ଭୁବନେଶ୍ବର: ରାଜଧାନୀରେ ଯୁବକଙ୍କ ଗୋଡ଼ାଇ ଗୋଡ଼ାଇ ହାଣିଲା ଦୁର୍ବୁତ୍ତ। ହାତରେ ଖଣ୍ଡା ଧରି ଦୀର୍ଘ ଘଣ୍ଟାଏ ଯାଏ ଆତଙ୍କ ରଚିଲା ଆତଙ୍କୀ। ଖାରବେଳ ନଗର ଥାନା ମଦର ଟେରେସା ମାର୍ଗରେ ଘଟିଛି ଏହି ଚାଞ୍ଚଲକ୍ୟର ଘଟଣା।

ସୂଚନା ଅନୁସାରେ, ରବିବାର ଅଞ୍ଚଳରେ ଥବା ଏକ ଘରୋଇ ସପିଂ ମଲ୍‌ର କିଛି କର୍ମଚାରୀ ଭୋଜି କରୁଥିଲେ। ହେଲେ ଏହି ଭୋଜି ସମୟରେ କିଛି କର୍ମଚାରୀଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ପରେ ହାତାହାତି ହୋଇଥିଲା। କେହି କିଛି ବୁଝିବା ଆଗରୁ ଆଦିତ୍ୟ ପ୍ରଧାନ ନାମକ ଯୁବକ ଖଣ୍ଡା ଆଣି ଆକ୍ରମଣ କରିଥିଲେ। ଆକ୍ରମଣରେ ରମେଶ ସେଠୀ ଓ ଅମର ନାମକ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଜଣାପଡ଼ିଛି ଅଭିଯୁକ୍ତ ଆଦିତ୍ୟ ପ୍ରଧାନ ଡେଲିଭରି ବୟ ଭାବରେ କାମ କରୁଛି। ତା’ ଘର୍ ପ୍ରେସ କଲୋନୀରେ। ଏହି ତିନି ଜଣ ସାଙ୍ଗ ଏକାଠି ଭୋଜି କରୁଥିଲେ। ତ୍ରିକୋଣୀୟ ପ୍ରେମ କିମ୍ବା ପୂର୍ବ ଟଙ୍କା କାରବାର ପାଇଁ ଏହି ଆକ୍ରମଣ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଥିବାବେଳେ, ଆଦିତ୍ୟ ପ୍ରଧାନଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ସେପଟେ ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରି ଦଣ୍ଡ ଦେବାକୁ ଦାବି କରିଛନ୍ତି ଆହତ ଯୁବକଙ୍କ ସାଙ୍ଗ।