୍ୟାସ୍ ଭ୍ୟାନ ବଡ଼ ବାଣିଜ୍ୟିକ ପ୍ରତିଷ୍ଠାନ ଓ ବିଭିନ୍ନ ସ୍ଥାନରୁ ନଗଦ କଲେକ୍ସନ କରି ଫତୁହା ଆଡକୁ ଯାଉଥିଲା। ଏହି ସମୟରେ ସମ୍ପତଚକ୍-ଫତୁହା ରୋଡରେ ପୂର୍ବରୁ ଅପେକ୍ଷା କରି ରହିଥିବା ୩ଟି ବାଇକ୍ ରେ ୫ଜଣ ଡକାୟତ କ୍ୟାସ୍ ଭ୍ୟାନକୁ ଓଭରଟେକ୍ କରି ଅଟକାଇ ଦେଇଥିଲେ। ଏହା ପରେ ଦୁର୍ବୃତ୍ତ ଅସ୍ତ୍ର ଦେଖାଇ ସୁରକ୍ଷା କର୍ମୀ ଓ କର୍ମଚାରୀଙ୍କୁ ଭୟଭୀତ କରି କ୍ୟାସ୍ ଭ୍ୟାନ ଟ୍ରେଜରୀ ଖୋଲିବା ସହ ଏଥିରେ ଥିବା ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଛନ୍ତି। ତେବେ ନଗଦ ପରିବହନ କରୁଥିବା ଏହି କ୍ୟାସ୍ ଭ୍ୟାନରେ କୌଣସି ପ୍ରକାରର ସୁରକ୍ଷା ମାନକ ପାଳନ ହେଉନଥିବା ପୋଲିସ ଅଧିକ୍ଷକ କହିଛନ୍ତି।

କ୍ୟାସ୍ ଭ୍ୟାନ ଏତେ ପରିମାଣର ନଗଦ ନେଇ ଯାଉଥିବା ସମ୍ପର୍କରେ ସ୍ଥାନୀୟ ଥାନାକୁ ମଧ୍ୟ ସୂଚନା ଦେଇନଥିଲା। ଭ୍ୟାନରେ ନା ତ ସିସିଟିଭି କ୍ୟାମେରା ଅଛି ନା ଘଟଣା ବେଳେ କାଚ ଉପରକୁ ଉଠାଇଥିଲା। ଲୁଟ ହୋଇଥିବା ଭ୍ୟାନ ମଧ୍ୟ ବେଶ୍ ପୁରୁଣା ଓ ତାର ରକ୍ଷଣାବେକ୍ଷଣା ହେଉନଥିଲା। ଅଧିକ୍ଷକ କହିଛନ୍ତି ଯେ ପୋଲିସ ଘଟଣାର ଯାଞ୍ଚ କରୁଛି। ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ କରାଯାଉଛି। ତେବେ ପୋଲିସ ଆଖପାଖ ଅଞ୍ଚଳକୁ ନାକାବନ୍ଦୀ କରିଛି।

ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଘଟଣାସ୍ଥଳ ଓ ଦୁର୍ବୃତ୍ତ ପଳାୟନ କରିଥିବା ରାସ୍ତାର ସିସିଟିଭି ଫୁଟେଜ୍ ଖୋଜା ଯାଉଛି। ପୋଲିସ କହିଛି ଯେ ଖୁବ୍ ଶୀଘ୍ର ଅପରାଧୀଙ୍କୁ ଚିହ୍ନଟ କରି ଗିରଫ କରାଯିବ। ପୋଲିସ ଏବେ ସବୁ ଦିଗରୁ ମାମଲାର ଯାଞ୍ଚ କରୁଛି।