ହିନ୍ଦୋଳ ୨୨।୪: ରାଜ୍ୟରେ ଚାଲିଛି ଜନଗଣନା । ଘରକୁ ଘର ବୁଲି ଜନଗଣନା କରୁଛନ୍ତି ଜନଗଣନା ଅଧିକାରୀ । କିନ୍ତୁ ଏହି ଜନଗଣନା ସମୟରେ ଘଟୁଛି ଅଭାବନୀୟ ଘଟଣା । ଏମିତିକି ମିଛ ଜନଗଣନା ଅଧିକାରୀର ପରିଚୟ ଦେଇ ଅନେକ ଲୁଟପାଟ ବି କରୁଛନ୍ତି । ମହିଳାଙ୍କୁ ଅସଦାଚରଣ ନେଇ ମଧ୍ୟ ଅଭିଯୋଗ ଆସୁଛି । ତେବେ ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଗିରିଧର ପ୍ରସାଦ ଗ୍ରାମରେ ଜନଗଣନା ଅଧିକାରୀ କହି ଘରେ ପଶି ମହିଳାଙ୍କୁ ଅସଦାଚରଣ ସହ ସୁନା ଗହଣା ଲୁଟ୍ ନେଇ ଅଭିଯୋଗ ଆସିଛି ।

ମଙ୍ଗଳବାର ମଧ୍ୟାହ୍ନ ସମୟରେ ଗିରିଧର ପ୍ରସାଦ ଗ୍ରାମରେ ଜନଗଣନା ଅଧିକାରୀ କହି ଜଣଙ୍କ ଘରେ ପଶିଥିଲେ ଦୁର୍ବୃତ୍ତ । ଘରେ ଉପସ୍ଥିତ ଥିବା ମହିଳାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ପରିବାର ସଦସ୍ୟଙ୍କ ଆଧାର କାର୍ଡ ଆଣିବାକୁ କହିଥିଲେ । ମହିଳା ଜଣଙ୍କ ଘରେ ଏକୁଟିଆ ଦୁଇଟି ଛୋଟ ଛୁଆଙ୍କ ସହିତ ଥିବ ଦୁର୍ବୃତ୍ତ ଜଣଙ୍କ ଦେଖିବାକୁ ପାଇଥିଲେ । ଫଳରେ ଏହାର ସୁଯୋଗ ନେଇ ଛୁଆଙ୍କ ବେକରେ ଛୁରି ଲଗାଇ ମହିଳାଙ୍କୁ ଭୟଭୀତ କରିଥିଲେ । ଏହାସହ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ତେବେ ମହିଳା ଜଣଙ୍କ ନିଜ ଉପସ୍ଥିତି ବୁଦ୍ଧି ପାଇଁ ଭିତରୁ କବାଟ ଦେଇଦେଇ ଜୋରରେ ପାଟି କରିବାକୁ ଲାଗିଥିଲେ । ଏହା ଶୁଣି ଭୟଭୀତ ଜହୋଇଯାଇଥିଲେ ଦୁର୍ବୃତ୍ତ । କୌଣସି ଉପାୟ ନପାଇ ଘର ଛାଡ଼ି ଦୌଡ଼ି ପଳାଇଥିଲେ । ଦୁର୍ବୃତ୍ତ ଜଣକ ଯିବାବେଳେ ମହିଳାଙ୍କ ଘରୁ ସୁନା ଗହଣା ଲୁଟି ନେଇଥିବା ମଧ୍ୟ ଅଭିଯୋଗ ହୋଇଛି ।

Also Read:- Konark Sun Temple: କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ଖୁବ୍‌ଶୀଘ୍ର କଢ଼ାଯିବ ବାଲି, ସମସ୍ତ ବୈଷୟିକ କାର୍ଯ୍ୟ ଶେଷ

ତେବେ ଏନେଇ ମହିଳା ଜଣଙ୍କ ଏ ସମ୍ପର୍କରେ ରାସୋଳ ଥାନାରେ ଅଭିଯୋଗ କରିଛନ୍ତି । ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି । କିନ୍ତୁ ଦୁର୍ବୃତ୍ତ ସମ୍ପର୍କରେ ଟେର ପାଇନି ପୋଲିସ ।